ଚନ୍ଦ୍ରଶେଖରପୁର : ଠକେଇ ଅଭିଯୋଗରେ ଆଜି ଇନ୍ଫୋସିଟି ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକ ହେଲା, ଅଭିଜିତ୍ କୁମାର ଦାସ। ସେ ଇନ୍ଫୋଟେକ୍ ଓ ନୌକରି ସହାୟତା ନାମକ ଏକ କାର୍ଯ୍ୟାଳୟ କରି ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ଆଳରେ ଠକୁଥିଲା। ଗତ ଜାନୁଆରି ୨୩ରେ ସେ ମହାରାଷ୍ଟ୍ରର ରଣଜିତ୍ ଭାଗଦୁରା ନାମକ ଜଣେ ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ୧୫ ହଜାର ଟଙ୍କା ନେଇଥିଲା। ଉକ୍ତ ଟଙ୍କା ବାବଦକୁ ସେ ଏକ ଧୂପକାଠି ତିଆରି ଯନ୍ତ୍ରପାତି ଦେଇଥାନ୍ତା। ହେଲେ ଯନ୍ତ୍ରପାତି ନଦେବା କିମ୍ବା ଟଙ୍କା ନ ଫେରାଇବାରୁ ରଣଜିତ ତା’ ବିରୋଧରେ ମାମଲା ରଜୁ କରିଥିଲେ।
ଦାଦାଗିରି ଅଭିଯୋଗରେ ଯୁବକ ଗିରଫ
ଖଣ୍ଡଗିରି : ଦାଦାଗିରି କରି ଧମକଚମକ ଦେବା ଓ ଜୋର୍ କରି ଅନ୍ୟ କାହା ଘରର ପାଚେରି ଭାଙ୍ଗି ଜମି ମଡ଼ାଣ ନେବା ଆଦି ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଚନ୍ଦକା ଥାନା ଅନ୍ଧାରୁଆ ଗାଁର ପ୍ରମୋଦ ଭୂୟାଁ ଓରଫ ଚିଣ୍ଟୁ(୨୫)। ପୁଲିସ ସୂଚନାନୁସାରେ, ଚିଣ୍ଟୁ ଭରତପୁର ଜିଏ କଲୋନିର ମିହିର ରଞ୍ଜନ ପଟ୍ଟନାୟକଙ୍କ ପାଚେରି ଭାଙ୍ଗି ଦେଇଥିଲା। ପାଖ ପ୍ଲଟର କିଛି ଜମି ମାଡ଼ି ବସିଥିବା ଅଭିଯୋଗ କରି ଚିଣ୍ଟୁ ଶ୍ରୀ ପଟ୍ଟନାୟକଙ୍କୁ ଧମକଚମକ ଦେଉଥିଲା। ମାତ୍ର ବିନା ସରକାରୀ ମାପଚୁପରେ ଜମି ଛାଡ଼ିବେ ନାହିଁ ବୋଲି ସେ ଚିଣ୍ଟୁକୁ ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଗତକାଲି ସେ ଘରେ ନଥିବା ବେଳେ ଚିଣ୍ଟୁ ଏକ ଜେସିବି ମେସିନ୍ରେ ତାଙ୍କ ପାଚେରି ଭାଙ୍ଗି ଦେଇଥିଲା। ଏହି ମାମଲାରେ ଚିଣ୍ଟୁର ଅନ୍ୟ ଜଣେ ସହଯୋଗୀ ଫେରାର୍ ଅଛି।