ଭୁବନେଶ୍ବର: ଗତକାଲି ଶିଶୁଭବନ ଓଭରବ୍ରିଜ୍ ନିକଟ ରେଳ ଧାରଣାରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ନୂଆପଲ୍ଲୀ ସିବିଆଇ କଲୋନିର ସୌମ୍ୟଜିତ୍ ଦାସ(୩୩) ଆଜି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଆଖି ବୁଜିଦେଇଛନ୍ତି। ତାଙ୍କ ଦୁର୍ଘଟଣା ଓ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ସନ୍ଦେହ କରାଯାଇଛି ଏବଂ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ହୋଇଛି। ଇନ୍ଫୋସିଟି ଥାନା ପୁଲିସ ହସ୍ପିଟାଲ୍ରୁ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି।
ସୂଚନା ମୁତାବକ, ଗୁରୁବାର ଅପରାହ୍ଣ ପାଖାପାଖି ୨ଟା ସମୟରେ ସୌମ୍ୟଜିତ୍ ନିଜ କାର୍ରେ ଘରୁ ବାହାରିଥିଲେ। ସାଙ୍ଗମାନଙ୍କ ସହ ବୁଲାବୁଲି ପରେ ଅପରାହ୍ଣ ପାଖାପାଖି ୫ଟା ସମୟରେ ସେ କୌଣସି କାମରେ ବାପୁଜୀନଗର ଭେନସ୍ ଇନ୍ ନିକଟକୁ ଆସିଥିଲେ। ସେଠାରେ କାର୍ ରଖି ଫୋନ୍ରେ ବଡ଼ ଭାଇଙ୍କ ସହ କଥା ହୋଇଥିଲେ। ଫ୍ୟାମିଲି ଭୋଜି ବାବଦରେ ବଡ଼ ଭାଇଙ୍କ ସହ କଥା ହେଉହେଉ ସେ ଶିଶୁଭବନ ଛକ ନିକଟ ଓଭରବ୍ରିଜ୍ ତଳକୁ ଯାଇଥିଲେ। ଏହି ସମୟରେ ଏକ ଏକ୍ସପ୍ରେସ୍ ଅତିକ୍ରମ କରିଥିଲା। ପରେପରେ ସୌମ୍ୟଜିତ୍ ରେଳଧାରଣା କଡ଼ରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳ ସାଢ଼େ ୧୦ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ ରେଳଧାରଣାକୁ କିଭଳି ଗଲେ? ଟ୍ରେନ୍ ଦୁର୍ଘଟଣା ନା କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଏଭଳି ଯୋଜନା କରିଛି? ଏସବୁ ପ୍ରଶ୍ନକୁ ନେଇ ସୌମ୍ୟଜିତ୍ଙ୍କ ବାପା ପ୍ରଫୁଲ୍ଲ ଦାସ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ସହ ତାଙ୍କ ସିଡିଆର୍ ରିପୋର୍ଟ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।