ଅନଲାଇନରେ ମଗାଉଥିଲା ଦାମୀ ଜିନିଷ, ଫେରାଉଥିଲା ଇଟା ! ଠକ ଯୁବକ ଗିରଫ

ଭୁବନେଶ୍ବର : ଦାମୀ ଜିନିଷ ଅନ୍‌ଲାଇନରେ ମଗାଉଥିଲା। ଲାପ୍‌ଟପ, ଆଇ-ଫୋନ୍‌, ସନ ଗ୍ଲାସ, ଦାମୀ ସୁଟ୍‌ ମଗାଇ ପୁଣି ଫେରାଇ ଦେଉଥିଲା। ଡେଲିଭରି ବଏଠାରୁ ଜିନିଷ ନେଇ ଟଙ୍କା ଆଣିବା ବାହାନାରେ ଘରକୁ ଯାଉଥିଲା। ମାତ୍ର ୧୦ ମିନିଟରେ କମ୍ପାନି ପ୍ୟାକିଂକୁ କାଟି ଜିନିଷ ବାହାର କରି ସେଥିରେ ଇଟା ପଥର, କୁଟା ପୂରାଇ ପ୍ୟାକ୍‌ କରୁଥିଲା। ଏଭଳି ପ୍ୟାକ୍‌ କରୁଥିଲା ଯେ ଡେଲିଭରି ବଏ ବି ଜାଣି ପାରୁନଥିଲା। ଫେରାଇ ଦେବା ପରେ ଡେଲିଭରି ବଏ ଭଲ ଜିନିଷ ଦେଇ ଇଟା କାଠି, କୁଟା ଆଣି ଫେରୁଥିଲା। ଡେଲିଭରି ବଏ ଦେଖିପାରୁନଥିବାରୁ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିଲା। ଏଣେ ମାଗଣାରେ ଆଣୁଥିବା ଦାମୀ ଜିନିଷକୁ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା ଠକ। ତା’ ପାଖରେ ଦାମୀ ଜିନିଷ କମ୍‌ ଦରରେ ନେବାକୁ ଭିଡ଼ ଜମୁଥିଲା। ବିଭିନ୍ନ ଅନ୍‌ଲାଇନ ସଂସ୍ଥା ଠକାମିରେ ପଡ଼ିବା ପରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମଞ୍ଚେଶ୍ୱର ଥାନା ପୁଲିସ ଏହି ଧୂର୍ତ୍ତକୁ ଧରିଛି। ସେ ହେଉଛି ରସୁଲଗଡ଼ ଶବର ସାହିରେ ରହୁଥିବା କେନ୍ଦ୍ରାପଡ଼ା କଣ୍ଟିଆର ଧର୍ମେନ୍ଦ୍ର କୁମାର ଜେନା। ତା’ ଠାରୁ ଗୋଟିଏ ବ୍ରାଣ୍ଡେଡ୍‌ ଲାପ୍‌ଟପ୍‌, ଗୋଟିଏ ଆଇ ଫୋନ୍‌, ରେ’ ବ୍ୟାନ ଚଷମା, ଲୁଇସ ଫିଲିପ୍‌ର ସୁଟ୍‌ ଜବତ କରା ଯାଇଛି। ଫ୍ଲିପ୍‌କାର୍ଟର ଭୁବନେଶ୍ୱର ମୁଖ୍ୟ ପ୍ରଶାନ୍ତ ଦଳେଇଙ୍କ ଅଭିଯୋଗକୁ ଆଧାର କରି ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁ କରିଥିଲା।

ସୂଚନା ମୁତାବକ, ଦୀର୍ଘ ବର୍ଷେ ହେବ ଧର୍ମେନ୍ଦ୍ର ଏଠାରେ ଚାକିରୀ ଖୋଜିବା ଆଳରେ ରହି ଆସୁଥିଲା। ଲକ୍‌ଡାଉନ ପରେ ଅନ୍‌ଲାଇନ କାରବାର ବଢ଼ିବାରୁ ସେ ଏଭଳି ଠକେଇ ପାଇଁ ଯୋଜନା କରିଥିଲା। ପ୍ରଥମେ ଏକ ମୋବାଇଲ ମଗାଇ ଠକିବାକୁ ସଫଳ ହୋଇଥିଲା। ଏହାପରେ ସେ ବିଭିନ୍ନ ସଂସ୍ଥାକୁ ଟାର୍ଗେଟ କରି ଏଭଳି ଠକେଇ ଚଳାଇ କରିଥିଲା। ଫ୍ଲିପ୍‌କାର୍ଟ ଠକେଇରେ ପଡ଼ିବା ପରେ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଗତକାଲି ତାକୁ ଗିରଫ କରିଛି। ଯେଉଁମାନେ ତା’ ଠାରୁ ଜିନିଷ କିଣିଛନ୍ତି ଏବେ ପୁଲିସ ସେମାନଙ୍କୁ ଖୋଜୁଛି। ଅନ୍ୟପଟେ ଆଉ କେତେକ ଅନ୍‌ଲାଇନ ମାଲ୍‌ ଯୋଗାଉଥିବା ସଂସ୍ଥାଙ୍କୁ ମଧ୍ୟ ଠକିଥିବାରୁ ଅଭିଯୋଗର ସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର