ଓସାକ୍ସ ପକ୍ଷରୁ ଯୁବ ଦିବସ: ଏଚ୍‌ଆଇଭି ସଂକ୍ରମିତଙ୍କ ମଧ୍ୟ‌ରେ ୪୧% ଯୁବଗୋଷ୍ଠୀ

ଭୁବନେଶ୍ୱର: ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ବେଶି। ଏଥିରେ ୪୧ ପ୍ରତିଶତ ରୋଗୀଙ୍କ ବୟସ ୧୫ରୁ ୩୫। ୨୦୧୯-୨୦ ବର୍ଷରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୪୬୭। ଏଥିରୁ ୯୯୬ଜଣ ଅର୍ଥାତ ୪୦ ପ୍ରତିଶତ ରୋଗୀଙ୍କ ବୟସ ହେଉଛି ୧୫ରୁ ୩୫ବର୍ଷ। ଏହି ଉଦ୍‌ବେଗଜନକ ପରିସଂଖ୍ୟାନ ରାଜ୍ୟର ଯୁବଗୋଷ୍ଠୀଙ୍କ ପ୍ରତି ଏକ ସତର୍କ ଘଣ୍ଟି। ଯୁବଗୋଷ୍ଠୀ ଗୋଟିଏ ଜାତିର ଶକ୍ତି। ସେମାନେ ଦୁର୍ବଳ ହେଲେ ବା ଅସୁସ୍ଥ ହେଲେ, ଜାତି ପ୍ରତି ବିପଦ ମାଡ଼ି ଆସେ। ୨୦୩୦ ସୁଦ୍ଧା ଦେଶକୁ ଏଡସ୍‌ମୁକ୍ତ କରିବା ଲକ୍ଷ୍ୟ ରହିଛି। ପ୍ରଥମେ ଆମ ରାଜ୍ୟକୁ ଏଡସ୍‌ମୁକ୍ତ କରାଯିବା ପାଇଁ ଉଦ୍ୟମ ହେବ ବୋଲି କହିଛନ୍ତି ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ଇଡ୍‌କଲ ଅଡିଟୋରିୟମରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ନର୍ସିଂ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ରାମଚନ୍ଦ୍ର ରାଉତ, ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସଂଯୁକ୍ତା ସାହୁ ପ୍ରମୁଖ ଯୋଗଦେଇ ଯୁବଗୋଷ୍ଠୀଙ୍କ ଦାୟିତ୍ବ ଉପରେ ଆଲୋକପାତ କରିଥିଲେ। ସଭାପତିତ୍ବ କରୁଥିବା ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କୁମାର ସୂଚନା ଦେଇଥିଲେ ଯେ ଯୁବଗୋଷ୍ଠୀ ସଚେତନ ହେଲେ ଏଚ୍‌ଆଇଭି ଉପରେ ରୋକ୍‌ ଲଗାଯାଇପାରିବ। ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଏଚ୍‌ଆଇଭି ପରୀକ୍ଷା ହେଉଛି। ସଚେତନତା ପାଇଁ ଓସାକ୍ସ ୨୦ଟି କଂପାନି ସହିତ ବୁଝାମଣା ସ୍ୱାକ୍ଷରିତ କରିଛି। ରାଜ୍ୟର ବିଭିନ୍ନ କଲେଜରେ ଓସାକ୍ସ ତରଫରୁ ପାଖାପାଖି ୬୪୦ ରେଡ୍‌ ରିବନ କ୍ଲବ ଖୋଲାଯାଇଛି। ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡ. ସଂଯୁକ୍ତା ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ ରଂଜିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ରେଡ୍‌ ରିବନ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ବର୍ଜ୍ୟବସ୍ତୁରେ ନିର୍ମିତ ବିଭିନ୍ନ ସାଜସଜ୍ଜା ସାମଗ୍ରୀ, ବକ୍ତୃତା, କୁଇଜ୍, ଝୋଟି ଏବଂ ରଙ୍ଗୋଲି ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ଡ. ଅଞ୍ଜନା ପଣ୍ଡା ଓ ଡ. ଲଲାଟେନ୍ଦୁ ନାୟକ, ପ୍ରତିଷ୍ଠାନ ଅଧିକାରୀ ଶୁଭେନ୍ଦୁ ପଟ୍ଟନାୟକ ଏବଂ ଓସାକ୍ସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର