ବରିଷ୍ଠ ନାଗରିକଙ୍କୁ ବ୍ଲାକ୍‌ମେଲ୍‌, ଯୁବକ ଗିରଫ

ଖଣ୍ଡଗିରି : ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସରଳତାର ସୁଯୋଗରେ ବ୍ଲାକମେଲିଂ କରି ତାଙ୍କଠାରୁ ୨୫ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ବାଦଲ ସାହୁ(୨୫କୁ ଗିରଫ କରିଛି। ବାଦଲର ଘର ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅଞ୍ଚଳରେ। ରବିବାର ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତା’କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ବାଦଲ ସହ ଥିବା ଜଣେ ମହିଳା ତା’ ସ୍ତ୍ରୀ ନା ଦେହଜୀବୀ ସ୍ପଷ୍ଟ ହୋଇନାହିଁ।

ସୂଚନାନୁସାରେ ବନ ବିଭାଗରୁ ଅବସର ନେଇଥିବା ମଦନମୋହନ ମିଶ୍ର ବରମୁଣ୍ଡା ଅଞ୍ଚଳରେ ଏକ ଫଳ ଦୋକାନ କରିଛନ୍ତି। ବାଦଲ ଅନେକଥର ତାଙ୍କଠାରୁ ଫଳ କିଣିବା ଭିତରେ ସମ୍ପର୍କ ବଢ଼ାଇଥିଲା। ଗତ ୭ ତାରିଖ ରାତିରେ ହଠାତ୍ ବାଦଲ ଜଣେ ମହିଳାଙ୍କୁ ନେଇ ତାଙ୍କ ପାଖରେ ପହଞ୍ଚିଥିଲା ଓ ତା’ ସ୍ତ୍ରୀ ବୋଲି ପରିଚୟ କରାଇଥିଲା। ସମୟ ହୋଇଯାଇଥିବାରୁ ଶ୍ରୀ ମିଶ୍ର ଦୋକାନ ବନ୍ଦ କରିଥିଲେ ଓ ବାଦଲର ଅନୁରୋଧ କ୍ରମେ ବାଇକ୍‌ରେ ସେମାନଙ୍କୁ ଖଣ୍ଡଗିରି ଛକରେ ଛାଡ଼ିବାକୁ ବାହାରିଥିଲେ। ତେବେ ବରମୁଣ୍ଡା ଓଭରବ୍ରିଜ୍ ପାର୍ ହେଉ ହେଉ ନିଛାଟିଆ ସ୍ଥାନ ଦେଖି ବାଦଲ ତା’ ସ୍ତ୍ରୀକୁ ଅସଦାଚରଣ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଚିତ୍କାର କରିବାକୁ ଧମକ ଦେଲା। ଶ୍ରୀ ମିଶ୍ର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେଣୁ ଲୋକଲଜ୍ଜା ଭୟରେ ସେ ବାଦଲର ନିର୍ଦେଶ ଅନୁସାରେ ଖୋର୍ଧା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବାଦଲ ତାଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲା। ଶ୍ରୀ ମିଶ୍ର ନିଜ ଆକାଉଣ୍ଟରୁ ବାଦଲ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଟ୍ରାନ୍‌ସଫର କରି କାନମୁଣ୍ଡା ଆଉଁସି ଫେରିଥିଲେ। ତେବେ କଥା ଏତିକିରେ ଅଟକି ନଥିଲା। ପରେ ୧୨ ଓ ୧୪ ତାରିଖରେ ବାଦଲ ପୁଣି ସେମିତି ବ୍ଲାକ‌ମ‌େଲିଂ କରି ୧୦ ଓ ୫ ହଜାର ଟଙ୍କା ନେଇଥିଲା। ପୁଣି ୧୬ ତାରିଖରେ ସେ ଏକାଥରକ‌େ ୨୫ ହଜାର ଟଙ୍କା ଦାବି କରିବା ପରେ ଶ୍ରୀ ମିଶ୍ର ପୁଅମାନଙ୍କୁ ଜଣାଇଥିଲେ। ପରେ ମାମଲା ଖଣ୍ଡଗିରି ଥାନା ପୁଲିସ ପର୍ଯ୍ୟନ୍ତ ଯାଇଥିଲା।

ସମ୍ବନ୍ଧିତ ଖବର