ଭୁବନେଶ୍ୱର : ଏକାମ୍ରଭୀଲ୍ଲା ଅଞ୍ଚଳ ଏକ ଭଡ଼ାଘରୁ ଜଣେ ଯୁବକକଙ୍କ ଝୁଲନ୍ତା ମୃତଦେହକୁ ନୂଆପଲ୍ଲୀ ଥାନା ପୁଲିସ ଜବତ କରିଛି। ତାଙ୍କ ନାଁ ଦେବାଶିଷ ଜିତ(୨୧)। ଘର ଅନୁଗୁଳ ଜିଲ୍ଲା ପଲହଡ଼ା ବୋଲି ଜଣାପଡ଼ିଛି। ସହିଦନଗର ସ୍ଥିତ ମହର୍ଷି କଲେଜ୍‌ର +୩ ଶେଷବର୍ଷର ଛାତ୍ର। ଏଠାରେ ସେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ଅଞ୍ଚଳରେ ରହୁଥିଲେ।

Advertisment

ପୁଲିସ ସୂଚନା ମୁତାବକ, ହୋଲି ଥିବାରୁ ଦେବାଶିଷର କେତେଜଣ ସାଙ୍ଗ ଗୁରୁବାର ସନ୍ଧ୍ୟାରେ ନିଜ ନିଜର ଗାଁକୁ ଯାଇଥିଲେ। ହେଲେ ଦେବାଶିଷ ଗାଁକୁ ନଯାଇ ଏକାମ୍ରଭିଲ୍ଲା ଘରେ ରହିଥିଲା। ତେବେ କୌଣସି କାରଣରୁ ଜଣେ ଯୁବକ ଗାଁକୁ ନଯାଇ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ଥିତ ରୁମ୍‌କୁ ଫେରିଆସିଥିଲେ। କବାଟ ଖୋଲିବା ପାଇଁ ଦେବାଶିଷକୁ ଡାକିବାରୁ ସେ କିଛି ଜବାବ ଦେଇ ନଥିଲେ। ବହୁ ସମୟ ଧରି ଡାକିବା ପରେ ମଧ୍ୟ ଦେବାଶିଷ କିଛି ଜବାବ ନଦେବାରୁ ଯୁବକ ଜଣଙ୍କ ଝରକା ପଟେ ଡାକିବା ପାଇଁ ଯାଇଥିଲେ। ମାତ୍ର ସେଠାରେ ଦେବାଶିଷଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ଚିତ୍କାର କରିଥିଲେ। ଯୁବକଙ୍କ ପାଟିଶୁଣି ଆଖପାଖ ରୁମ୍‌ ପିଲା ଧାଇଁ ଆସିଥିଲେ। ଏହାପରେ ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ।

ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେବାଶିଷଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି। ସେହିପରି ଦେବାଶିଷଙ୍କ ମୋବାଇଲ୍‌ ନମ୍ବରକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। କେଉଁମାନେ ଦେବାଶିଷଙ୍କୁ କଲ୍‌ କରିଥିଲେ? କେଉଁ ନମ୍ବରୁ ତାଙ୍କ ମୋବାଇଲ୍‌କୁ କଲ୍‌ ଆସିଥିଲା? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଛି।