ଯୁବକଙ୍କୁ ବୀଭତ୍ସ ହତ୍ୟା : ‘ଗାଳି କରିବାରୁ ପଥରରେ ଛେଚି ଦେଲି’

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲା ପାଇଁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ସହରରେ କର୍ଫ୍ୟୁ ଲାଗିଛି। ପୂରା ସହରକୁ ପୁଲିସ ଜଗିଛି। ଏଭଳି ପରିସ୍ଥିତିରେ ନୂଆପଲ୍ଲୀ ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା କରିଛି ଯୁବକ। ମୃତକ ହେଲେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳର ବନୁ ଶବର(୩୦)। ନୂଆପଲ୍ଲୀ ଥାନା ପୁଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର ଟୁକୁନା ବେହେରା। ଆଜି ଅପରାହ୍‌ଣରେ ପୁଲିସ୍‌ ତାକୁ କୋର୍ଟ ଚାଲାଣ କରିଛି। ଗତ ୫ ତାରିଖ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବନୁଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ତେବେ ପୁଲିସର ପଚରାଉଚରା ବେଳେ ଟୁକୁନା କହିଛି, ବନୁ ତାକୁ ଗାଳି ଦେବାରୁ ସେ ତାଙ୍କୁ ପଥରରେ ଛେଚି ଦେଇଥିଲା।

ମୃତକ ଧାନମଣ୍ଡଳର ବନୁ ଶବର ନୂଆପଲ୍ଲୀ ଥାନା ଦୁର୍ଗାମଣ୍ଡପରେ ନିକଟରେ ରହୁଥିଲା। ଅଭିଯୁକ୍ତ ଟୁକୁନା ବେହେରା ସାଲିଆସାହି ଶକ୍ତି ବିହାରରେ ରୁହେ। ଉଭୟ ଶ୍ରମିକ ଭାବେ କାମ କରି ପରିବାର ଚଳାନ୍ତି। ଦୁଇ ସାଙ୍ଗ ସବୁଦିନ ଦୁର୍ଗା ମଣ୍ଡପରେ ଏକାଠି ହୁଅନ୍ତି ଓ ନିଶା ସେବନ କରନ୍ତି। ୫ ତାରିଖ ଭୋର୍‌ ୪ଟା ବଳେ ଦୁହେଁ ଦୁର୍ଗା ମଣ୍ଡପରେ ବସିଥିଲେ। ସେଠାରେ ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ସେଠାରୁ ସେମାନେ ହେଲ୍ଥ ଭିଲେଜ୍‌ ଆଡକୁ ଚାଲି ଚାଲି ଯାଇଥିଲେ। ଉଭୟ ହାତାହାତି ହେବା ବେଳେ ବନୁ ତଳେ ପଡ଼ି ଯାଇଥିଲା। ଟୁକୁନା ଏକ କଂକ୍ରିଟ୍‌ ପଥର ଆଣି ବନୁଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଛଟପଟ ହେଉଥିବା ସମୟରେ ଟୁକୁନା ସେଠାରୁ ଖସି ପଳାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ବନୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ଆଜି ସାଲିଆସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ବନୁଙ୍କ ଖୁଡି ମୟୂରଭଞ୍ଜର ବର୍ଷା ଶବରଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର