ଯୁବକଙ୍କୁ ଆକ୍ରମଣ ମାମଲାରେ ୪ ଗିରଫ

ଭୁବନେଶ୍ୱର: ରାଜମହଲ ଛକ ଲେବର ୟୁନିୟନ ଅଫିସ୍‌ ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସାଇବର ନୂଆଗାଁ ଅଞ୍ଚଳର ସଞ୍ଜୟ ବେହେରା(୨୮), ଜଟଣୀ ରାଜାବଜାର ଅଞ୍ଚଳର ମନୋଜ ଦାସ(୩୦),ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଅଞ୍ଚଳର ରାଜେଶ ମହାପାତ୍ର(୨୫) ଓ ହରେକୃଷ୍ଣପୁର ଅଞ୍ଚଳର ସନ୍ତୋଷ ତ୍ରିପାଠୀ(୩୫)। ସମସ୍ତ ୪ ଅଭିଯୁକ୍ତ ଏଠାରେ ରାଜମହଲ ଅଞ୍ଚଳରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ସନ୍ତୋଷ ବଡ଼ଗଡ଼ ସ୍ଥିତ ଏକ ବିସ୍କୁଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲା। କାମ ବାବଦକୁ ସଂସ୍ଥାରୁ ଟଙ୍କା ପାଇବା ନେଇ ସନ୍ତୋଷ ଓ ଫ୍ୟାକ୍ଟ୍ରି ମାଲିକ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ତେବେ ଦୀଲ୍ଲ ମହାନ୍ତି ନାମକ ଜଣେ ଯୁବକ ଘଟଣାରେ ମଧ୍ୟସ୍ତତା କରି ସନ୍ତୋଷକୁ ଟଙ୍କା ଫେରାଇଥିଲା। ହେଲେ ଟଙ୍କା ପାଇବା ପରେ ମଧ୍ୟ ସନ୍ତୋଷ ଅସନ୍ତୋଷ ଥିଲା। ଗତକାଲି ସନ୍ଧ୍ୟାରେ ସନ୍ତୋଷ ଦୀଲ୍ଲଙ୍କୁ ରାଜମହଲ ଛକ ନିକଟ ଲେବର ଅଫିସ୍‌କୁ ଡ଼ାକିଥିଲା। ଦୀଲ୍ଲ ସେଠାରେ ପହଞ୍ଚିବା ମାତ୍ରେ ସନ୍ତୋଷ ପାଟିତୁଣ୍ଡ କରିଥିଲା। ସନ୍ତୋଷର ଏଭଳି ଆଚରଣ ଦେଖି ଦୀଲ୍ଲ ପ୍ରଥମେ ବୁଝିପାରି ନଥିଲେ। ସନ୍ତୋଷକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସନ୍ତୋଷ ବୁଝିବା ବଦଳରେ ଗାଳିଗୁଲଜ କରିଥିଲା। ଦୀଲ୍ଲ ପ୍ରତିବାଦ କରିବାରୁ ସନ୍ତୋଷ ଦୀଲ୍ଲଙ୍କ ଉପରକୁ ହାତ ଉଠାଇଥିଲା। ଫଳରେ ଉଭୟଙ୍କ ହାତାହାତି ହୋଇଥିଲେ। ହେଲେ ସେଠାରେ ଥିବା ସନ୍ତୋଷର ସହଯୋଗୀ ଦୌଡ଼ିଆସି ଦୀଲ୍ଲଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୀଲ୍ଲୁ ଆହତ ହୋଇଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ସନ୍ତୋଷ, ସଞ୍ଜୟ, ମେନୋଜ ଓ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର