ପୋଖରୀରେ ବୁଡ଼ି ଯୁବକ ମୃତ

ମେଣ୍ଢାଶାଳ : ବୁଧବାର ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି କଳାଝର ଗ୍ରାମର ନୂଆ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମେଣ୍ଢାଶାଳ ଗ୍ରାମର ବୁଦ୍ଧେଶ୍ୱର ପ୍ରଧାନଙ୍କ ଭଣଜା ସୁବ୍ରତ କୁମାର ପ୍ରଧାନ ଓରଫ୍ କୁନୁ (୨୫)। ପୋଖରୀରୁ ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବ‌ଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହି ଅଘଟଣ ପରେ ମେଣ୍ଢାଶାଳରେ ଶୋକର ଛାୟା ଖେଳି ଯାଇଛି।

ଅଙ୍ଗାରପଡା ଗ୍ରାମର ହୃଦୟ ନନ୍ଦ ପ୍ରଧାନଙ୍କ ମୃତ୍ୟୁ ପରେ ପୁଅ କୁନୁ ପିଲାଟି ଦିନରୁ ମେଣ୍ଢାଶାଳରେ ମାମୁଁ ଘରେ ରହୁଥିଲେ। ମେଣ୍ଢାଶାଳରେ କୁନୁ ସାର୍‌ ଭାବେ ସେ ବେଶ୍ ପରିଚିତ ଥିଲେ। ଇଣ୍ଡିଆନ୍‌ ନାଭି ପରୀକ୍ଷା ପାଇଁ ସେ ଗତ କିଛି ଦିନ ହେଲା ପହଁରା ଶିଖୁଥିଲେ। ସେ ଆଜି ଘରେ ମା’ଙ୍କୁ ଚିକେନ୍ ଦେଇ ଗାଧେଇବାକୁ ଚାଲି ଯାଇଥିଲେ। ନିଜ ଟିଉସନ ପିଲାଙ୍କୁ ସାଙ୍ଗରେ ଧରି ସେ ମେଣ୍ଢାଶାଳରୁ ୫ କିମି ଦୂର କଳାଝର ପୋଖରୀକୁ ଗାଧୋଇ ଯାଇଥିଲେ। ପିଲାମାନେ କୂଳରେ ଗାଧୋଉଥିବା ବେଳେ କୁନୁ ପହଁରି ପହଁରି ଭିତରକୁ ଚାଲି ଯାଇଥିଲେ ଓ ଗଣ୍ଡରେ ବୁଡ଼ି ଯାଇଥିଲେ। ପିଲାମାନେ କୂଳରେ ଥାଇ ଦେଖୁଥିଲେ ବି ଗଣ୍ଡକୁ ଯାଇ ତାଙ୍କୁ ବଞ୍ଚାଇବାକୁ ସାହସ ଜୁଟାଇ ପାରିନଥିଲେ। ତେବେ ତୁରନ୍ତ ସେମାନେ କଳାଝର ଗାଁର ଲୋକମାନଙ୍କୁ ଡାକିଥିଲେ। ଗାଁ ଲୋକମାନେ ପୋଖରୀରେ ପଶି ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଠାବ କରିଥିଲେ। ବଞ୍ଚିଥିବା ଆଶା କରି ତାଙ୍କୁ ପ୍ରଥମେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର