ଭୁବନେଶ୍ବର : କବାଟ ଭାଙ୍ଗି ଘରେ ପଶିବା ସହ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସତ୍ୟ ବିହାରର ରାଜେନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ଉପରେ ରାଜେନ୍ଦ୍ର କୁଦୃ‌ଷ୍ଟି ପକାଇଥିଲା। ଗତକାଲି ରାତିରେ ଘରେ କେହି ନଥିବା ସୁଯୋଗରେ ସେ କବାଟ ଭାଙ୍ଗି ଘରେ ପଶି ମହିଳାଙ୍କୁ ଅସଦାଚରଣ କରିଥିଲା।

Advertisment

ବଡ଼ଭାଇକୁ ହତ୍ୟା ଉଦ୍ୟମ, ସାନ ଭାଇ ଗିରଫ
ଭୁବନେଶ୍ବର : ହୋଟେଲ ମାଲିକାନାକୁ ନେଇ ବିବାଦରୁ ବଡ଼ ଭାଇକୁ ହତ୍ୟା ଉଦ୍ୟମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ସାନ ଭାଇକୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ରସୁଲଗଡ଼ ଅଞ୍ଚଳର ଲିଙ୍ଗରାଜ ଛୋଟରାୟ। ଅନ୍ୟତମ ଭାଇ ରଞ୍ଜନ ଛୋଟରାୟ ଓ ସହଯୋଗୀ ପିଣ୍ଟୁ ବେହେରା ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଖୋଜୁଛି। ଆକ୍ରମଣରେ ଗୁରୁତର ଆହତ ବଡ଼ ଭାଇ ଭାଗୀରଥିଙ୍କ ଅଭିଯୋଗ ମୁତାବକ, ଜିଜିପି କେନାଲ ରୋଡ୍‌‌ରେ ତାଙ୍କର ଏକ ହୋଟେଲ ରହିଛି। ଏହି ହୋଟେଲ ଓ ହୋଟେଲ ଥିବା ଜାଗାର ମାଲିକାନାକୁ ନେଇ ଭାଇମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶନିବାର ରାତିରେ ଭାଗୀରଥି ଘରକୁ ଫେରିବା ବେଳେ ବ୍ରହ୍ମେଶ୍ବର ମନ୍ଦିର ନିକଟରେ ସାନ ଭାଇ ରଞ୍ଜନ, ଲିଙ୍ଗରାଜ ଓ ପିଣ୍ଟୁ ତାଙ୍କୁ ଅଟକାଇଥିଲେ। ଭାଗୀରଥି ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ସେମାନେ ତାଙ୍କୁ ଠେଲି ଦେବା ସହ ଏକ ଧାରୁଆ ଅସ୍ତ୍ର‌‌ରେ ଆକ୍ରମଣ କରିଥିଲେ। ଏଥିରେ ଭାଗୀରଥିଙ୍କ କାନ ଓ ଶରୀରର ବିଭିନ୍ନ ଅଂଶରେ କ୍ଷତ ହୋଇଥିଲା। ସେ ଚିତ୍କାର କରିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାଚ ବୋତଲରେ ଯୁବକଙ୍କୁ ଆକ୍ରମଣ, ଜଣେ ଅଟକ
ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତ ଲାଲ୍‌ଚାନ୍ଦ ଜୁଏଲର୍ସ ସମ୍ମୁଖରେ ଜଣେ ଯୁବକଙ୍କୁ କାଚ ବୋତଲରେ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣକୁ ଅଟକ ରଖିଛି। ପୁଲିସ ସୂଚନା ମୁତାବକ, ଲାଲଚାନ୍ଦ ଜୁଏଲର୍ସ ସାମ୍ନା ପାର୍କିଂ ସ୍ଥାନରେ ରାଜୁ ଗିରି ନାମକ ଜଣେ ଯୁବକ ପାର୍କିଂ ଫି’ ଆଦାୟ କରନ୍ତି। ଆଜି ସେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଜଣେ ବନ୍ଧୁ କାଳୁ ସେଠାକୁ ଆସିଥିଲେ। କିଛି ସମୟ କଥାବାର୍ତ୍ତା ହେବା ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କାଳୁ ରାଗିଯାଇ ସେଠାରେ ପଡ଼ିଥିବା ଏକ କାଚ ବୋତଲ ଭାଙ୍ଗି ରାଜୁଙ୍କୁ ଆକ୍ରମଣ କରିଥିଲେ। ରାଜୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ କାଳୁକୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗୁରୁତର ରାଜୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇବା ସହ କାଳୁଙ୍କୁ ଅଟକ ରଖି ପଚରାଉଚରା କରୁଛି।