ଭୁବନେଶ୍ବର : ବିଗତ ୭ ଦିନ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ବରରେ ଦୁର୍ଘଟଣା ଘଟିଛି। ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ବେଳେ ଜଣେ ବାଇକ୍‌ ଚାଳକ ପ୍ରକୃତି ନିବାସ ସମ୍ମୁଖରେ ଡିଭାଇଡର ଉପରେ ଚଢ଼ିଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି। ପିଟିହୋଇ ପାଖାପାଖି ୨୦ ଫୁଟ୍‌ ଦୂରରେ ଛିଟିକି ପଡ଼ିଛନ୍ତି। ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଚାଳକଙ୍କର ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ଆହତ ଯୁବକକୁ ମେଡିକାଲ ପଠାଇଛି। ଘଟଣାସ୍ଥଳରୁ ଚାଳକଙ୍କର ମୋବାଇଲ ଚୋରି ହୋଇଯାଇଛି। ଡିଭାଇଡରରେ ବାଲି ଓ ଗଛ ଥିବାରୁ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚାଳକ ବାଲେଶ୍ବରର ପ୍ରଭାକର ସାହୁଙ୍କ ପୁଅ ରିଙ୍କୁ ସାହୁ ବୋଲି ପୁଲିସ କହିଛି। ସେ ବରମୁଣ୍ଡାରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରନ୍ତି।

Advertisment

ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀକାଳୀନ ଗାଡ଼ି ଚଳପ୍ରଚଳ କରୁଥିଲା‌। ଏଣୁ ୭ ଦିନ ମଧ୍ୟରେ ଗୋଟିଏ ହେଲେ ଦୁର୍ଘଟଣା ଘଟି ନ ଥିଲା। ଆଜି ସକାଳେ ରିଙ୍କୁ କିଛି କାମରେ କଟକ ଯାଇ ସଂସ୍ଥା(ମଣିଶ୍ରୀ ଡାଇଗ୍ନୋଷ୍ଟିକ୍‌)ର ବାଇକ୍‌(ଓଡି୦୨ଏକ୍ସ-୪୭୫୩) ଫେରୁଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ପ୍ରକୃତି ନିବାସ ସମ୍ମୁଖ ରାଜପଥରେ ଏକ ବଡ଼ ଗାଡ଼ି ତାଙ୍କୁ ଓଭରଟେକ୍‌ କରିଥିଲା। ରିଙ୍କୁ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯାଇଥିଲେ। ଗାଡ଼ିର ବେଗ ଅଧିକା ଥିବାରୁ ସେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ବସ୍ତିରୁ କିଛି ଲୋକ ଓ ଏହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆସି ତାଙ୍କୁ ଉଠାଇଥିଲେ। କିଛି ସମୟ ପରେ ପୁଲିସ ପହଞ୍ଚିଥିଲା।