ଗୁରୁଦ୍ବାରରେ ରକ୍ତଛିଟା : ଯୁବକଙ୍କୁ ମାରି ଟାଙ୍ଗି ଦେଲେ!, ଝୁଲନ୍ତା ଶବ ଜବତ, ହତ୍ୟା ଅଭିଯୋଗ

ବସ୍ତିବାସିନ୍ଦାଙ୍କ ଗୁରୁଦ୍ବାର ଘେରାଉ, ବ୍ୟାପକ ଭଙ୍ଗାରୁଜା, ପୁଲିସ ମୁତୟନ

ଭୁବନେଶ୍ୱର : ଗୁରୁବାର ସଂଧ୍ୟାରେ ଶ୍ରୀୟା ଛକ ନିକଟ ଗୁରୁଦ୍ବାର ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଜବତକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ, ସେଠାରେ ସୁଇପର୍ ଭାବେ କାମ କରୁଥିବା ୟୁନିଟ୍‌-୩ କାଞ୍ଜିଆହୁଦା ବସ୍ତିର ଦୁଃଶାସନ ନାୟକଙ୍କ ପୁଅ ସୁବାସ (୨୪)। ସୁବାସଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ପରିସ୍ରା ଦ୍ବାରରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ବସ୍ତିବାସିନ୍ଦା ଗୁରୁଦ୍ବାର ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛି। କିନ୍ତୁ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ସନ୍ଧ୍ୟାରୁ ପାଖ ଦୋକାନ ବଜାର ବନ୍ଦ ରହିଛି। ଅପରପକ୍ଷେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସକୁ ଘଟଣାସ୍ଥଳରୁ ହିନ୍ଦୀରେ ଲେଖାଥିବା ଏକ ସୁଇସାଇଡାଲ ନୋଟ୍‌ ମିଳିଛି। କିନ୍ତୁ ବାପା ଦୁଃଶାସନଙ୍କ ଅଭିଯୋଗ ହେଲା, ହିନ୍ଦୀ ତ ଦୂରର କଥା, ସୁବାସ ଓଡ଼ିଆରେ ବି ଭଲ ଭାବେ ଲେଖିପାରନ୍ତିନି। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପୁଲିସ ସୂଚନା ମୁତାବକ, ଦୁଃଶାସନ ଦୀର୍ଘ ଦିନ ହେବ ଗୁରୁଦ୍ବାରରେ ସହାୟକ ଭାବେ କାମ କରିଆସୁଛନ୍ତି। ଦେଢ଼ବର୍ଷ ହେଲା ତାଙ୍କ ପୁଅ ସୁବାସ ଏଠାରେ ସୁଇପର୍‌ ଭାବେ କାମ କରୁଥି‌‌ଲେ। ତାଙ୍କର ଦୁଇ ଭାଇ ବିବାହିତ ଓ ନିଜ ନିଜର ପରିବାର ପ୍ରତି‌ପୋଷଣ କରୁଛନ୍ତି। ତିନି ଭଉଣୀ ମଧ୍ୟ ବିବାହ କରି ସାରିଛନ୍ତି। ଏଣୁ ବାପା ଓ ମା’ଙ୍କ ସହ ରହୁଥିବା ସୁବାସ ଘର ଚଳାଉଥିଲେ। ଆଜି ସକାଳ ୭ଟା ବେଳେ ସୁବାସଙ୍କ ଡ୍ୟୁଟି ଆରମ୍ଭ ହୋଇଥିଲା। ଦୁଃଶାସନ ୮ଟା ବେଳେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ସୁବାସଙ୍କୁ ଦେଖିଥିଲେ। ତେବେ ପାଖାପାଖି ୬ ଘଣ୍ଟା ପରେ ସୁବାସ ଆତ୍ମହତ୍ୟା କରିଥିବା ଗୁରୁଦ୍ବାରରୁ ଖବର ଯାଇଥିଲା। ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ରୁମ୍‌ରେ ଏକ ଲୁଗାରେ ପୁଅର ଶବ ଫ୍ୟାନ୍‌ରେ ଝୁଲୁଥିବା ଦୁଃଶାସନ ଦେଖିବାକୁ ପାଇଥିଲେ।

ଦୁଃଶାସନଙ୍କ ଅଭିଯୋଗ ମୁତାବକ, ପୁଅର ଏଭଳି କୌଣସି ମାନସିକତା ସେ କେବେ ଲକ୍ଷ୍ୟ କରିନାହାନ୍ତି। ସେ ଘରେ ସମସ୍ତଙ୍କଠାରୁ ସାହସୀ। କମ୍‌ ପାଠ ପଢ଼ିଛି, ଓଡ଼ିଆରେ ଭଲ ଲେଖି ପାରେନି। ତେଣୁ ହିନ୍ଦୀରେ ସୁଇସାଇଡାଲ ନୋଟ୍‌ କେମିତି ଲେଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯିଏ ଆତ୍ମହତ୍ୟା କରିବ ସେ ଘର କବାଟ କାହିଁକି ଖୋଲା ରଖିବ? ଘରୁ ଆସିବା ବେଳେ ଦେହରେ କିଛି ନଥିଲା, ମୃତ୍ୟୁ ବେଳକୁ ଚିହ୍ନ ଆସିଲା କେଉଁଠୁ? ପ୍ୟାଣ୍ଟ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଛି। ପରିସ୍ରା ଦ୍ବାରରୁ ରକ୍ତ ଆସିଲା କେମିତି? ଦୁଃଶାସନଙ୍କ ଏ ସବୁ ପ୍ରଶ୍ନ ପ୍ରସଙ୍ଗକୁ ହତ୍ୟାକାଣ୍ଡ ଆଡ଼କୁ ଟାଣି ନେଉଛି।

ଅପରପକ୍ଷେ ଖାରବେଳ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି କହିଛନ୍ତି, ସାଇଣ୍ଟିଫିକ୍‌ ଟିମ୍‌ ଶବର ତନ୍ନତନ୍ନ କରି ପରୀକ୍ଷା କରିଛି। ଆତ୍ମହତ୍ୟା ସମୟରେ ପରିସ୍ରା ନଳୀରୁ ପରିସ୍ରା ଓ ରକ୍ତ ବାହାରି ଆସିବା ଅସମ୍ଭବ ନୁହେଁ। ଅନେକ ସମୟରେ ମୃତକ ମଳତ୍ୟାଗ ମଧ୍ୟ କରି ଦେଇଥାଏ, ଜିଭ ବାହାରି ଆସେ। ଏ ସମସ୍ତ ଦିଗକୁ ଆଖି ଆଗରେ ରଖିବା ସହ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି। ଜଣେ ମହିଳା କର୍ମଚାରୀଙ୍କ ସହ ଗଣ୍ଡଗୋଳ ହେଉଥିବା ମଧ୍ୟ ପରିବାର ସଦସ୍ୟ ଅଭିଯୋଗ ଆଣୁଛନ୍ତି। ଏଠାରେ ଲାଗିଥିବା ସିସିଟିଭି ଯାଞ୍ଚ ହେବ। ସମସ୍ତ ତଥ୍ୟ ପ୍ରମାଣ ଓ ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବ ବୋଲି ଶ୍ରୀ ସେନାପତି କହିଛନ୍ତି।

‌‌‌ତେବେ ସୁବାସଙ୍କୁ ହତ୍ୟା କରାଯାଇନାହିଁ ବୋଲି ଗୁରୁଦ୍ବାର ପରିଚାଳକ ନିମାଇଁ ଚରଣ ପଟ୍ଟନାୟକ କହିଛନ୍ତି। ଦେଢ଼ ବର୍ଷ କାମ ଭିତରେ ତା’ର କାହାରି ସହ ଗଣ୍ଡଗୋଳ ନାହିଁ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ସହ ମତାନ୍ତର ମଧ୍ୟ ନଥିଲା। ଆଜି ବି ଆସି ସେ ସକାଳୁ କାମ କରୁଥିଲା। ଆମ କାହାର ନଜର ନଥିଲା। ଉପର ମହଲାରେ ଏହି ଅତିଥି ଗୃହ ରହିଛି। କୌଣସି ଅତିଥି ନଥିବାରୁ ଏହି ରୁମ୍‌କୁ କାହାର ନଜର ବି ନାହିଁ। ମୃତ୍ୟୁର କିଛି ସମୟ ପରେ ଆମେ ଆସି ଦେଖିବାକୁ ପାଇଥିଲୁ। ଏଠାରେ କିଏ କାହିଁକି ହତ୍ୟା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର