କାର୍ ଓ ବାଇକ୍‌ରେ ଆସିଥିଲେ ୫ ଦୁର୍ବୃତ୍ତ
ଘୋଷାରି ଘୋଷାରି ଯୁବକକୁ କାର୍‌ରେ ନେଇଗଲେ
ବାଧା ଦେବାରୁ ଭୁଜାଲିରେ ହାଣି ଦେବାକୁ ଧମକ ଦେଲେ

Advertisment

ଭୁବନେଶ୍ବର : ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟା ବେଳେ ୫ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ରାସ୍ତା ମଝିରୁ ଟେକି ନେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଯୁବକଙ୍କୁ ମାଡ଼ ମାରି ରାସ୍ତା ଉପରେ ଘୋଷାରି ଘୋଷାରି ନେଇ କାର୍‌ରେ ପୂରାଇ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଅପହରଣର ଦୃଶ୍ୟ ମୋବାଇଲ୍‌ରେ କଏଦ୍‌ କରୁଥିଲେ ହେଁ ଅପହରଣକାରୀମାନଙ୍କୁ ଅଟକାଇବାକୁ ସାହସ ଜୁଟାଇ ପାରି ନଥିଲେ। ଅପହରଣକାରୀମାନେ ଲୋକଙ୍କୁ କଥାକଥାକେ ହାଣିଦେବାର ଭୟ ଦେଖାଉଥିଲେ। ତେବେ ଘଟଣା ଘଟିବାର ପ୍ରାୟ ୫ ଘଣ୍ଟା ପରେ ଭୁବନେଶ୍ବର ଡିସିପି ଟ୍ବିଟ୍ କରି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ଯୁବକଜଣକ ଏକ ନିଶାନିବାରଣ କେନ୍ଦ୍ରରୁ ଖସି ଆସିଥିବା ଯୋଗୁଁ ତାଙ୍କୁ ପୁଣି ସେଠାକୁ ନେବା ପାଇଁ ଏହି ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସେ ଟ୍ବିଟ୍‌ରେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଯୁବକଜଣକ ଖଣ୍ଡଗିରି ବରବାରି ଅଞ୍ଚଳର ଲିପୁ ନାୟକ। ସେ ଦୀର୍ଘ ବର୍ଷ ହେଲା ନିଶା କବଳିତ ହୋଇ ଘରଲୋକଙ୍କ କଥା ମାନୁ ନଥିଲେ। ତାଙ୍କୁ ପଟିଆସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରଖାଯାଇଥିଲା।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟା ପ୍ରାୟ ୫ଟା ବେଳେ ଡେଲ୍‌ଟା ଟ୍ରାଫିକ୍ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ସେହି ସମୟରେ ବରମୁଣ୍ଡା ଗାଁ ପଟୁ ଜଣେ ଯୁବକଙ୍କୁ ମଝିରେ ବସାଇ ଦୁଇଜଣ ଯୁବକ ବାଇକ୍‌ରେ ଆସିଲେ। ଏହା ପଛେ ପଛେ ଏକ ନୀଳ ରଙ୍ଗର କାର୍(ଓଡି୦୨ବିଇ୭୬୫୬) ଆସିଲା। ପରେ ବାଇକ୍‌ରୁ ଓହ୍ଲାଇ ଯୁବକଦ୍ବୟ ମଝିରେ ବସିଥିବା ଯୁବକଙ୍କୁ କାର୍‌ରେ ଘୋଷାରି ନେବାକୁ ଉଦ୍ୟମ କରିଥିଲେ। କାର୍‌ରେ ବସିଥିବା ଦୁର୍ବୃତ୍ତ ମଧ୍ୟ ସେମାନଙ୍କୁ ସହାୟତା କରି ଯୁବକଙ୍କୁ ମାଡ଼ ମାରି କାର୍‌କୁ ଘୋଷାରି ନେଇଥିଲେ। ଯୁବକଜଣକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ ମଧ୍ୟ କେହି ଶୁଣିନଥିଲେ। ଯିଏ ବି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲା, ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। କଥା କଥାକେ ଦୁର୍ବୃତ୍ତମାନେ ଲୋକଙ୍କୁ ଭୁଜାଲିରେ ହାଣିବାକୁ ଧମକ ଦେଉଥିବାରୁ ଭୟରେ ସେମାନଙ୍କ ନିକଟକୁ କେହି ଯାଇ ନଥିଲେ। ତେବେ ଜଣେ ବୟସ୍କ ବ୍ୟକ୍ତି ସାହସ ଜୁଟାଇ ସେମାନଙ୍କ ଗାଡ଼ି ଆଗରେ ଛିଡ଼ା ହେବାରୁ ଅପହରଣକାରୀମାନେ ତାଙ୍କ ଉପରେ ଗା଼ଡ଼ି ଚଢ଼ାଇ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ଯୁବକଜଣକ ଯଦି ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଲେ ତାଙ୍କୁ ନେବା ପାଇଁ ଆସିଥିବା କର୍ମଚାରୀମାନେ ତାଙ୍କୁ ମାଡ଼ କାହିଁକି ମାରିଲେ? ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ କାହିଁକି ଅନ୍ଧାରରେ ରଖିଲେ? ଏସବୁ ବାଦ୍ ଲୋକଙ୍କୁ କଥା କଥାକେ ହାଣିବା, ଗାଳିଗୁଲଜ କରିବା ସହ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରି ଫେରାର୍ କାହିଁକି ହୋଇଗଲେ?