ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡାରେ ଖଣ୍ଡା ଚୋଟରେ ଯୁବକ ଗୁରୁତର

ଖଣ୍ଡଗିରି : ଗୁରୁବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡାରେ ଜଣେ ଯୁବ ବ୍ୟବସାୟୀଙ୍କୁ ପୂର୍ବ ଶତ୍ରୁତାରୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ବ୍ୟବସାୟୀ ଜ୍ୟୋତିରଞ୍ଜନ ସ୍ବାଇଁ ଓରଫ୍ ମିଟୁ(୩୬) ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ତଥା ମିଟୁଙ୍କ ସମ୍ପର୍କୀୟ ପୁତୁରା ଡୁଡୁଲି(୨୨) ଓ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ମିଟୁଙ୍କ ଅଭିଯୋଗ ଅନୁସାରେ ଶିବ ମନ୍ଦିର ରାସ୍ତାରେ ଥିବା ତାଙ୍କ ତେଜରାତି ଦୋକାନକୁ ସେ ବନ୍ଦ କରିବାକୁ ଯାଉଥିବାବେଳେ ଏକ ବାଇକ୍‌ରେ ଡୁଡୁଲି ଓ ତା’ର ଦୁଇ ଜଣ ସାଙ୍ଗ ସେଠ‌ାରେ ପହଞ୍ଚିଥିଲେ। ମିଟୁ ଓ ଅନ୍ୟ ଜଣେ ଦୋକାନ ଭିତରକୁ ପଶି ଆସିଥିଲେ। ଡୁଡୁଲି ହାତରେ ଖଣ୍ଡା ଧରିଥିବା ବେଳେ ଅନ୍ୟ ଜଣଙ୍କ ଏକ କଟୁରୀ ଧରିଥିଲା। ମିଟୁ କିଛି ବୁଝିବା ପୂର୍ବରୁ ଡୁଡୁଲି ଖଣ୍ଡାରେ ଓ ଅନ୍ୟ ଜଣଙ୍କ କଟୁରୀରେ ହାଣି ପକାଇଥିଲେ। ଫଳରେ ମିଟୁଙ୍କ କାନ୍ଧ, ‌ପିଠି, ଗୋଡ଼ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏତିକିବେଳେ ପାଖ ଦୋକାନୀମାନେ ପାଟି କରିବାରୁ ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ।

ପୂର୍ବରୁ ଲାଗି ରହିଥିବା ଜମିଜମା ବିବାଦରୁ ଏହି ଗଣ୍ଡଗୋଳ ଘଟିଛି। ମାତ୍ର ମିଟୁ ଏହାକୁ ଖଣ୍ଡନ କରିଛନ୍ତି। ଜମିଜମା ସଂକ୍ରାନ୍ତ ଗଣ୍ଡଗୋଳ କିଛି ନାହିଁ। ଆଇନକାନୁନ୍ ଅନୁସାରେ ବହୁ ପୂର୍ବରୁ ଜମିବାଡ଼ି ବଣ୍ଟନ ହୋଇ ସାରିଛି ଓ ଯିଏ ଯାହା ଭାଗରେ ଅଛନ୍ତି। ଏମିତିକି ମାଲିମକଦ୍ଦମା କିଛି ବି ନାହିଁ। ବରଂ ସବୁ ସମ୍ପତ୍ତି ହାତେଇବା ପାଇଁ ଏପରି ଷଡ଼୍‌ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର