ଅଟୋ ଚାଳକକୁ ମାଡ଼, ଯୁବକ ଗିରଫ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ପୁରୀ ବାଇପାସ୍‌ ନିକଟରେ ଜଣେ ଅଟୋ ଚାଳକକୁ ମାଡ଼ ମାରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ମଞ୍ଚେଶ୍ବରର ଭାସିଆ ରାଉତକୁ ଗିରଫ କରିଛି। ଆହତ ଅଟୋ ଚାଳକ ହେଉଛନ୍ତି, ନହରକଣ୍ଟା ଭୋଇସାହିର ନିରଞ୍ଜନ ଭୋଇ। ଅଟୋ ଭଡ଼ାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଏକ ବାଉଁଶରେ ଭାସିଆ ନିରଞ୍ଜନଙ୍କୁ ପିଟି ଦେଇଥିବା ନିରଞ୍ଜନ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ନିଶା ବିସ୍କୁଟ୍‌ ଦେଇ ଲୁଟିଲେ

ଖଣ୍ଡଗିରି : ରବିବାର ରାତିରେ ନିଶା ବିସ୍କୁଟ୍‌ ଦେଇ ଲୁଟେରାମାନେ ୨ ଜଣଙ୍କୁ ଲୁଟ୍‌ କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି। ଲୁଟ୍‌ର ଶିକାର ଯୁବକମାନେ ହେଲେ, ମୟୂରଭଞ୍ଜ ଜିଲ୍ଲା ମୁରୁଣ୍ଡି ଗାଁର ଦୁର୍ଗାଚରଣ ହେମ୍ବ୍ରମଙ୍କ ପୁଅ ଅଜୟ ଓ ଗଞ୍ଜାମ ଜିଲ୍ଲା ତିରିସିଂ ଥାନା ଅଞ୍ଚଳର କାଳୁ ନାଏକଙ୍କ ପୁଅ ମିଥୁନ୍‌। ସୋମବାର ସକାଳୁ କମିସନରେଟ୍‌ ପୁଲିସ ଉଭୟଙ୍କୁ ଉଦ୍ଧାର କରି କ୍ୟ‌ାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଅଜୟଙ୍କଠାରୁ ମୋବାଇଲ୍ ଫୋନ୍‌ ସହ ୫ହଜାର ଟଙ୍କା ଓ ମିଥୁନ୍‌ଙ୍କଠାରୁ ମୋବାଇଲ୍ ଓ ୩ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। ମିଥୁନ୍‌ଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ନିଶାଦିଆ ଲୁଟେରାମାନେ ଫିଙ୍ଗି ଦେଇଥିବା ବେଳେ ଅଜୟଙ୍କୁ ମାଉସୀ ମା’ ମନ୍ଦିର ଛକରୁ ପୁଲିସ ଉଦ୍ଧାର କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିବାବେଳେ ସ୍ବେଚ୍ଛାସେବୀ ସଂଗଠନ ସହାୟ ପକ୍ଷରୁ ସେମାନଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର