ଶିଶିଲୋ ସ୍ତବ୍ଧ: ଡାକିନେଇ ମାରିଦେଲେ, ୨ ସନ୍ଦିଗ୍ଧ ଅଟକ

ବାଲିପାଟଣା : ରାତି ପାହିଲେ ହୋଇଥାଆନ୍ତା ଭଉଣୀର ମଙ୍ଗଳକୃତ୍ୟ। ବର ନିମନ୍ତ୍ରଣ ପାଇଁ ବରଧରା ହୋଇଯାଇଥା’ନ୍ତେ। ମାତ୍ର ଦୁର୍ବୃତ୍ତମାନଙ୍କ ଚାଲ୍‌ ବୁଝିନପାରି ଫସିଗଲେ। ତାଙ୍କୁ ଫୋନ୍‌ କରି ଘରୁ ଡାକିନେବା ପରେ ଦୁର୍ବୃତ୍ତମାନେ ହତ୍ୟା କରି ବିଲରେ ଫିଙ୍ଗିଦେଲେ। ବୁଧବାର ରାତିରେ ଘଟିଥିବା ଏଭଳି ଯୋଜନାବଦ୍ଧ ହତ୍ୟାକାଣ୍ଡ ମାମଲାରେ ଗୁରୁବାର ଦିନ ବାଲିଅନ୍ତା ଥାନା ଶିଶିଲୋ ଗାଁ ସ୍ତବ୍ଧ ହୋଇଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସେହି ଗାଁର ପ୍ରମୋଦ ଓଝାଙ୍କ ପୁଅ ଆଶିଷ ଓରଫ୍ ବବୁଲ୍‌(୨୧)। ଦୁର୍ବୃତ୍ତମାନେ ପ୍ରଥମେ କୌଣସି ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିବା ସହ ବିଲ କାଦୁଅରେ ମୁହଁକୁ ମାଡ଼ି ଦେଇ ବଡ଼ ବୀଭତ୍ସ ଭାବେ ଆଶିଷଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଏହି ମାମଲାରେ ଗାଁର ଦୁଇ ଜଣଙ୍କୁ ଅଟକ ରଖିଛି।

ପ୍ରମୋଦଙ୍କ ଅଭିଯୋଗ ଅନୁସାରେ ବୁଧବାର ଦିନ ଗାଁରେ ଅନ୍ୟ ଜଣେ ଝିଅର ବାହାଘର ହେଉଥିଲା। ଆଶିଷ ଉକ୍ତ ବାହାଘରରେ ଯୋଗ ଦେଇ ଘରକୁ ଆସିଥିଲେ। ଭଉଣୀ ପୂଜାର ମଙ୍ଗନ ଓ ବରଧରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି‌ରେ ଲାଗିପଡ଼ିଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ କେହି ତାଙ୍କୁ ଫୋନ୍‌ କରିଥିଲା। କାହାକୁ କିଛି ନକହି ଆଶିଷ ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ଫୋନ୍‌ ସୁଇଚ୍‌ ଅଫ୍ ଥିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା। ତେଣୁ ରାତି ସାରା ସେମାନେ ବହୁ ‌ଖୋଜାଖୋଜି କରିଥିଲେ। ସକାଳେ ଥାନାରେ ଜଣାଇବେ ବୋଲି ସ୍ଥିର କରିଥିଲେ। କିନ୍ତୁ ସକାଳୁ ସକାଳୁ ଘରଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଧନୁଆ ନଈ କୂଳ ବୋଧଖଣ୍ଡି ଗାଁର ଏକ ବିଲରେ ଆଶିଷଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳକୁ ଆଖପାଖ ଗାଁ ଲୋକଙ୍କ ସୁଅ ଛୁଟିଥିଲା। ଖବର ପାଇ ବାଲିପାଟଣା ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା। ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ନାକରୁ ରକ୍ତ ବାହାରିଆସିଥିଲା। ବେକରେ ବି ଦାଗ ଥିଲା। ମୁହଁ ପଙ୍କକାଦୁଅରେ ପୋତି ହୋଇ ରହିଥିଲା। ମୃତଦେହଠାରୁ କିଛି ଦୂରରେ ସାଇକେଲ ପଡ଼ିଥିବା ବେଳେ ବବୁଲ୍‌ଙ୍କ ପକେଟ୍‌ରେ ପ୍ରାୟ ଅଢ଼େଇ ହଜାର ଟଙ୍କା ବି ଥିଲା। କିନ୍ତୁ ତାଙ୍କ ମୋବାଇଲ୍‌ ଫୋନ୍‌ ସେଟ୍‌ଟି ମିଳିନଥିଲା।

ପ୍ରମୋଦଙ୍କ ଏତଲା ଅନୁସାରେ ସେହି ଗାଁର ରାଜା ନାମକ ଜଣେ ଯୁବକ ତାଙ୍କ ଝିଅ ପୂଜାକୁ ସବୁବେଳେ ହଇରାଣ କରୁଥିଲା। ଅଶ୍ଳୀଳ ଇଙ୍ଗିତ କରୁଥିଲା। ଏନେଇ ବବୁଲ୍‌ ଓ ରାଜା ମଧ୍ୟରେ ପୂର୍ବରୁ ଗଣ୍ଡ‌ଗୋଳ ହୋଇଥିଲା ଓ ରାଜା ବିଭିନ୍ନ ଧମକଚମକ ଦେଇଥିଲା। ଗଣ୍ଡଗୋଳ ପରେ ରାଜା ବୁଲିବୁଲି ପୂଜା ନାଁରେ ଅପବାଦ ପ୍ରଚାର କରୁଥିଲା। ତେଣୁ ପୂଜାର ବାହାଘର ସ୍ଥିର ହେବା ପରେ ରାଜା ହିଁ ଯୋଜନାବଦ୍ଧ ଭାବେ ବବୁଲ୍‌କୁ ହତ୍ୟା କରିଛି। ବାଲିପାଟଣା ଥାନା ପୁଲିସ ଏହି ମାମଲାରେ ୨ଜଣଙ୍କୁ ଉଠାଇ ଥାନାରେ ପଚରାଉଚରା କରୁଛି। ତଦନ୍ତ‌ରେ ବାଧା ଉପୁଜିବା କାରଣରୁ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଜୋନ୍‌-୪ ଏସିପିଙ୍କ ନେତୃତ୍ବରେ ବାଲିପାଟଣା ଓ ବାଲିଅନ୍ତା ଥାନା ଅଧିକାରୀମାନେ ଏହି ମାମଲାର ତଦନ୍ତ କରୁଛନ୍ତି। ବବୁଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ମିଳିନଥିଲେ ବି ପୁଲିସ ତାଙ୍କ କଲ୍‌ ରେକର୍ଡ ଯାଞ୍ଚ ଚଳାଇଛି। ବବୁଲ୍‌କୁ ଦିନତମାମ କିଏ କିଏ ଫୋନ୍‌ କରିଥିଲେ ଓ ସେ ଘରୁ ବାହାରିଯିବା ପୂର୍ବରୁ କେଉଁ କେଉଁ ନମ୍ବରରୁ ତାଙ୍କୁ କଲ୍‌ ହୋଇଥିଲା, ସେସବୁର ଖୋଳତାଡ୍‌ ଚାଲିଛି। ତେଣୁ ପୁଲିସ ପାଇଁ ଏହି ମାମଲା ଅଧିକ ରହସ୍ୟମୟ ହୋଇ ରହିବନି ଓ ଖୁବ୍‌ ଶୀଘ୍ର ହତ୍ୟାକାରୀମାନେ ଗିରଫ ହେବେ ବୋଲି ପୁଲିସ ସୂଚନା ଦେଇଛି।

ବନ୍ଧୁ ସାଜିଲା କି ବଇରି!
ଘଟଣାରୁ ଅନୁମାନ କରାଯାଉଛି ଯେ ବବୁଲ୍‌କୁ ଫୋନ୍‌ କରିଥିବା ସନ୍ଦିଗ୍ଧ ନିଶ୍ଚୟ ତାଙ୍କ ଅତି ପରିଚିତ ବା ଘନିଷ୍ଠ। ହତ୍ୟା ଷଡ଼୍‌ଯନ୍ତ୍ର କରିଥିବା ଦୁର୍ବୃତ୍ତ ବବୁଲ୍‌ଙ୍କ ଏହି ଘନିଷ୍ଠ ବନ୍ଧୁଙ୍କ ଦ୍ବାରା ଘରୁ ଡକାଇଥିବା ପୁଲିସ ସନ୍ଦେହ କରୁଛି। ବିଶ୍ବସ୍ତ ସୂତ୍ରରି ମିଳିଥିବା ଖବର ଅନୁସାରେ ପୁଲିସ ଉକ୍ତ ବନ୍ଧୁକୁ ଚିହ୍ନଟ କରିସାରିଛି। ଏମିତିକି ଅଟକ ଥିବା ଦୁଇ ସନ୍ଦିଗ୍ଧ ବି ବହୁତ କିଛି ମାନିଗଲେଣି ବୋଲି ଜଣାପଡ଼ିଛି।

ବରଧରା ଯାଇଥା’ନ୍ତେ, ସ୍ବର୍ଗଦ୍ବାର ଗଲେ
ପ୍ରମୋଦ ଓଝାଙ୍କ ଝିଅ ପୂଜାର ବାହାଘର ୮ ତାରିଖରେ ହୋଇଥାଆନ୍ତା। ଖୋର୍ଦ୍ଧା ଧଳାପଥର ଗ୍ରାମର ନାରାୟଣ ମହାରଣାଙ୍କ ପୁଅ ଜିତେନ୍ଦ୍ର ଓରଫ୍‌ ଜିତୁଙ୍କ ସହ ପୂଜାଙ୍କ ହାତଗଣ୍ଠି ପଡ଼ିଥାଆନ୍ତା। ଗୁରୁବାର ଥିଲା ମଙ୍ଗନ। ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା ଓ କିଛି ବନ୍ଧୁବାନ୍ଧବ ବି ଆସି ସାରିଥିଲେ। ତେଣୁ ପରିବାରରେ ଥିଲା ବେଶ୍ ଖୁସିର ମାହୋଲ୍‌। ସକାଳୁ ସକାଳୁ ବରଧରା ଯିବା ପାଇଁ ବବୁଲ୍‌ ବି ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। କାହାର ଫୋନ୍‌ କଲ୍‌ ପାଇ ବବୁଲ୍‌ ଘରୁ ଗଲେ ଯେ ଆଉ ଫେରିଲେ ନାହିଁ। ଗୁରୁବାର ବରଧରା ହୋଇ ଯିବାକୁ ଥିବା ବବୁଲ୍‌ଙ୍କ ମୃତଦେହ ଗଲା ପୁରୀ ସ୍ବର୍ଗଦ୍ବାର। ଗାଁରେ ଦୁଇ ଦୁଇଟି ଝିଅ ବାହାଘରକୁ ନେଇ ଲାଗିଥିବା ଗହଳଚହଳ ହଠାତ୍ ନିରବ ହୋଇଯାଇଥିଲା। ଗାଁରେ ଛାଇ ଯାଇଥିଲା ଶୋକାକୂଳ ପରିବେଶ।

ସମ୍ବନ୍ଧିତ ଖବର