ଖଣ୍ଡଗିରି : ନିଜ ସାଙ୍ଗ ପକେଟ୍ରୁ ପର୍ସ ଓ ଏଟିଏମ୍ କାର୍ଡ ଚୋରି କରିବା ଓ ଏଟିଏମ୍ କାର୍ଡରୁ ୭୦ ହଜାର ଟଙ୍କା ଉଠାଇନେବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏହି ଶଠ ସାଙ୍ଗ ତଥା ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ପୁରୁଣାବସନ୍ତ ଗାଁର ସ୍କୃତିରଞ୍ଜନ ସାହୁ ଓରଫ୍ ସୋନୁ(୧୯)। ପୁଲିସ ତା’ ନିକଟରୁ ୭୦ ହଜାର ଟଙ୍କା, ସାଙ୍ଗର ପର୍ସ ଓ ଏଟିଏମ୍ କାର୍ଡ ଜବତ କରିଛି।
ପୁଲିସ ସୂଚନାନୁସାରେ ନିମାପଡ଼ାର ପ୍ରଦୀପ ସ୍ବାଇଁ ଓ ଅଭିଯୁକ୍ତ ସୋନୁ ଏକାଠି ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଘର ଭଡ଼ା ନେଇ ଜଗମୋହନନଗରରେ ରହୁଥିଲେ। ଦୁଇ ଜଣଙ୍କ ଭିତରେ ଭଲ ବନ୍ଧୁତା ଥିଲା। ମାତ୍ର ସୋନୁ ଥିଲା ବଡ଼ ଶଠ। ଗତ ମାସ ୧୨ ତାରିଖରେ ପ୍ରଦୀପ ପକେଟ୍ରୁ ପର୍ସ ଚୋରି ହେଲା। ପର୍ସରେ ୭ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଥିଲା। ଏହାପରେ ସୋନୁ ଅନ୍ତର୍ଦ୍ଧାନ ହୋଇଗଲା। ଦୁଇ ତିନି ଦିନ ପରେ ପ୍ରଦୀପ ଏଟିଏମ୍ରୁ ପର୍ଯ୍ୟାୟକ୍ରମେ ୭୦ ହଜାର ଟଙ୍କା ଉଠା ଯାଇଥିଲା। ସୋନୁକୁ ପାସ୍ୱାର୍ଡ ଜଣାଥିବାରୁ ସେ ଅନାୟାସରେ ଟଙ୍କା ଉଠାଇ ନେଇଥିଲା।
୨୦ ବନ୍ଜାରା ଅଟକ
ଭୁବନେଶ୍ବର : ବିଭିନ୍ନ ଛକରେ ଛିଡ଼ା ହୋଇ ଯାତ୍ରୀଙ୍କୁ ହଇରାଣ କରିବା ଓ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ୨୦ ବନ୍ଜାରା(ବୁଲା ବିକାଳି)ଙ୍କୁ ସହିଦ ନଗର ଥାନା ପୁଲିସ ଅଟକ ରଖିଛି। ରୁପାଲି ଛକରେ ଏମାନଙ୍କ ଉତ୍ପାତ ଯାତ୍ରୀଙ୍କୁ ଅଡୁଆରେ ପକାଉଛି। ଗ୍ରିନ୍ ସିଗ୍ନାଲ ଥିବା ବେଳେ ଯାତ୍ରୀଙ୍କୁ ଭିଡ଼ି ଧରିବା, କଲମ ବିକ୍ରି କରିବା ଆଳରେ ଯାତ୍ରୀଙ୍କୁ ହଇରାଣ କରିବା ପ୍ରଭୃତି ଅଭିଯୋଗ ହେବାରୁ ସେମାନଙ୍କୁ ପୁଲିସ ଉଠାଇ ଆଣିଛି। ଏହି ଗୋଷ୍ଠୀ ସହ ଛୋଟ ଛୋଟ ପିଲା ରହୁଥିବାରୁ ଗ୍ରିନ୍ ସିଗ୍ନାଲ ମିଳିବା ପରେ ଦୁର୍ଘଟଣାର ଆଶଙ୍କା ରହିଛି।