ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଷ୍ଟୋଭ ଫାଟି ବାଳକ ମୃତ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ଥାନା ପୁଲିସ ଗାଡ଼କଣ ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟ ବସ୍ତିକୁଞ୍ଜ ଆମ୍ବତୋଟାରୁ ଆଜି ଭୋର୍‌‌‌ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଉକ୍ତ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଯୁବକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ଓ ତାଙ୍କ ଘର କୋଲକାତାରେ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକ ତାଙ୍କୁ ବଙ୍ଗାଳି ବୋଲି ଡାକୁଥିଲେ। ବାତ୍ୟା ପରେ ସେ ଉକ୍ତ ଅଞ୍ଚଳରେ ବୁଲାବୁଲି କରୁଥିଲେ। ତାଙ୍କୁ ହତ୍ୟା କରି ଏଠାରେ ଟାଙ୍ଗି ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଶବକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବା ପରେ ଶବାଗାରରେ ରଖାଯାଇଛି।

ଷ୍ଟୋଭ ଫାଟି ବାଳକ ମୃତ

ବାଲିପାଟଣା : ଷ୍ଟୋଭ୍‌ ଫାଟି ବାଲିପାଟଣା ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ସୁମୁଦି‌ର ରିତେଶ ବେହେରା(୧୦)ଙ୍କ ମୃତ୍ୟୁ ହୋଇଛି। ଗତ ଗୁରୁବାର ସକାଳେ ଏହି ଅଘଟଣ ଘଟିଥିଲା। ପରିବାର ଲୋକଙ୍କ କହିବା କଥା, ବାତ୍ୟାରେ ଘର ଭାଙ୍ଗିଯିବା ପରେ ଷ୍ଟୋଭରେ ରୋଷେଇ ହେଉଥିଲା। ମା’ ଚା’ ବସେଇ ବାଡ଼ି ପଟକୁ ଯାଇଥିବା ବେଳେ ରିତେଶ ସେଠାରେ ବସିଥିଲେ। ତେବେ ହଠାତ୍‌ ଷ୍ଟୋଭ୍‌ଟି ଫାଟି ଯିବାରୁ ରିତେଶଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର