ବାଲିଅନ୍ତା : ଲୁଟେରା ସନ୍ଦେହରେ ମାଡ଼ ମାରି ଚେତା ହଜାଇଦେଲେ

ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ପାଉଥିବାରୁ ଲୋକେ ଯେତିକି ଆତଙ୍କିତ ସେତିକି କ୍ରୋଧିତ ହୋଇ ପଡ଼ିଛନ୍ତି। ତେଣୁ ବେଳେବେଳେ ଲୁଟେରା ସନ୍ଦିଗ୍ଧକୁ ଉତ୍ତ୍ୟକ୍ତ ଲୋକେ ବହେ ଛେଚି ପକାଉଛନ୍ତି। ଆଜି ସନ୍ଧ୍ୟାରେ ବାଳକାଟି ସାପ୍ତାହିକ ହାଟରେ ଏଭଳି ଏକ ଘଟଣା ଘଟିଛି। ହାଟ ଗହଳି ଭିତରେ ମୋବାଇଲ୍‌ ଫୋନ ଲୁଟ୍‌ କରୁଥିବା ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକକୁ ନିର୍ଧୁମ ଛେଚିଛନ୍ତି। ଲୋକେ ଏମିତି ମାଡ଼ ମାରିଥିଲେ ଯେ ଯୁବକ ଜଣକ ଚେତା ହରାଇଥିଲେ। ସନ୍ଦିଗ୍ଧ ଯୁବକଜଣକ ରସୁଲଗଡ଼ ଅଞ୍ଚଳର ବିକି ବୋଲି ଜଣାପଡ଼ିଛି। ଲୋକଙ୍କ ମାଡ଼ରେ ତା’ର ମୁହଁ, ହାତ ଓ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଛି।

ଖବର ପାଇ ବାଳକାଟି ଫାଣ୍ଡି ପୁଲିସ୍‌ ବିକିକୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ବିକି ସଂଜ୍ଞାହୀନ ହେବା ପରେ ମାଡ଼ ମାରିଥିବା ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏମିତିକି ବିକି ଯାହା ମୋବାଇଲ୍‌ ଝାମ୍ପିବାକୁ ଉଦ୍ୟମ କରିଥିଲା, ସେ ମଧ୍ୟ ଘଟଣାସ୍ଥଳ‌ରେ ନଥିଲେ। ଫାଣ୍ଡି ଅଧିକାରୀ ମମ୍‌ତାଜ ଅଲ୍ଲୀଙ୍କ ସୂଚନା ମୁତାବକ, କୌଣସି ବ୍ୟକ୍ତି ବିକି ନାଁରେ ଲୁଟ୍‌ ବାବଦରେ ଅଭିଯୋଗ କରିନାହାନ୍ତି। ତେଣୁ ମାମଲା ରୁଜୁ ହୋଇନାହିଁ। କିନ୍ତୁ ବିକି ବାବଦରେ ଛାନ୍‌ଭିନ୍ ଚାଲିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ହାଟରୁ ପରିବା କିଣୁଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ କେହି ଲୁଟି ନେବାକୁ ଉଦ୍ୟମ କରିଥିଲା। ସେ ପାଟି କରିବାରୁ ଲୋକେ ହୋ-ହଲ୍ଲା କରି ଲୁଟେରାକୁ ଖୋଜିଥିଲେ ଓ ସନ୍ଦେହରେ ବିକିକୁ କାବୁ କରି ନେଇଥିଲେ।

ଜେଲ୍‌ ଗଲେ ଦୁଇ ଲୁଟେରା
ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ପାଣିଉଠା ମଟର ଓ ଗାଡ଼ି ବ୍ୟାଟେରି ଚୋରି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଲୁଟେରାଦ୍ବୟ ହେଲେ, ଉକ୍ତ ଥାନା ଭିଙ୍ଗାରପୁର ଅଞ୍ଚଳର ଅଭିମନ୍ୟୁ ନାୟକ(୩୫) ଓ ଅଭୟ ଭୋଇ(୨୧)। ଉଭୟଙ୍କ ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ଏନେଇ ବାଲିଅନ୍ତା ଥାନାରେ ନଂ ୨୨୧/୨୦ ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର