ସ୍କୁଟି ଚୋରି ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ଏକ ହୋଟେଲ୍‌ ସମ୍ମୁଖରୁ ସ୍କୁଟି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଉଛି ନରେଶ ପ୍ରଧାନ ଓରଫ ଲିପୁ। ଗତ ୫ତାରିଖରେ ଅଭିଯୋଗକାରୀ ଜ୍ୟୋତିର୍ମୟୀ ଜେନା ହୋଟେଲ୍‌କୁ ଯାଇଥିବା ବେଳେ ଲିପୁ ତାଙ୍କ ସ୍କୁଟି ଚୋରି କରି ଫେରାର ହୋଇଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଲିପୁକୁ ଗିରଫ କରିଛି। ସୂଚନାଯୋଗ୍ୟ, ଲିପୁ ନାଁରେ ବିଭିନ୍ନ ଥାନରେ ୩ରୁ ଅଧିକ ଚୋରି, ଛିନ୍‌ତାଇ ମାମଲା ରହିଛି।

ମୋବାଇଲ୍ ଓ ଟଙ୍କା ଲୁଟିନେବା ଅଭିଯୋଗରେ ଜଣେ ଗିରଫ
ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଜଣେ ଯୁବକଙ୍କ ପକେଟ୍ କାଟି ମୋବାଇଲ୍ ଓ ହଜାରେ ଟଙ୍କା ଲୁଟିନେବା ଅଭିଯୋଗରେ ଭରତପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଫୁଲେଶ୍ବରୀ ବସ୍ତିର ମାଧବ ମଲ୍ଲିକ। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ବସ୍‌ ପାଇଁ ଅପେକ୍ଷା କରିଥିବା ପ୍ରଦୀପ ପ୍ରଧାନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ମାଧବ ତାଙ୍କ ପକେଟ୍ କାଟି ମୋବାଇଲ୍ ଓ ଟଙ୍କା ଲୁଟିନେଇଥିଲା।

ରେଳ ଷ୍ଟେସନରୁ ୨ ଗଞ୍ଜେଇ ବେପାରୀ ଗିରଫ
ଭୁବନେଶ୍ବର : ସୋମବାର ବିଳମ୍ବିତ ରାତିରେ ଆର୍‌ପିଏଫ୍ ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନରୁ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଗଞ୍ଜାମର ଚିରଞ୍ଜୀବ ନାହାକ ଓ ଉତ୍ତରପ୍ରଦେଶ ଅଯୋଧ୍ୟାର ଭୂପେନ୍ଦର ପାଣ୍ଡେ। ସେମାନଙ୍କଠାରୁ ଜବତ ମାଲ୍‌ର ବଜାର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। କନ୍ଧମାଳରୁ ଆସିଥିବା ଏହି ଗଞ୍ଜେଇ ଆହ୍ଲାବାଦ ଚାଲାଣ କରିବା ପାଇଁ ଅଭିଯୁକ୍ତ ଦ୍ବୟ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଅପେକ୍ଷା କରିଥିବା ବେଳେ ଜିଆର୍‌ପି ସେମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର