ପୋଖରୀରେ ବୁଡ଼ି ଯୁବକ ମୃତ

ଚାକିରି ପାଇଁ ପହଁରା ଶିଖିବା କାଳ ହେଲା

ଖଣ୍ଡଗିରି: ପୁଲିସ ଚାକିରି କରିବା ଲକ୍ଷ୍ୟ ନେଇ ଦୁଇ ସାଙ୍ଗ ପୋଖରୀରେ ପହଁରା ଶିଖୁଥିଲେ। ୮ ଦିନ ହେଲା ଭଲ ଅଭ୍ୟାସ ଚାଲିଥିଲା। ମାତ୍ର ଏହି ପହଁରା ଶିଖିବା ଶେଷରେ କାଳ ହେଲା। ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଗାଧୋଉଥିବା ଜଣେ ମହିଳାଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଗଲା। ରବିବାର ସକାଳ ପ୍ରାୟ ସାଢ଼େ ୮ଟାବେଳେ ବରମୁଣ୍ଡା ଗାଁ ଶିବ ମନ୍ଦିର ପୋଖରୀରେ ଏହି ଅଘଟଣ ଘଟିଛି। ମୃତକ ହେଲେ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ନିକଟରେ ରହୁଥିବା ଖୋର୍ଧା ଜିଲ୍ଲା ବାଲିପାଟଣା ଥାନା ସରାଟ ଗାଁର ବାବୁଲି ପ୍ରଧାନଙ୍କ ଏକମାତ୍ର ପୁଅ ଶକ୍ତିପ୍ରସାଦ (୨୨)। ମୃତ୍ୟୁମୁଖରୁ ବର୍ତି ଯାଇଥିବା ଯୁବକ ହେଲେ ବରମୁଣ୍ଡା ଜଗନ୍ନାଥବିହାରରେ ରହୁଥିବା ଯାଜପୁର ଜିଲ୍ଲା ବରି ବ୍ଲକ ଗୋଳକୁଣ୍ଡା ଗାଁର ବିଶ୍ୱଜିତ୍‌ ଜେନା(୨୨)।

ସୂଚନାନୁସାରେ ବିଶ୍ୱଜିତ୍‌ଙ୍କ ବାପା ଗଜେନ୍ଦ୍ର ଜେନା ଜଣେ ପୁଲିସ ଏଏସ୍‌ଆଇ। ବାପାଙ୍କ ଭଳି ବିଶ୍ୱଜିତ୍‌ ପୁଲିସ ଚାକିରି ପାଇଁ ଆଗ୍ରହୀ ଥିଲେ। ସେ ଏବେ ଇଗ୍‌ନୋରେ ଯୁକ୍ତ ୩ ପଢ଼ୁଛନ୍ତି। ତାଙ୍କ ସାଙ୍ଗ ଶକ୍ତି ଯୁକ୍ତ ୩ ପାସ୍‌ କରିଛନ୍ତି। ପୁଲିସ ଚାକିରି କରିବେ ବୋଲି ଦୁଇ ସାଙ୍ଗ ଶକ୍ତି ଓ ବିଶ୍ୱଜିତ ପହଁରା ଶିଖିବାକୁ ମନସ୍ଥ କରି ଗତ ୮ ଦିନ ହେଲା ବରମୁଣ୍ଡା ଶିବ ମନ୍ଦିର ପୋଖରୀକୁ ଆସୁଥିଲେ। ଆଜି ଦୁଇ ବନ୍ଧୁ ବାଇକ୍‌ରେ ଆସି ପୋଖରୀ ନିକଟରେ ପହଞ୍ଚିଥିଲେ। ପରେ ହାଫ୍‌ ପ୍ୟାଣ୍ଟ ପିନ୍ଧି ପୋଖରୀରେ ପଶିଥିଲେ। ଦୁଇ ବନ୍ଧୁ ପୋଖରୀ ଚାରିପଟେ ଗୋଟିଏ ଲେଖାଏଁ ରାଉଣ୍ଡ ପହଁରି ସାରିଥିଲେ। ହଠାତ୍‌ ଶକ୍ତି ଅଣନିଃଶ୍ୱାସୀ ହୋଇ ପାଣିରେ ବୁଡ଼ିଯିବାକୁ ବସିଲେ। ଏହା ଦେଖି ବିଶ୍ୱଜିତ ଉଦ୍ଧାର କରିବାକୁ ଚେଷ୍ଟା କରି ଶକ୍ତିଙ୍କୁ ଧରି ପକାଇଥିଲେ। ଫଳରେ ଦୁଇ ବନ୍ଧୁ କୁଣ୍ଢାକୁଣ୍ଢି ହୋଇ ପାଣିରେ ବୁଡ଼ିବାକୁ ଯାଉଥିଲେ। ହେଲେ ବିଶ୍ୱଜିତ ବଞ୍ଚିଗଲେ ବି ଶକ୍ତିକୁ ବଞ୍ଚାଇ ପାରିନଥିଲେ।

ପିନ୍ଧା ଲୁଗାରେ ଜଣଙ୍କୁ ବଞ୍ଚାଇଦେଲେ ଅନିତା


ଦୁଇ ବନ୍ଧୁ ପହଁରା ଶିଖୁଥିବାବେଳେ ଅନ୍ଧାରୁଆ ଗାଁର ଭୀମ ଜେନାଙ୍କ ସ୍ତ୍ରୀ ଅନିତା ଜେନା ଓରଫ୍‌ ଅନିତା ପ୍ରଧାନ(୬୦) ପୋଖରୀରେ ଗାଧୋଉଥିଲେ। ସେ ତାଙ୍କ ବରମୁଣ୍ଡା ବାପଘରକୁ ବୁଲିବାକୁ ଆସିଥିଲେ। ଦୁଇଜଣ ଯୁବକ ବୁଡ଼ି ଯାଉଥିବାବେଳେ ସୌଭାଗ୍ୟକୁ ଅନିତାଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ସେ ସଙ୍ଗେ ସଙ୍ଗେ ପିନ୍ଧା ଲୁଗାର ଗୋଟିଏ ପାଖ ସେମାନଙ୍କ ନିକଟକୁ ଫିଙ୍ଗି ଦେଇଥିଲେ। ବିଶ୍ୱଜିତ୍‌ ଗୋଟିଏ ହାତରେ ଲୁଗା ଓ ଅନ୍ୟ ହାତରେ ଶକ୍ତିକୁ ଧରି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ। ଅନିତା ସେମାନଙ୍କୁ ଟାଣିବାରେ ଲାଗିଥିଲେ। ମାତ୍ର ଶକ୍ତିଙ୍କୁ ଟାଣି ଧରି କୂଳକୁ ଆସିବା ବିଶ୍ୱଜିତଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ପାଣି ପିଇ ଦେଇ ହାଲିଆ ହୋଇପଡ଼ିଥିବା ଶକ୍ତିଙ୍କ ହାତ ଅଧା ବାଟରୁ ଖସି ଯାଇଥିଲା। ବିଶ୍ୱଜିତ୍‌ କୂଳକୁ ଆସିଗଲେ ସିନା ପାଣିରେ ବୁଡ଼ିଗଲେ ଶକ୍ତି। ଅନିତାଙ୍କ ପାଟି ଶୁଣି ବରମୁଣ୍ଡା ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ପୋଖରୀରୁ ଶକ୍ତିଙ୍କୁ ବାହାର କଲାବେଳକୁ ସବୁ ସରି ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଅନିତାଙ୍କ ସାହସ ପାଇଁ ଜଣଙ୍କର ଜୀବନ ବଞ୍ଚି ଯାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରୁଥିଲେ ସିନା ଆଖି ଆଗରେ ଆଉ ଜଣଙ୍କ ଜୀବନ ଚାଲିଯିବା ଦୁଃଖରେ ସେ ଭାଙ୍ଗି ପଡ଼ିଥିଲେ। କାହା ପ୍ରଶଂସାକୁ କାନ ନ ଦେଇ ସେ କାନ୍ଦି କାନ୍ଦି ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର