ଯୁବକଙ୍କୁ ପିଟି ପିଟି ମାରି‌ଦେଲେ

ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ

ଖଣ୍ଡଗିରି : ତମାଣ୍ତୋ ଥାନା କଳିଙ୍ଗବିହାରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ନୂଆପଲ୍ଲୀ ଅଞ୍ଚଳର ଅକ୍ଷୟ ମାଝୀ(୪୫)। ତମାଣ୍ଡୋ ଥାନା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ପରିବାରଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତ ଅକ୍ଷୟଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଶବ ବ୍ୟବଚ୍ଛେଦ ପରେ ଅକ୍ଷୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ, ଅକ୍ଷୟ ପ୍ରଚୁର ନିଶାସକ୍ତ ଥିବାରୁ ପରିବାର ଲୋକମାନେ ଚିନ୍ତାରେ ଥିଲେ। ତେଣୁ ନିଶା ଛଡ଼ାଇବା ପାଇଁ ସେମାନେ ଗତ ବୁଧବାର ଦିନ ତାଙ୍କୁ ଆଣି କଳିଙ୍ଗବିହାରସ୍ଥିତ କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ(ସିଏଫ୍ଆଇ) ନାମକ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ଟୁକୁନା ନାମକ ଜଣେ ଯୁବକଙ୍କ ମଧ୍ୟସ୍ଥତାରେ ମୃତକ ଅକ୍ଷୟଙ୍କ ଭାଇ ଅଜୟ ତାଙ୍କୁ ଏହି କେନ୍ଦ୍ରରେ ଛାଡ଼ିଥିଲେ। ଶୁକ୍ରବାର ସକାଳେ ଅକ୍ଷୟ ତାଙ୍କ ଶୋଇଥିବା ମଶିଣାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। କାଳେ ବଞ୍ଚିଥିବା ଭାବି ସିଏଫ୍ଆଇର କର୍ମଚାରୀମାନେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅଜୟ ହସ୍ପିଟାଲରେ ପହଞ୍ଚିବା ପରେ ଅକ୍ଷୟଙ୍କ ଦେହରେ ବହୁତ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ। ତାଙ୍କ ଗୋଡ଼ ହାତ ଓ ଛାତିରେ ମାଡ଼ ଚିହ୍ନ ସ୍ପଷ୍ଟ ଦେଖା ଯାଉଥିଲା। ତେଣୁ ଅକ୍ଷୟଙ୍କୁ ନିଶା ନିବାରଣ କେନ୍ଦ୍ର କର୍ମଚାରୀମାନେ ପିଟିପିଟି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଅକ୍ଷୟଙ୍କ ମୃତ୍ୟୁ ସକାଳୁ ଜଣାପଡ଼ିଥିଲେ ବି କେନ୍ଦ୍ର କର୍ମଚାରୀମାନେ କଣ ପାଇଁ ପୂର୍ବାହ୍ଣ ୧୧ଟା ବେଳେ ହସ୍ପିଟାଲକୁ ନେଲେ ଓ ତାଙ୍କ ପରିବାରକୁ ମଧ୍ୟାହ୍ନରେ ଖବର ଦେଲେ ବୋଲି ଅଜୟ ସନ୍ଦେହ କରି ପ୍ରଶ୍ନ କରିଛନ୍ତି।

ତମାଣ୍ଡୋ ଥାନା ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଅଜୟଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତ ଅକ୍ଷୟଙ୍କ ଦେହରେ ସତକୁ ସତ କ୍ଷତ ଚିହ୍ନ ରହିଛି। ତେବେ ଉକ୍ତ କ୍ଷତ ଗୁଡ଼ିକ ମାଡ଼ ମରାଯିବାରୁ ହୋଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସକୁ ସିଏଫ୍ଆଇ କେନ୍ଦ୍ରର କର୍ମଚାରୀମାନେ ଦେଇଥିବା ସଫେଇ ଅନୁସାରେ ଗତକାଲି ରାତିରେ ନିଶା ଖାଇବାକୁ ଅକ୍ଷୟ ପ୍ରବଳ ଜିଦ୍ କରିଥିଲେ ଓ କେନ୍ଦ୍ରରୁ ଖସି ପଳାଇବା ପାଇଁ କର୍ମଚାରୀମାନଙ୍କୁ ମାରପିଟ୍‌ କରିଥିଲେ। ତେଣୁ ସେମାନେ ତାଙ୍କୁ ଜୋର୍ କରି ମାଡ଼ି ବସି ନିଶା ପ୍ରତିଷେଧକ ଔଷଧ ଖୁଆଇ ଶୁଆଇ ଦେଇଥିଲେ। କିନ୍ତୁ ସକାଳୁ ତାଙ୍କୁ ଉଠାଇବା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ କର୍ମଚାରୀମାନଙ୍କ କଥାରେ କେତେ ଦୂର ସତ୍ୟତା ରହିଛି, ତାହା ତଦନ୍ତ ସାପେକ୍ଷ ବୋଲି ତଦନ୍ତ ଅଧିକାରୀ କହିଛନ୍ତି। ହୁଏତ ନିଶା ପ୍ରତିଷେଧକ ଔଷଧ ମାତ୍ରାରେ ଭୁଲ ଥିବାରୁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ଶବ ବ୍ୟବଚ୍ଛେଦକୁ ପୁଲିସ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର