ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ

ଭୁବନେଶ୍ବର : ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଗାଧୋଉଥିବାବେଳେ ବାଥ୍‌ରୁମ୍‌ରେ ପଡ଼ି ସେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉକ୍ତ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମୃତକ ହେଲେ ମନୋରଂଜନ ଦାସ(୪୫)। ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଡିମିରିପାଳ ଅଞ୍ଚଳ। ଏଠାରେ ପଳାସୁଣୀ କେନାଲବନ୍ଧ ରୋଡ୍‌ରେ ରହୁଥିଲେ।

ସୂଚନା ମୁତାବକ, ଗତ ୩୦ ତାରିଖ ରାତିରେ ଗାଧୋଉଥିବା ସମୟରେ ମନୋରଂଜନ ବାଥ୍‌ରୁମ୍‌ରେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ସେ ‌ସଂଜ୍ଞାହୀନ ଅବସ୍ଥାରେ ଭିତରେ ପଡ଼ି ରହିଥିଲେ। ତେବେ ବାଥ୍‌ରୁମ୍‌ରୁ ବାହାରିବାରେ ବିଳମ୍ବ ‌ହେବାରୁ ପତ୍ନୀ ରୁନୁ ତାଙ୍କୁ ଡାକିଥିଲେ ହେଁ ସେ ଜବାବ୍‌ ଦେଇ ନଥିଲେ। ପଡ଼ୋଶୀଙ୍କ ସହାୟତାରେ କବାଟ୍‌ ଭାଙ୍ଗି ରୁନୁ ମନୋରଂଜନଙ୍କୁ ଉଦ୍ଧାର କରି ସହିଦନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୩୧ ତାରିଖ ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ‌ଅଜି ‌ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରଂଜନଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଅସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର