ଯୁବ ବ୍ୟବସାୟୀଙ୍କ ରହସ୍ୟଜନକ ମୃତ୍ୟୁ; ଚଟାଣରେ ପଡ଼ିଥିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାପା ଓ ଭାଇ ଆଣିଲେ ହତ୍ୟା ଅଭିଯୋଗ

ଚନ୍ଦ୍ରଶେଖରପୁର : ଅନ୍‌ଲାଇନ୍ ଟ୍ରେଡିଂ, ସେୟାର ବଜାର ଓ ଷ୍ଟକ୍ ଏକ୍‌ସଚେଞ୍ଜ ଜରିଆରେ ବ୍ୟବସାୟ କରୁଥିବା କଟକର ଜଣେ ଛାତ୍ର ତଥା ଯୁବ ବ୍ୟବସାୟୀଙ୍କ ମୃତଦେହକୁ ବୁଧବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ସ୍ଥାନୀୟ ଏକ ଓୟୋ ଗେଷ୍ଟ୍‌ହାଉସ୍‌ରୁ ଜବତ କରିଛି। ମୃତ ଯୁବକ ହେଲେ କଟକ ସଦର ଥାନା ଗୋପାଳପୁର ସିକୋରୁଆ ଗାଁର ଅଭିଷେକ ନାୟକ ଓରଫ ସୋନୁ (୨୦)। ପୁଲିସ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲେ ହେଁ ସୋନୁଙ୍କ ବାପା ଅମୁଲ୍ୟ ନାୟକ ଓ ବଡ଼ ଭାଇ ଅତୁଲ୍ୟ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରି‌ପୋର୍ଟ ମିଳିବା ପରେ ସୋନୁଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛି।

ପରିବାର ଲୋକଙ୍କ ସୂଚନାନୁସାରେ ସୋନୁ ଯୁକ୍ତ ୩ ବାଣିଜ୍ୟ ପଢ଼ୁଥିବା ଜଣେ ମେଧାବୀ ଛାତ୍ର ଥିଲେ। ପାଠପଢ଼ା ସହିତ ସେ ଅନ୍‌ଲାଇନ୍ ଟ୍ରେଡିଂ, ସେୟାର ବଜାରରେ ପୁଞ୍ଜି ବିନିଯୋଗ କରି ଭଲ ଆୟ କରୁଥିଲେ। ଏହି କାରବାରରେ ସେ ନିଜ ଅର୍ଥ ସହିତ ଅନ୍ୟ ଲୋକମାନଙ୍କ ଅର୍ଥ ବିନିଯୋଗ କରୁଥିଲେ। ଯାହାଠାରୁ ପୁଞ୍ଜି ସଂଗ୍ରହ କରୁଥିଲେ, ‌ସେମାନଙ୍କୁ ଲାଭାଂଶ ବାବଦ‌ରେ ଭଲ ପଇସା ମଧ୍ୟ ଦେଉଥିଲେ। ଭୁବନେଶ୍ବରର କିଛି ବନ୍ଧୁଙ୍କଠାରୁ ସେ ନିୟମିତ ଟଙ୍କା ନେଇ କାରବାରରେ ଲଗାଉଥିଲେ। ତେଣୁ ମଝିରେ ମଝିରେ ଭୁବନେଶ୍ବର ଆସି ସେ ସେମାନଙ୍କୁ ଭେଟୁଥିଲେ। ଗତ ୨୧ ତାରିଖ ଦିନ ସକାଳୁ ସେ ଭୁବନେଶ୍ବର ଯାଉଥିବା କହି ଘରୁ ବାହାରିଥିଲେ। କିନ୍ତୁ ପରେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଥିଲା। ପରଦିନ ସକାଳ ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ ନ କରିପାରିବାରୁ ସନ୍ଦେହ କରି କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ସୋନୁଙ୍କ ମୋବାଇଲ୍ ଫୋନ୍‌ ନମ୍ବର ଟ୍ରାକିଂ କରିବା ଆରମ୍ଭ କରିଥିଲା।

ଏଣେ ମଙ୍ଗଳବାର ରାତିରେ ଶୈଳଶ୍ରୀ ବିହାରସ୍ଥିତ ଏକ ଓ‌ୟୋ ଗେଷ୍ଟ୍‌ହାଉସ୍‌ରୁ ତାଙ୍କ ମୃତହେଦ ମିଳିଥିଲା। ଗେଷ୍ଟ୍‌ହାଉସ୍‌ କର୍ମଚାରୀ ତାଙ୍କ ବରାଦ ଖାଦ୍ୟ ନେଇ ରୁମ୍‌କୁ ଯାଇଥିଲେ। କିନ୍ତୁ ଭିତରୁ କବାଟ ବନ୍ଦ ଥିଲା ଓ କର୍ମଚାରୀ ଜଣକ ବହୁତ ଡାକିଥିଲେ ମଧ୍ୟ ସୋନୁ କବାଟ ଖୋଲିନଥିଲେ। ତେଣୁ ହୋଟେଲ୍ କର୍ମଚାରୀ ପୁଲିସ୍‌କୁ ଜଣାଇଥିଲେ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସେଠାରେ ପହଞ୍ଚି କବାଟ ଭାଙ୍ଗିବା ପରେ ମୃତଦେହ ଚଟାଣରେ ପଡ଼ିଥିବା ଦେଖିଥିଲେ। ମୃତଦେହରେ କୌଣସି କ୍ଷତ ଚିହ୍ନ ନ ଥିବାବେଳେ ଆତ୍ମହତ୍ୟା କଲାଭଳି କୌଣସି ଚିହ୍ନବର୍ଣ୍ଣ ମଧ୍ୟ ନଥିଲା। ତେଣୁ ରହସ୍ୟଜନକଭାବେ ସୋନୁଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଅର୍ଥ କାରବାରକୁ ନେଇ କେହି ଷଡ୍‌ଯନ୍ତ୍ର କରି ତାଙ୍କୁ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। ତେ‌ଣୁ ପୁଲିସ ଉକ୍ତ ଗେଷ୍ଟ୍‌ହାଉସ୍‌ର କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ସେହିଭଳି ସୋନୁ କେବେଠାରୁ ସେଠାରେ ରହିଥିଲେ ଓ ତାଙ୍କୁ ସେଠାରେ କିଏ ସବୁ ଭେଟିଥିଲେ, ସେ ବାବଦରେ ତଥ୍ୟ ସଂଗ୍ରହ କରୁଛି।

ସମ୍ବନ୍ଧିତ ଖବର