ଛାତ୍ରୀନିବାସ ଆଗରେ ଯୁବକଙ୍କ ଉଲଗ୍ନ ନୃତ୍ୟ

ପାଗଳାମି ନା ଆଉ କିଛି?

ନିର୍ଧୁମ ଛେଚି ପୁଲିସକୁ ହସ୍ତାନ୍ତର କଲେ ଛାତ୍ର

ଭୁବନେଶ୍ୱର : ଅପରାହ୍ଣ ପ୍ର୍ରାୟ ୨ଟା। ଜଣେ ଯୁବକ ଉଲଗ୍ନ ହୋଇ ବାଣୀବିହାର ଛାତ୍ରୀନିବାସ ସମ୍ମୁଖରେ ବିଭିନ୍ନ ଭଙ୍ଗୀରେ ନାଚୁଥିଲା। ଏହି ସମୟରେ ଛାତ୍ରୀମାନେ କ୍ଲାସ ସାରି ହଷ୍ଟେଲକୁ ଫେରୁଥିଲେ। ଏହାର ସୁଯୋଗ ନେଇ ଉଲଗ୍ନ ଯୁବକ ଜଣକ ଛାତ୍ରୀଙ୍କ ଆଡ଼କୁ ମାଡ଼ି ଯାଇ ଅଶ୍ଳୀଳ ଇଙ୍ଗିତ ଦେଉଥିଲେ। ଯୁବକଙ୍କ ଏପରି କାଣ୍ଡ ଦେଖି ଛାତ୍ରୀମାନେ ଚିତ୍କାର କରି ଏଣେତେଣେ ଦୌଡ଼ୁଥିଲେ। ପ୍ରାୟ ଅଧଘଣ୍ଟା କାଳ ଯୁବକ ଜଣକ ଛାତ୍ରୀନିବାସ ସମ୍ମୁଖରେ ଏପରି ଆଚରଣ ଦେଖାଇଥିଲା।

ଛାତ୍ରୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଛାତ୍ରମାନେ ଧାଇଁ ଆସିଥିଲେ। ଉଲଗ୍ନ ଯୁବକକୁ କାବୁ କରି ନିସ୍ତୁକ ଛେଚିଥିଲେ। ଯୁବକ ଜଣକ ମାଡ଼ ଭୟରେ ପାଗଳ ପରି ଅଭିନୟ କରିଥିଲା। ସହିଦନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ନେଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ନାମ ସୁମନ୍ତ ସେଠୀ (କାଳିଆ)। ଘର କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ସେ ସହିଦନଗର ଥାନା ଅଧୀନ ଭୋଇ ନଗରରେ ରହୁଛି। ବୟସ ୨୬ ବର୍ଷ ହେବ। ପୂର୍ବରୁ ମଧ୍ୟ ଯୁବକ ଜଣକ କ୍ୟମ୍ପସରେ ଅନେକ ଥର ଏଭଳି ଉଲଗ୍ନ ହୋଇ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା। କିନ୍ତୁ ପାଗଳର ଅଭିନୟ କରି ଖସି ଯିବାକୁ ସକ୍ଷମ ହୋଇଥିଲା।

ଏହି ଘଟଣା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ତାହା ଉପରେ ଅଙ୍ଗୁଳି ଉଠିଛି। ଗତ ଦେଢ଼ ବର୍ଷ ମଧ୍ୟରେ ଏହା ପଞ୍ଚମ ଘଟଣା। କ୍ୟାମ୍ପସରେ ଜଣେ ଟ୍ୟୁସନ ଶିକ୍ଷକ ଦୁଇ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଯୋଗୁଁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଉକ୍ତ ଦୁଇ ଛାତ୍ରୀ ସମ୍ପୃକ୍ତ ଶିକ୍ଷକଙ୍କୁ କ୍ୟାମ୍ପସରେ ବାଡ଼େଇଥିଲେ। ଗତବର୍ଷ ଏଭଳି ଏକାଧିକ ଘଟଣା ଲୋକଲୋଚନକୁ ଆସିଥିଲା। ଛାତ୍ରୀମାନେ ପ୍ରତିବାଦ କରିବା ସହ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସୁରକ୍ଷା ଯୋଗାଇବରାକୁ ପୁଲିସ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅପରାଧୀଙ୍କ ବିରୋଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇନି।

ଅନ୍ୟପକ୍ଷରେ କ୍ୟାମ୍ପସରେ ସିସିଟିଭି ଲଗାଇ କର୍ତୃପକ୍ଷ ଚୁପ୍‌ ବସି ପଡ଼ିଛନ୍ତି। ସିସିଟିଭି ଠିକ୍‌ ଭାବେ ଚାଲୁଛି କି ନାହିଁ ତାହାର ଯାଞ୍ଚ ହେଉନି। ଏପରିକି କ୍ୟାମ୍ପସ ନିକଟରୁ ମାତ୍ର ଶହେ ମିଟର ଦୂରରେ ସହିଦନଗର ଥାନା ରହିଥିଲେ ମଧ୍ୟ ଠିକ୍‌ ସମୟରେ ପୁଲିସ କ୍ୟାମ୍ପସରେ ପହଞ୍ଚିପାରୁନି।

ସମ୍ବନ୍ଧିତ ଖବର