ପୋଖରୀରେ ବୁଡ଼ି ଯୁବକ ମୃତ

ସ୍ତ୍ରୀକୁ ଗ୍ରହଣ କଲେନି ମୃତକଙ୍କ ପରିବାର

ଖଣ୍ଡଗିରି : ସୋମବାର ପୂର୍ବ‌ାହ୍ନ ପ୍ରାୟ ୧୧ଟାବେଳେ ଯାଁଳା ଫାଣ୍ଡି କାଇମାଟିଆ ଗାଁ‌ରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ କଟକ ଜଗତପୁର ବହୁଗ୍ରାମ ଅଞ୍ଚଳର ନାରାୟଣ ସାହୁଙ୍କ ପୁଅ ସନ୍ତୋଷ ସାହୁ(୨୮)। ଜଟଣୀ ଅଗ୍ନିଶମ କର୍ମଚାରୀମାନେ ମୃତଦେହ ଉଦ୍ଧାର କଲା ପରେ ଯାଁଳା ଫାଣ୍ଡି ପୁଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କିନ୍ତୁ ମୃତ ସନ୍ତୋଷଙ୍କ ସ୍ତ୍ରୀଙ୍କୁ ପରିବାର ଲୋକେ ଗ୍ରହଣ କରିନାହାଁନ୍ତି। ସୂଚନାନୁସାରେ ସନ୍ତୋଷ ଦୀର୍ଘ ବର୍ଷ ଧରି ଯାଁଳାରେ କାର୍ ଚାଳକ ଭାବେ କାମ କରୁଥିଲେ। ପରେ ସେ ସୁନିତା(ଛଦ୍ମନାମ)ଙ୍କୁ ଭଲ ପାଇ ବିବାହ କରିବା ପରେ ଯାଁଳା ଛାଡ଼ି ସ୍ଥାନୀୟ କଜାଗସରା ପାଟଣାରେ ଭଡ଼ା ଘର ନେଇ ସୁନିତାଙ୍କ ସହ ରହୁଥିଲେ। ଯାଁଳା ଛାଡ଼ିବା ପରେ ସେ ଋଣଭାରରେ ବୁଡ଼ି ଯାଇଥିଲେ ଓ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଆଜି ସେ ଗାଧୋଉଥିବାବେଳେ ତୁଠ‌ରେ ଜଣେ ମାତ୍ର ବାଳକ ଥିଲା। ସ‌ନ୍ତୋଷ ପାଣିରେ ବୁଡ଼ି ଯାଇ କିଛି ସମୟ ପର୍ଯ୍ୟନ୍ତ ଉପରକୁ ନ ଉଠିବାରୁ ବାଳକଟି ସନ୍ଦେହ କରି ଗାଁ କୁ ଯାଇ ଲୋକଙ୍କୁ କହିଥିଲା। ଲୋକେ ଜଟଣୀ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପୋଖରୀରେ ପ୍ରାୟ ଅଧଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହ ମିଳିଥିଲା। ଯାଁଳା ଫାଣ୍ଡି ପୁଲିସ ଭୁବନେଶ୍ବର ଏମ୍‌ସରେ ଶବ ବ୍ୟବଚ୍ଛେଦ କରାଇଥିଲା। ଖବର ପାଇ ସନ୍ତୋଷଙ୍କ ପରିବ‌ାର ଲୋକେ ଓ ସ୍ତ୍ରୀ ସୁନିତା ଏମ୍‌ସରେ ପହଞ୍ଚିଥିଲେ। କିନ୍ତୁ ପରିବାର ଲୋକେ ସୁନିତାଙ୍କୁ ଗ୍ରହଣ କରି ନଥିଲେ। ସନ୍ତୋଷ ବିବାହ କରିଥିବା ନେଇ ପରିବାର ଲୋକେ ଜାଣି ନଥିବା କହି ତାଙ୍କୁ ଏଡ଼ାଇ ଯାଇଥିଲେ। ସୁନିତା ମଧ୍ୟ ବିବାହର ପ୍ରମାଣପତ୍ର ଦେଖାଇ ନ ପାରି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଏ ନେଇ ସେ ଆଇନ୍‌ର ଆଶ୍ରୟ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର