ଅଧୁରା ରହିଗଲା ଦେଶ ସେବା ସ୍ବପ୍ନ : ଦୌଡ଼ ବେଳେ ଆଖିବୁଜିଲେ ଯୁବକ

ଭୁବନେଶ୍ବର : ସ୍ବପ୍ନ ଥିଲା ସେନାବାହିନୀରେ ଯୋଗଦେବେ। ଯବାନ ହୋଇ ଦେଶ ମାତୃକାର ସେବା କରିବେ। ହେଲେ ସ୍ବପ୍ନ ଅଧୁରା ରହିଗଲା। ଦୌଡ଼ ବେଳେ ଅଧାବାଟରେ ଟଳି ପଡ଼ିଲେ। ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଯୀବନ ଯୁଦ୍ଧରେ ହାରିଗଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଲ୍ଲୀ ସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପସରେ। ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଚଣ୍ଡୀଖୋଲର ପ୍ରୀତମ ବାରିକ(୨୨)। ଗତ ୨୦ ତାରିଖରେ ପ୍ରୀତମ ସିଆର୍‌ପିଏଫ୍‌ ଇଣ୍ଟରଭ୍ୟୁ ଦେବା ପାଇଁ ଭୁବନେଶ୍ବର ଆସିଥିଲେ। ୨୨ ତାରିଖ ସକାଳେ ତାଙ୍କର ଦୌଡ଼ ପ୍ରତିଯୋଗିତା ଥିଲା। କିଛିବାଟ ଦୌଡ଼ିବା ପ‌ରେ ସେ ତଳେ ପଡ଼ିଯାଇଥିଲେ। ସିଆର୍‌ପିଏଫ୍‌ ଯବା‌ନମାନେ ପ୍ରୀତମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ନେବା ସହ ତାଙ୍କ ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇ ଥିଲେ। ଖବରପାଇ ପରିବାର ଲୋକ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର