ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ୍ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ପରେ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଗଲା ଚର୍ଚ୍ଚା। କିଏ ପୂରା ପୁଲିସ ବିଭାଗକୁ ବଦ୍ନାମ କଲା ତ’ କିଏ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ପାଇଁ ପୁଲିସ ବିଭାଗ ଏଭଳି କାମ କରିବା ଉଚିତ କରି ଅଭିଯୁକ୍ତ ଗୋପାଳଙ୍କୁ ପ୍ରଶଂସା କଲା। ଅନ୍ୟପଟେ ଜଣକ ହତ୍ୟାରେ ଖୁସି ହୋଇ ଅନ୍ୟ ଜଣେ ମଟନ ଭୋଜି ଦେବା ଖବର ବି ସାମାଜିକ ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ହେଲା। ହତ୍ୟା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଏଭଳି ସମ୍ବେଦନହୀନ ତଥା ଦାୟିତ୍ବହୀନ ମନ୍ତବ୍ୟ ସଚେତନ ନାଗରିକଙ୍କ ଆଶ୍ଚର୍ଯ୍ୟ କରିବା ସହ କଷ୍ଟ ବି ଦେଲା। କେବଳ ଏହି ଘଟଣା ନୁହେଁ, ସାରା ରାଜ୍ୟ ଓ ଦେଶରେ ଏଭଳି ମାଳମାଳ ପ୍ରସଙ୍ଗ ପ୍ରତିଦିନ ସମାଜକୁ ନକାରାତ୍ମକତାକୁ ଠେଲି ଦେଉଛି। ଏନେଇ ବାରମ୍ବାର ସଚେତନ ନାଗରିକ ଚିନ୍ତା ପ୍ରକଟ କରୁଥିବା ବେଳେ ସୁପ୍ରିମକୋର୍ଟ ବି ହେଟ୍ ସ୍ପିଚ୍କୁ ଏକ ବଡ଼ ସଙ୍କଟ ଭାବେ ବର୍ଣ୍ଣନା କରିଛନ୍ତି।
କେବେବେଳେ ‘ବୟକଟ୍ ପଠାନ୍ ଟ୍ରେଣ୍ଡ୍’ ତ’ ପୁଣି କେବେ ବଲିଉଡ୍ ତାରକାଙ୍କ ଜୀବନଶୈଳୀକୁ ନେଇ କଟାକ୍ଷ। କେବେ ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ‘ଲଭ୍ ଜିହାଦ୍’ ନାମରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ତ’ ପୁଣି କେବେ ବିଭିନ୍ନ ରୋଷ୍ଟ୍ ଭିଡିଓ ନାମରେ ଅନ୍ୟ ୟୁ-ଟ୍ୟୁବର୍ମାନଙ୍କୁ ଅପମାନିତ କରିବା ଟ୍ରେଣ୍ଡ୍। କେତେବେଳେ ‘ହିଜାବ୍’ ପିନ୍ଧିବାକୁ ନେଇ ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ହିଂସା ବଢ଼ିଛି ତ’ ପୁଣି କେବେ ଗାଈ ରକ୍ତରେ କରୋନା ଟିକା ପ୍ରସ୍ତୁତର ଉଦ୍ଭଟ ପ୍ରଘଟ...। ସାମାଜିକ ଗଣମାଧ୍ୟମର କାହା ପ୍ରତି ଉତ୍ତରଦାୟିତ୍ବ ନଥିବାରୁ ଏଠାରେ ଯିଏ ଯାହା ପାରୁଛନ୍ତି ତଥ୍ୟ ଦେଉଛନ୍ତି, ଯାହାକି ଅର୍ଦ୍ଧସତ୍ୟ, ପକ୍ଷଭୁକ୍ତ ତଥ୍ୟ ବା ସମ୍ପୂର୍ଣ୍ଣ ମିଛ ବି ହୋଇପାରେ। ଏହି ତଥ୍ୟକୁ ଲୋକମାନେ ସେୟାର କରିଚାଲନ୍ତି ଓ ସମାଜକୁ ଏକ ଭୁଲ୍ ବାର୍ତା ଯାଏ। ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଅତୀତରେ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ଖାମଖିଆଲ ମନ୍ତବ୍ୟକୁ ନେଇ ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରତିଦିନ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କର ଖାମଖିଆଲ ମନ୍ତବ୍ୟ ବାରମ୍ବାର ଅନ୍ୟମାନଙ୍କୁ ଅପମାନିତ କରୁଛି।
କହିବାର ସ୍ବାଧୀନତା ମାନେ କାହାକୁ ଅପମାନିତ କରିବା ନୁହେଁ
ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଆମର କହିବାର ସ୍ବାଧୀନତା ରହିଛି, ଏହାର ଅର୍ଥ ଏହା ନୁହେଁ ଯେ ଆମେ ମନଇଚ୍ଛା ସାମାଜିକ ଗଣମାଧ୍ୟମରେ କିଛି ବି ଲେଖିବା। କାହାକୁ ଅପମାନସୂଚକ କଟାକ୍ଷ, ବ୍ୟକ୍ତିଗତ ଆକ୍ଷେପ ଆଦି ଗ୍ରହଣୀୟ ନୁହେଁ। ଏନେଇ ସାମାଜିକ ଗଣମାଧ୍ୟମରେ ତ’ ରୋକ୍ ଲଗାଯାଇପାରିବ ନାହିଁ, କିନ୍ତୁ ପ୍ରତିଟି ବ୍ୟକ୍ତିବିଶେଷଙ୍କର ଏନେଇ ଉତ୍ତରଦାୟିତ୍ବ ରହୁଛି। ହେଟ୍ ସ୍ପିଚ୍, ସମାଲୋଚନା ବିରୋଧରେ ଜଣେ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ଏନେଇ କଟକଣା ବି ଆଣି ପାରିବ କିମ୍ବା ଜଣେ ଏସବୁକୁ ନେଇ ବ୍ୟକ୍ତିଗତ ମାନହାନି ମକଦ୍ଦମା ବି ରୁଜୁ କରିପାରିବ। ଅତୀତରେ ଏଭଳି ଅନେକ ଉଦାହରଣ ରହିଛି। ଏସବୁ ବାହାରେ ପ୍ରତିଟି ସତେଚନ ନାଗରିକକୁ ନିଜ ଦେଶ ଓ ସମାଜର ସକାରାତ୍ମକତା ଦିଗରେ ଅଧିକ ଟିକେ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି।
ସତ୍ୟ ଓ ତଥ୍ୟକୁ ପରଖି ଗଣମଧ୍ୟମକୁ ଭରସନ୍ତୁ
ଏନେଇ ଏସ୍ସିବି ମେଡିକାଲ୍ କଲେଜର ମେଣ୍ଟାଲ୍ ହେଲ୍ଥ୍ ଇନ୍ଷ୍ଟିଚ୍ୟୁଟ୍ର ସିନିଅର୍ କନ୍ସଲ୍ଟାଣ୍ଟ୍ ଡାକ୍ତର ତନ୍ମୟିନୀ ଦାସ କହିଛନ୍ତି, ଯୁବପିଢ଼ିମାନେ ଏବେ ଅଧିକ ସମୟ ସାମାଜିକ ଗଣମାଧ୍ୟମରେ କାଟୁଥିବାରୁ ଗତ ୨ ବର୍ଷ ହେଲା ଏହି ସମସ୍ୟା ବଢ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଆମେ କିଛି ତଥ୍ୟ ଦେଖିଲେ, ଏହା ସମ୍ପର୍କରେ ଅଧିକ ଅଧ୍ୟୟନ ବା ଅନୁଶୀଳନ ନ କରି ହଠାତ୍ ପ୍ରତିକ୍ରିୟାଶୀଳ ହୋଇଯାଉ। ସତ୍ୟ ଓ ତଥ୍ୟକୁ ଠିକ୍ ଭାବରେ ପରଖି ଏହାକୁ ବିଶ୍ବାସ କରିବା ଉଚିତ। ଅନ୍ୟପଟେ ରୋଷ୍ଟ୍ ଭିଡିଓ ମାଧ୍ୟମରେ ଅନ୍ୟକୁ ଅପମାନିତ କରିବା ଟ୍ରେଣ୍ଡ୍ ଏବେ ବଢ଼ିବାରେ ଲାଗିଛି। କାହାର କାହା ଉପରେ ରାଗ ଥିଲେ, ହଠାତ୍ ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ଏକ ଭିଡିଓ ଜାରି କରି ତାଙ୍କୁ ବଦ୍ନାମ କରିବାର ମାନସିକତା ଯୁବପିଢ଼ିଙ୍କ ଭିତରେ ବଢ଼ିବାରେ ଲାଗିଛି। ଏଭଳି କ୍ଷେତ୍ରରେ ଏହି ଭିଡିଓର ଦର୍ଶକମାନଙ୍କୁ ସତର୍କ ହେବାକୁ ପଡ଼ିବ। ସେଭଳି ଭିଡିଓକୁ ବିଲ୍କୁଲ୍ ପ୍ରଶୟ ନ ଦେଲେ, ସମାଜରେ ସକାରାତ୍ମତା ବଢ଼ିପାରିବ। ଏଥିସହ ନକାରାତ୍ମକ ଭିଡିଓ, ସମାଲୋଚନା ଓ କଟାକ୍ଷ ଅନ୍ୟ ନିରୀହ ଦର୍ଶକ, ଶ୍ରୋତା ବା ପାଠକଙ୍କୁ ଏ ଦିଗରେ ଅଧିକ ପ୍ରେରିତ କରିଥାଏ। ଏଣୁ ପ୍ରତିଟି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠିନ ବା କାର୍ଯ୍ୟାଳୟରେ ଏନେଇ ଆଲୋଚନା କରି ଆମେ ନକାରାତ୍ମକ ଚିନ୍ତାଧାରାକୁ ଦୂରେଇ ପାରିବା। ସର୍ବୋପରି ଆମେ ଯେତିକି ଦରକାର, ସେତିକି ଗଣମାଧ୍ୟମ ଦେଖି ବାକି ସମୟ ସେଥିରୁ ଦୂରେଇ ରହିବା ହିଁ ଉଚିତ ହେବ।
ମୋବାଇଲ୍ ବ୍ୟବହାର ସୀମିତ ହେବା ଉଚିତ
ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ଦରକାର ସମୟରେ ଅନ୍ୟ ଜଣକୁ ଯୋଗାଯୋଗ କରିବାର ଏକ ଯନ୍ତ୍ର ହେଉଛି ମୋବାଇଲ୍। ଏହାର ବ୍ୟବହାର ଏତିକି ପର୍ଯ୍ୟନ୍ତ ସୀମିତ ରହିବା ଭଲ। ଦିନରାତି ଏହାକୁ ଧରି ବସିବା ବା ଏହାର ବ୍ୟବହାର କରିବାର କୌଣସି ଆବଶ୍ୟକତା ନଥାଏ। ଏହା ଏକ ଯନ୍ତ୍ର, ଏଣୁ ମଣିଷ ଭଳି ଏହାର କୌଣସି ଭାବନା, ମାନବିକତା ବା ବିବେକ ନଥାଏ। ଯାହାର କିଛି ବିବେକ ନଥାଏ, ତା’ର ଆମେ ଗୁଲାମ ହେବା କେତେ ଯୁକ୍ତିଯୁକ୍ତ? ସେ ଦେଖାଉଥିବା ଜିନିଷ ବା କଥା କେତେ ଯୁକ୍ତିଯୁକ୍ତ ବା ନ୍ୟାୟସଙ୍ଗତ?
ହ୍ୟାସ୍ଟ୍ୟାଗ୍ ବୟକଟ୍ ଭଳି ଟ୍ରେଣ୍ଡର କିଛି ପୃଷ୍ଠଭୂମି ବା ଏହା ପଛରେ ବିଶେଷ କିଛି କାରଣ ନଥିଲେ ମଧ୍ୟ କିଛି ଲୋକ ଏହି ଅଭିଯାନ ଚଲାନ୍ତି। ଏହାକୁ ଆମେ ବିଚାର ନ କରି ଜଣେ ଲେଖିଥିବା କଥାକୁ ଆମେ ବିଶ୍ବାସ କରି ପ୍ରତିକ୍ରିୟା ଦେବାରେ ଲାଗୁ। ଏହାଦ୍ବାରା କାହାର କ’ଣ କ୍ଷତି ହେଉଛି, କିଏ କେତେ ଅପମାନିତ ହେଉଛି ବା କାହାର ଆତ୍ମବିଶ୍ବାସ ଭାଙ୍ଗି ଚୂର୍ମାର୍ ହୋଇଯାଉଛି, ସେ କଥା ସେ ଯନ୍ତ୍ର ତ’ ଭାବେ ନାହିଁ। କିନ୍ତୁ ଆମେ ସମସ୍ତ ସମ୍ବେଦନଶୀଳତାକୁ ନେଇ ମଣିଷ ହୋଇଥିଲେ ବି ଆମେ ବି ସେ ନେଇ ଚିନ୍ତା କରୁ ନାହୁଁ। ଯେଉଁ ଯନ୍ତ୍ର ମଣିଷଠାରୁ ଭାବନା ଓ ସମ୍ବେଦନଶୀଳତା ଛଡ଼ାଇ ନେଉଛି, ସେ ଯନ୍ତ୍ରରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ।