ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଷ୍ଟୋର୍ରୁ ଚୋରି କରିବା ଅଭିଯୋଗରେ ତାରିଣୀ ବସ୍ତିର କୁନା ନାୟକକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ଠାରୁ ସାଲାଇନ୍ ଷ୍ଟାଣ୍ଡ ସହ କେତେକ ସ୍କ୍ରାପ୍ ଜବତ କରାଯାଇଛି। ଏହି ସବୁ ଜିନିଷ ଚୋରି ହୋଇଥିବା ନେଇ ଦୁଇଦିନ ତଳେ ହସ୍ପିଟାଲର ଷ୍ଟୋର ଦାୟିତ୍ବରେ ଥିବା ପ୍ରଭାତୀ କୁମାରୀ ମହାନ୍ତି ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା।
ମାଡ଼ ମାରି ଟଙ୍କା ଛଡ଼ାଇ ନେବା ଅଭିଯୋଗରେ ଯୁବକ ଗିରଫ
ଭୁବନେଶ୍ୱର : ମାଡ଼ ମାରି ଟଙ୍କା ଛଡ଼ାଇ ନେବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ବେହେରା ସାହିର ରଙ୍କନିଧି ବେହେରାକୁ ଗିରଫ କରିଛି। ଗତ ସନ୍ଧ୍ୟାରେ ରେଣ୍ଟାଲ କଲୋନିର ଦୁର୍ଗାପ୍ରସାଦ ନାୟକ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ରଙ୍କନିଧି ଏକ ବାଇକ୍ରେ ପହଞ୍ଚି ତାଙ୍କ ନିକଟରୁ ୫ଶହ ଟଙ୍କା ଛଡ଼ାଇ ନେଇଥିଲା। ଦୁର୍ଗା ପ୍ରତିବାଦ କରିବାରୁ ରଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସେହି ଅଞ୍ଚଳରେ ରଙ୍କ ଏଭଳି ଛିନ୍ତାଇ କରୁଥିବା ପୂର୍ବରୁ ପୁଲିସ ପାଖରେ ଅଭିଯୋଗ ରହିଥିଲା।