ସୁନା ଗହଣା ଲୁଟ୍‌ ମାମଲାରେ ଜେଲ ଗଲା ଯୁବକ

ଏମ୍‌ସରୁ ଚୋରି ଅଭିଯୋଗ‌ରେ ଯୁବକ ଗିରଫ, ଜୁଆ ଆଡ଼ା ଉପରେ ଚଢ଼ାଉ, ୩ ଜୁଆଡ଼ି ଗିରଫ, ଟଙ୍କା ଜବତ

ଧଉଳି : ସହକର୍ମୀଙ୍କ ଭ୍ୟାନିଟିରୁ ସୁନା ଗହଣା ଲୁଟି ନେବା ମାମଲାରେ ଧଉଳି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଜଗତସିଂହପୁର ଥାନା ଅଧୀନ ଖାଲ ଗାଁର ସମୀର ବାରିକ (୩୨)। କୋର୍ଟରେ ସମୀରର ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ସମୀରଙ୍କ ସହ ଏକ ବିଉଟି ପାର୍ଲରରେ କାମ କରୁଥିବା ନର୍ମଦା ଜେନା ନାମ୍ନୀ ଜଣେ ମହିଳା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ମଦାଙ୍କ ଅଭିଯୋଗକୁ ଭିତ୍ତିକରି ‌କେସ୍‌ ନଂ. ୧୫୪/୧୯ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ମୁତାବକ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ାରେ ରହୁଥିବା ସମୀର ଭୁବନେଶ୍ବରରେ ଥିବା ଏକ ବିଉଟି ପାର୍ଲରରେ ନର୍ମଦାଙ୍କ ସହିତ କାମ କରୁଥିଲା। ଗତ ୭ ତାରିଖରେ ଦୁହେଁ ରାଜମହଲ ଅଞ୍ଚଳରେ ଥିବା ଏକ ହୋଟେଲକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ନର୍ମଦା ଭ୍ୟାନିଟି ରଖି ହାତ ଧୋଇବାକୁ ଯିବା ସମୟରେ ସମୀର ସେଥିରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ଏମ୍‌ସରୁ ଚୋରି ଅଭିଯୋଗ‌ରେ ଯୁବକ ଗିରଫ
ଖଣ୍ଡଗିରି : ରବିବାର ରାତିରେ ଭୁବନେଶ୍ବର ଏମ୍‌ସର ନିର୍ମାଣାଧୀନ କୋଠରୀମାନଙ୍କରୁ ସାନିଟାରି ଫିଟିଙ୍ଗ୍‌ସ ଚୋରି କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସୋରପୁର ଗାଁର ବିକାଶ ରଂଜନ ଭଂଜ ଓରଫ ଚଗଲା(୨୬)। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଗତକାଲି ରାତି ପ୍ରାୟ ୧୧ଟାବେଳେ ଚଗଲା ଏକ ବ୍ୟାଗ୍‌ ଧରି ଏମ୍‌ସର ୩ୟ ମହଲାରେ ସନ୍ଦେହଜନକ ଭାବେ ଘୁରି ବୁଲୁଥିଲା। ସୁରକ୍ଷାକର୍ମୀମାନେ ତା’ ଉପରେ ସନ୍ଦେହ କରି ଅଟକାଇ ଥିଲେ ଓ ତା’ ବ୍ୟାଗ୍‌ ଯାଞ୍ଚ କରିଥିଲେ। ବ୍ୟାଗ୍‌ ଭିତରେ ୧୦ଟି ନୂଆ ପାଣି ଟ୍ୟାପ୍‌ ଥିଲା। ସୁରକ୍ଷାକର୍ମୀଙ୍କଠାରୁ ବହେ ଛେଚା ଖାଇବା ପରେ ଚଗଲା ଚୋରି କରିଥିବା ମାନି ଯାଇଥିଲା। ଚଗଲା ଏମ୍‌ସ ବାହାରେ ଏକ ହୋ‌ଟେଲରେ କାମ କରୁଥିବାରୁ ବହୁ ରୋଗୀ ସମ୍ପର୍କୀୟମାନଙ୍କ ସହ ପରିଚିତ ହୋଇଥାଏ। ରାତିରେ ହୋଟେଲ ବନ୍ଦ ହେବା ପରେ ସେ ରୋଗୀ ସମ୍ପର୍କୀୟମାନଙ୍କ ସହ ହସ୍ପିଟାଲ ଭିତରକୁ ଯାଇ ଏଭଳି ଚୋରି କରିଥାଏ।

ଜୁଆ ଆଡ଼ା ଉପରେ ଚଢ଼ାଉ, ୩ ଜୁଆଡ଼ି ଗିରଫ, ଟଙ୍କା ଜବତ
ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ରେଲୱେ ଷ୍ଟେସନ୍‌ ଫୁଟ୍‌ପାଥ ଉପରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଖାରବେଳନଗର ଥାନା ପୁଲିସ ଚଢ଼ଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ, ମସ୍‌ଜିଦ୍‌ କଲୋନିର ସେକ୍‌ କରିମ୍‌(୪୦), ଅନୱର ମଲ୍ଲିକ(୩୨) ଓ ଏନ୍‌ଏସି କଲୋନିର ଏସ୍‌କେ ବାବୁଲି(୪୧)। ପୁଲିସ ସେମାନଙ୍କଠାରୁ ୧୩ଶହ ଟଙ୍କା ଜବତ କରିଛି। ପୁଲିସ ସୂଚନା ମୁତାବକ, ସୋମବାର ଭୋର ପ୍ରାୟ ସାଢ଼େ ୫ଟାରେ ରେଳଷ୍ଟେସନ୍‌ ନିକଟରେ ଜୁଆ ଆଡ଼ା ଚାଲିଥିବା ଖବର ପାଇ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଜୁଆଡ଼ିମାନେ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ ହେଁ ୩ଜଣଙ୍କୁ ପୁଲିସ କାବୁ କରିନେଇଥିଲା। ହେଲେ ୨ ଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର