ରାଜଧାନୀ‌ରେ ବୀଭତ୍ସ ହତ୍ୟାକାଣ୍ଡ: ଗୋଡ଼ ବାଜିଗଲା ବୋଲି ମାରିଦେଲେ

୨ ମହିଳା ଜାବୁଡ଼ି ଧରିଲେ, ରାଜା ଛୁରି ଭୁସିଲା

ଦୁଇ ପରିବାରର ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌
ରଘୁନାଥନଗରରେ ଉତ୍ତେଜନା, ପୁଲିସ ମୁତୟନ
ସିସିଟିଭିରେ କଏଦ ସମସ୍ତ ଘଟଣା

ଭୁବନେଶ୍ବର : ଗୋଟିଏ ପଟେ ରାଜଧାନୀରେ କମିସନରେଟ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ ଜୋରଦାର ଚାଲିଛି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ବି ଜାରି ରହିଛି। କିନ୍ତୁ ବସ୍ତି ଅଞ୍ଚଳରେ ଅପରାଧ ଥମିବାରେ ନାଁ ଧରୁନି। ରବିବାର ରାତିରେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗର ବଜାରରେ ସାମାନ୍ୟ ଗୋଡ଼ ବାଜିଗଲା ବୋଲି ରାଗିଯାଇ ଦୁଇ ଜଣ ମହିଳା ଓ କିଛି ପୁରୁଷ ମିଶି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ସନାତନ ରାଉତରାୟ(୨୬)। ତାଙ୍କର ରଘୁନାଥନଗର ବଜାରରେ ଏକ ମୋବାଇଲ ଦୋକାନ ରହିଛି। ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାଜା ଜୟସିଂ ଫେରାର ହୋଇଯାଇଛି। ଖଣ୍ଡଗିରି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରକ୍ତ ନମୁନା, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଚପଲ ଆଦି ଜବତ କରିଛି। ଏହି ଘଟଣାକୁ ନେଇ ରଘୁନାଥନଗରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏ ସମସ୍ତ ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଥିବାରୁ ପୁଲିସ ପାଇଁ ଅଭିଯୁକ୍ତଙ୍କୁ ଚିହ୍ନିବା ସହଜ ହୋଇଛି।

ଘରୁ ଡାକି ନେଇ ପାନ ଦୋକାନରେ ହତ୍ୟା
ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ଥିଲା। କିନ୍ତୁ ରଘୁନାଥନଗର ବଜାରର ଅଳ୍ପ ଦୂରରେ ଏକ ଗଳିରେ ଥିବା ଏକ ପାନ ଦୋକାନରେ ଅଭିଯୁକ୍ତମାନେ ଭୋଜି କରୁଥିଲେ। ସନାତନ ସେହି ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ରାଜାର ସ୍କୁଟି ସହ ତାଙ୍କ ବାଇକ୍‌ରେ ଧକ୍କା ହୋଇଥିଲା। ସେହି ସମୟରେ ସାନତନଙ୍କ ଗୋଡ଼ ରାଜା ଦେହରେ ବାଜି ଯାଇଥିଲା। ଏହାକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା। ଏହାପରେ ସନାତନ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ କିଛି ସମୟ ପରେ ରାଜା ଓ ତାର ଦୁଇ ଜଣ ସହଯୋଗୀ ଘରେ ପହଞ୍ଚି ସନାତନଙ୍କୁ ପାନ‌ ଦୋକାନ ନିକଟକୁ ଡାକି ନେଇଥିଲେ। ସେଠାରେ ଦୁଇ ମହିଳା ଓ ଅନ୍ୟ ସହଯୋଗୀମାନେ ସନାତନଙ୍କୁ ମାଡ଼ି ବସିଥିଲେ। ଆଉ ରାଜା ଗୋଟିଏ ଛୁରିରେ ସନାତନଙ୍କ ବେକ, ମୁହଁ, ହାତ, ଛାତିକୁ ବାରମ୍ବାର ଭୁସି ଚାଲିଥିଲା। ସନାତନଙ୍କ ଚିତ୍କାର ଶୁଣି ତାଙ୍କର ସମ୍ପର୍କୀୟ ଭାଇ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ସନାତନଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସମ୍ପର୍କୀୟ ଓ ପରିବାର ଲୋକ ଏମ୍ସ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତ ସନାତନଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତେଦହ ହସ୍ତାନ୍ତର କରାଯାଇଛି। ଫେରାର ହୋଇ ଯାଇଥିବା ମୁଖ୍ୟ ଅଭିଯୁକ୍ତ ରାଜାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ରାଜା ନିଜ ଘର ଜଙ୍କିଆକୁ ଚାଲି ଯାଇଥିବା ଖବର ପାଇ ପୁଲିସ୍ ଟିମ୍ ସେଠାରେ ପହଞ୍ଚିଥିଲା। କିନ୍ତୁ ରାଜା ସେଠାକୁ ଯାଇଥିଲେ ମଧ୍ୟ ପୁଲିସ ପହଞ୍ଚିବା ପୂର୍ବରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ସନାତନ ରାଉତରାୟ

ବାପା, ମା, ପୁଅ ସାମିଲ
ଏହି ବୀଭତ୍ସ ହତ୍ୟାକାଣ୍ଡରେ ଦୁଇ ପରିବାରର ୬ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ବାୟା ପ୍ରଧାନ(୪୦), ତାଙ୍କ ପତ୍ନୀ ବାଲା ପ୍ରଧାନ(୩୮) ଓ ପୁଅ ରାଜା ପ୍ରଧାନ(୧୯)। ସେହିପରି ସୁଭଦ୍ରା ସାହୁ(୫୦) ଓ ତାଙ୍କ ପୁଅ ମିଥୁନ ସାହୁ(୨୫) ମଧ୍ୟ ସମ୍ପୃକ୍ତ ରହିଛନ୍ତି। ଅନ୍ୟତମ ଅଭିଯୁକ୍ତ ସୀମାଞ୍ଚଳ ପ୍ରଧାନ ଓରଫ୍ ଜଟି(୨୯) ବାୟାଙ୍କର ସମ୍ପର୍କୀୟ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତ ରାଜା ଏମାନଙ୍କର କୌଣସି ସମ୍ପର୍କୀୟ ହୋଇ ନ ଥିଲେ ମଧ୍ୟ ତାଙ୍କ ଜରିଆରେ ସେ ନିଶା କାରବାର କରେ ବୋଲି ଜଣାପଡ଼ିଛି।

ବସ୍ତି ଉପରୁ ନିୟନ୍ତ୍ରଣ ହରାଉଛି କି ପୁଲିସ! ନିଶା କାରବାର ଉପରେ ଲାଗିପାରୁନି ରୋକ୍
ଚଳିତମାସ ୬ ତାରିଖରେ ମଞ୍ଚେଶ୍ବର ଥାନା ପଳାଶୁଣୀ ମୁଣ୍ଡାସାହିରେ ପଶି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ। ପୂରା ତାଲିବାନୀ ଷ୍ଟାଇଲରେ ଆକ୍ରମଣ କରି ଘର, ଗାଡ଼ି ଯାହା ଆଗରେ ପଡ଼ିଲା ଭାଙ୍ଗିଥିଲେ; ଯିଏ ସାମ୍ନାକୁ ଆସିଲା ଲୁହାରଡ୍‌ରେ ପିଟି ଲହୁଲୁହାଣ କରି ଦେଇଥିଲେ। ଯାହାକୁ ନେଇ ରାଜଧାନୀ ଆଇନଶୃଙ୍ଖଳା ଉପରେ ଉଠିଥିଲା ପ୍ରଶ୍ନ। ଏହା ପରେ କମିସନରେଟ ପୁଲିସ ‘ବସ୍ତିକୁ ଚାଲ’ ଅଭିଯାନକୁ ଜୋରଦାର କରିଥିଲା। କିନ୍ତୁ ଏହା କାମ ଦେଉନି। ବସ୍ତି ଅଞ୍ଚଳରେ ବାରମ୍ବାର ଅପରାଧ ଘଟଣା ସାମ୍ନାକୁ ଆସୁଛି। ମଦଠୁ ନେଇ ବ୍ରାଉନସୁଗାର ଯାଏ ଚୋରା ନିଶା କାରବାର ବଢ଼ିଯାଇଥିବାରୁ ଅପରାଧିକ ତତ୍ତ୍ବ ଅଧିକ ସକ୍ରିୟ ହୋଇପଡ଼ିଥିବା କୁହାଯାଉଛି। ଏଭଳି ବେଧଡ଼କ ନିଶା କାରବାରକୁ ନିୟନ୍ତ୍ରଣ କରିପାରୁନି ପୁଲିସ। ସେହିପରି ପୁଲିସର ଦୁର୍ବଳ ପାଟ୍ରୋଲିଂ ମଧ୍ୟ ଅପରାଧ ବଢ଼ାଇବାରେ ସହାୟକ ହେଉଛି। ଯାହାଫଳରେ ବଢ଼ି ଚାଲିଛି ଅପରାଧ।

ଚୋରା ମଦ କାରବାରରେ ଲିପ୍ତ ଥିଲେ, ବିରୋଧ କଲେ ପତିଆରା ଦେଖାଉଥିଲେ
ରଘୁନାଥନଗର ଅଞ୍ଚଳ ଚୋରା ନିଶା କାରବାରର ଆଡ଼ା ପାଲଟି ଯାଇଛି। ବିଶେଷ କରି ଚୋରା ଦେଶୀମଦ ସେମାନଙ୍କ ଆୟର ମୁଖ୍ୟ ସ୍ରୋତ ପାଲଟିଛି। କେବଳ ରାଜା କି ତା’ର ସହଯୋଗୀ ନୁହନ୍ତି; ରଘୁନାଥନଗରରେ ମାଳମାଳ ଚୋରା ନିଶା ବେପାରୀ ରହିଛନ୍ତି। ସ୍ଥାନୀୟ କିଛି ଯୁବକଙ୍କ କହିବ‌ା ଅନୁଯାୟୀ ରାଜା ଓ ଅନ୍ୟ ଅଭିଯୁକ୍ତମାନେ ଚୋରା ନିଶା କାରବାରରେ ଲିପ୍ତ ରହୁଥିଲେ। ସନାତନ ଓ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସେମାନଙ୍କୁ ଅନେକ ସମୟରେ ବିରୋଧରେ କରୁଥିଲେ। କିନ୍ତୁ ରାଜା ଓ ସହଯୋଗୀମାନେ ନିଜର ପତିଆରା ଦେଖାଇବା ସହ ସେମାନଙ୍କୁ ଧମକଚମକ ଦେଉଥିଲେ। ପୁଲିସ ସବୁ ଜାଣି ମଧ୍ୟ ଚୁପ୍ ରହୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେମାନଙ୍କ ସାହସ ବଢ଼ି ଚାଲିଥିଲା। ଯାହାଫଳରେ ଆଜି ଏଭଳି ଘଟଣା ଘଟିଲା ବୋଲି କୁହାଯାଉଛି।

ବୁଦ୍ଧନଗର ହତ୍ୟାକାଣ୍ଡର ପୁନରାବୃତ୍ତି
ଗତ ଜୁନ୍ ୭ ତାରିଖରେ ଲକ୍ଷ୍ମୀସାଗର ବୁଦ୍ଧନଗରେ ଘଟିଥିଲା ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗାଡ଼ି ସାଇଡ୍ ମରାକୁ କେନ୍ଦ୍ରକରି କାର୍ତ୍ତିକ ସାହୁଙ୍କୁ ୫ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଏହି ଘଟଣାରେ ରାଜଧାନୀର ଜଣାଶୁଣା ବିଜେପି ନେତାଙ୍କ ଡ୍ରାଇଭର ଚନ୍ଦ୍ରା ଓରଫ୍ ଏସ୍. ଚଲପତି ରେଡ୍ଡ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ। ସେହିପରି ପାଲଟା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ତିନି ମାସ ନ ପୂରୁଣୁ ଡୁମୁଡୁମା ରଘୁନାଥନଗରରେ ସମାନ କାରଣରୁ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି।

ସମ୍ବନ୍ଧିତ ଖବର