ଘର ମାଲିକ ସହ ଗଣ୍ଡଗୋଳ କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଘର ମାଲିକ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ମାନସ କୁମାର ବେହେରା(୩୧) ନାମକ ଯୁବକକୁ ଆଜି ପୁଲିସ ଗିରଫ କରିଛି। ତା’ଘର ନୟାଗଡ଼ ଜିଲ୍ଲାରେ। ସେ ଡମଣା ରାଧାକୃଷ୍ଣ ନଗରରେ ଦୁର୍ଯ୍ୟୋଧନ ରାଉତଙ୍କ ଘରେ ରହୁଥିଲା। ମାଲିକଙ୍କ ଘର ଛାଡ଼ିବା ବେଳେ ମାନସ ବିଦ୍ୟୁତ ବିଲ୍ ପଇଠ ନକରି ଚାଲିଯିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ମାନସ ଘର ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଦୁର୍ଯ୍ୟୋଧନ ଥାନାରେ ଅଭିଯୋଗ କରିଥିଲେ।

ଚୋରା ଗାଡ଼ି ଜବତ, ଯୁବକ ଗିରଫ
ଭୁବନେଶ୍ୱର : ଦୁଇଦିନ ତଳେ ଚୋରି ହୋଇଥିବା ଏକ ଗାଡ଼ିକୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଅଭିଯୁକ୍ତ ହେଉଛି ୟୁନିଟ୍‌-୬ ରାଧାକୃଷ୍ଣ ବସ୍ତିର ଚନ୍ଦନ ନାୟକ। ଗତ ୧୯ ତାରିଖ ଅପରାହ୍‌ଣରେ ସୂର୍ଯ୍ୟନଗର ୧୨୧ନମ୍ବର ପ୍ଲଟରେ ରହୁଥିବା ସୁଭାଗ ବର୍ମନଙ୍କ ଗାଡ଼ି ଚୋରି ହୋଇଥିଲା। ଘର ବାହାରେ ରଖାଯାଇଥିବା ବେଳେ କେହି ନେଇ ଯାଇଥିବା ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସ ରାଧାକୃଷ୍ଣ ବସ୍ତିରେ ଚଢ଼ଉ କରି ଗାଡ଼ିକୁ ଜବତ କରିଛି।

ଫେରାର୍‌ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଆଖଣ୍ଡଳମଣି ବସ୍ତିର ଫେରାର୍‌ ଅଭିଯୁକ୍ତ ରାଜା ନାୟକକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ। ସୂଚନା ମୁତାବକ, ଆଇଆଇଏମ୍‌ଟି କ୍ୟାମ୍ପସରେ ରହୁଥିବା ଗୌରାଙ୍ଗ ପାଢ଼ୀଙ୍କ ଘରୁ ଗତ ମାସ ୨୪ ତାରିଖରେ ଏକ ୱାସିଂ ମେସିନ୍ ଚୋରି ହୋଇଥିଲା। ଏନେଇ ଶ୍ରୀ ପାଢ଼ୀ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ଚୋରି ମାମଲା ରୁଜୁ କରି ପ୍ରଥମେ ଦୁଇଜଣଙ୍କୁ ଗିରଫ କରିବା ସହ ୱାସିଂ ମେସିନ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ରାଜା ଫେରାର୍ ଥିଲା। ଗତକାଲି ରାତିରେ ପୁଲିସ ରାଜାକୁ ଗିରଫ କରିଛି।

ସମ୍ବନ୍ଧିତ ଖବର