ଭୁବନେଶ୍ୱର : ଜୟଦେବବିହାର ଓଭରବ୍ରିଜ୍‌ ଉପରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଟ୍ରକ୍‌କୁ ଜବତ କରିଛି।

Advertisment

ଶନିବାର ଅପରାହ୍ଣରେ ଯୁବକ ଜଣଙ୍କ ନୂଆପଲ୍ଲୀରୁ ବାଣୀବିହାର ଯାଉଥିଲେ। ସେ ଜୟଦେବବିହାର ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ବରମୁଣ୍ଡା ପଟୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣଙ୍କ ବାଇକ ସହ ଉପରକୁ ଉଠିଯାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଯୁବକ ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହି ଚିତ୍କାର କରୁଥିବା ବେଳେ ରାସ୍ତାରେ ଯାଉଥିବା କିଛି ଲୋକ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଥାନାକୁ ନେଇଥିଲା। ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।