ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଚିତ୍ତଲପୁର ଜୈନାବାଦ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ସୋମଣା ପଞ୍ଚାୟତ ବିଶ୍ୱାଳପଡ଼ା ଖଇରାତ ଗ୍ରାମର ବନମାଳୀ ପ୍ରଧାନଙ୍କ ପୁଅ ପ୍ରଦୀପ ପ୍ରଧାନ(୩୩)। ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି। ଆଜି ସକାଳୁ ସେ ଏକ ସାଇକେଲରେ ହରିପୁର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଏକ ଟ୍ରକ୍ (ଓଆର୍-୦୫ଟି ୭୪୭୯) ତାଙ୍କୁ ପଛପଟୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ।
ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ଓ ପରେ କ୍ୟାପିଟାଲ ହସ୍ପିଟାଲ​ରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଳଙ୍ଗା ପୁଲିସ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ ହୋଇଛି। ଅପରପକ୍ଷେ ଏହି ଘଟଣାକୁ କେନ୍ଦ୍ର କରି ଉପସ୍ଥିତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ରେ ନିଆଁ ଲଗାଇ ଦେଇଥିଲେ। ବଳଙ୍ଗା ପୁଲିସ ଏବଂ ପିପିଲି ଅଗ୍ନିଶମ ବାହିନୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଟ୍ରକ୍ଟି ଅଧାରୁ ଅଧିକ ଜଳି ଯାଇଥିଲା। ସୂଚନାଯୋଗ୍ୟ, ଦେଢ଼ ବର୍ଷ ତଳେ ପ୍ରଦୀପଙ୍କ ବାହାଘର ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident.jpg)