ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ବାପା

ପୁରୁଣା ଭୁବନେଶ୍ବର : ମଙ୍ଗଳବାର ଏୟାର୍‌ଫିଲଡ଼୍‌ ଥାନା ବୋତଣ୍ଡାସ୍ଥିତ ‘ଭରସା’ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ, ଖାରବେଳ ନଗର ଅଞ୍ଚଳର ମହେଶ ରାଉତରାୟ(୩୫)। ଛାତ ଶିଡ଼ିରୁ ଖସି ପଡ଼ିବାରୁ ତାଙ୍କ ମୃତ୍ୟୁ ଘଟିଛି ବୋଲି ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଥାନାରେ ରିପୋର୍ଟ କରାଯାଇଛି। କିନ୍ତୁ ମୃତକଙ୍କ ପରିବାର ଏହାକୁ ଖଣ୍ଡନ କରିବା ସହ କେନ୍ଦ୍ର କର୍ମଚାରୀମାନଙ୍କ ଅବହେଳାରୁ ମହେଶଙ୍କ ମୃତ୍ୟୁ ଘଟିଛି ବୋଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ମୃତ ମ‌ହେଶଙ୍କ ବାପା ବିକ୍ରମ ରାଉତରାୟଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ‘ଭରସା’ର ସଭାପତି ତାଙ୍କୁ ଫୋନ୍‌ କରି କ୍ୟାପିଟାଲ ହସ୍ପିଟାଲକୁ ଡାକିଥିଲେ। ଶିଡ଼ିରୁ ଖସି ପଡ଼ି ଗୁରୁତର ଆହତ ହେବାରୁ ମହେଶର ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ। ଖବର ପାଇ ସେ ହସ୍ପିଟାଲରେ ପହଞ୍ଚିବା ପରେ ମହେଶର ମୃତଦେହ ଦେଖିଥିଲେ। ତା’ ମୁଣ୍ଡରେ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ନିଶା ନିବାରଣ କେନ୍ଦ୍ରରେ ଏତେ କର୍ମଚାରୀ ଥାଉ ଥାଉ ମ‌ହେଶ କାହିଁକି ଛାତ ଉପରକୁ ଏକୁଟିଆ ଯାଇଥିଲେ ବୋଲି ବିକ୍ରମ ପଶ୍ନ କରିଛନ୍ତି। ସାଧାରଣତଃ ନିଶାସକ୍ତ ଯୁବକମାନଙ୍କୁ ଏଭଳି କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ରଖିବା ବେଳେ କର୍ମଚାରୀମାନେ ଜଗି ରହିବା କଥା। ପ୍ରଥମତଃ ସେମାନେ ନିଶାସକ୍ତ ହୋଇଥିବାରୁ ଦୁର୍ବଳ ହୋଇପଡ଼ିଥାନ୍ତି ଓ ନିଶା ଛାଡ଼ିବା ପାଇଁ ଉଦ୍ଦିଷ୍ଟ ଔଷଧ ସେବନ କରୁଥିବା ଦିନମାନଙ୍କରେ ଅଧିକ ଅନ୍ୟମନସ୍କ ଓ ପ୍ରତିକ୍ରିୟାଶୀଳ ହୋଇ ପଡ଼ନ୍ତି। ତେଣୁ ସେମାନଙ୍କୁ କଟକଣା ମଧ୍ୟରେ ଜଗି ରଖିବାକୁ ପଡ଼ିଥାଏ। ସେଥିପାଇଁ କେନ୍ଦ୍ରକୁ ଅନ୍ତେବାସୀଙ୍କ ପରିବାର ପକ୍ଷରୁ ଦାବି ମୁତାବକ ଅର୍ଥ ପଇଠ କରିବାକୁ ପଡ଼ିଥାଏ। ତେଣୁ ମହେଶ କିଭଳି ଛାତ ଉପରକୁ ଏକୁଟିଆ ଗଲେ ଓ ତାଙ୍କୁ କାହିଁକି କର୍ମଚାରୀମାନେ ଠିକଣା ଭାବେ ଜଗି ନଥିଲେ ବୋଲି ବିକ୍ରମ ପ୍ରଶ୍ନ କରିଛନ୍ତି। ତେଣୁ ଚିକିତ୍ସା ଓ ଦେଖାଶୁଣାରେ କର୍ମଚାରୀମାନଙ୍କ ଅବହେଳା ତାଙ୍କ ପୁଅ ମୃତ୍ୟୁର କାରଣ ବୋଲି ସେ ଅଭିଯୋଗ କରି ଉକ୍ତ ନିଶା ନିବାରଣ କେନ୍ଦ୍ର ‘ଭରସା’କୁ ଦାୟୀ କରିଛନ୍ତି।

ତାଙ୍କ ସୂଚନାନୁସାରେ, ଭରସା ନିଶା ନିବାରଣ କେନ୍ଦ୍ରରେ ମହେଶ ୪ ମାସ ହେଲା ଚିକିତ୍ସିତ ହେଉଥିଲେ। ୪ଦିନ ପୂର୍ବରୁ ସେ କେନ୍ଦ୍ରକୁ ଯାଇ ମହେଶକୁ ଦେଖି ଆସିଥିଲେ। ସେ ଖୁବ୍ ଦୁର୍ବଳ ହୋଇଯାଇଥିଲା ବୋଲି ବିକ୍ରମ କହିଛନ୍ତି।

ପୁଲିସ ଭରସା କେନ୍ଦ୍ରର ରିପୋର୍ଟ ଉପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ବିକ୍ରମଙ୍କ ଅଭିଯୋଗକୁ ମଧ୍ୟ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ମହେଶ ଏଲ୍ଏଲ୍‌ବି ପାସ୍ କରିବା ପରେ ହଠାତ୍ ନିଶାସକ୍ତ ହୋଇପଡ଼ିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡ଼ା ଯାଇଥିଲା। ପୁଅ ଭଲ ଓ ସୁସ୍ଥ ହୋଇଯିବ ବୋଲି ବାପା ବିକ୍ରମ ଆଶା କରିଥିଲେ। କିନ୍ତୁ ଯେଉଁ କେନ୍ଦ୍ର ଉପରେ ଭରସା କରି ସେ ପୁଅକୁ ଛାଡ଼ିଥିଲେ, ସେହି କେନ୍ଦ୍ରର ଅବହେଳା ହିଁ ତାଙ୍କଠାରୁ ତାଙ୍କ ପୁଅକୁ ଛଡ଼ାଇନେଲା ବୋଲି ବିକ୍ରମ କୋହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର