ଧଉଳି: ବାପାଙ୍କ ଶେଷଇଚ୍ଛା ପୂରଣ କରିବାକୁ ପୁଅ ଶବ ନେଇ ସ୍ବର୍ଗଦ୍ବାର ଅଭିମୁଖେ ବାହାରିଥିଲେ। ବାପାଙ୍କ ଶବ ନେଇ ଯାଉଥିବା ସ୍ବର୍ଗରଥର ଆଗେଆଗେ ପୁଅ ବାଇକ୍ ଚଳାଇ ଚାଲିଥିଲେ। ମାତ୍ର ସ୍ବର୍ଗଦ୍ବାରରେ ପହଞ୍ଚିବା ପୂର୍ବରୁ ପୁଅ ପାଲଟିଗଲେ ଶବ। ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ପୁଅଙ୍କ ମୃତ୍ୟୁ ହୋଇଗଲା। ଶେଷରେ ବାପା ଓ ପୁଅଙ୍କ ଜୁଇ ଏକାଠି ସ୍ବର୍ଗଦ୍ବାରରେ ଜଳିଲା। ଏଭଳି ଏକ ହୃଦୟ ବିଦାରକ ଘଟଣା ଆଜି ଧଉଳି ଅଞ୍ଚଳରେ ବିଷାଦର ଛାୟା ଖେଳାଇ ଦେଇଛି।
ବାପାଙ୍କୁ ସ୍ବର୍ଗଦ୍ବାର ନେବା ବାଟରେ ପୁଅ ପାଲଟିଲେ ଶବ
ଆଜି ସକାଳେ କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଚାନ୍ଦିପଲ୍ଲୀ ଗାଁର ଧ୍ରୁବ ଚରଣ ବରାଳ(୬୫)ଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସତ୍କାର ହେବ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା। ତେଣୁ ପୁଅ ବଳରାମ ମାଲଭାଇ ଓ ସମ୍ପର୍କୀୟମାନଙ୍କୁ ନେଇ ପୁରୀ ବାହାରିପଡ଼ିଥିଲେ। ସ୍ବର୍ଗରଥରେ ଧ୍ରୁବଙ୍କ ଶବ ସହ ପରିବାରର କିଛି ଲୋକ ଓ ଏକ ବୋଲେରୋରେ ସମ୍ପର୍କୀୟମାନେ ଥିଲେ। ନିଜେ ବଳରାମ ଏକ ବାଇକ୍ ଚଳାଇ ସ୍ବର୍ଗରଥର ଆଗେଆଗେ ଯାଉଥିଲେ। ଲିଙ୍ଗିପୁର ଛକରେ କୌଣସି ଅଜଣା ଗାଡ଼ି ତାଙ୍କ ବାଇକ୍କୁ ଧକ୍କା ଦେଇ ପଳାଇଥିଲା।
ସଂପର୍କୀୟମାନେ ଗୁରୁତର ଅବସ୍ଥାରେ ବଳରାମଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧ୍ରୁବଙ୍କ ଶବ ସହ ଅପେକ୍ଷା କରିଥିବା ପରିବାର ଲୋକେ ବଳରାମଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଲିଙ୍ଗିପୁର ଛକ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସନ୍ଧ୍ୟା ସୁଦ୍ଧା ସମ୍ପର୍କୀୟମାନେ ବାପା-ପୁଅଙ୍କ ଶବକୁ ନେଇ ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)