ଭୁବନେଶ୍ୱର : ଦୁଇ ଗୋଷ୍ଠୀ ଗଣ୍ଡଗୋଳରେ ବଳି ପଡ଼ିଗଲେ ଦୀପକ ରାଉତରାୟ (୫୪)। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିଦେବା ସହ ପାଟିରେ ଏକ ଗୁପ୍ତି ଭର୍ତ୍ତି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସୁନ୍ଦରପଦାରେ ଘଟିଥିବା ଏହି ବୀଭତ୍ସ ହତ୍ୟା ଘଟଣାରେ ଶନିବାର ଦିନ ଏୟାରଫିଲ୍ଡ ଥାନା ପୁଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ, ସୁଜିତ ମଲିଆ, ଗୁଣ୍ଡୁ ମଲିଆ ଓ ଅନ୍ୟ ଜଣେ ଏଥିରେ ସାମିଲ ଅଛନ୍ତି ବୋଲି ପୁଲିସ କହିଛି। ଭିକି ନାମରେ ପୂର୍ବରୁ ଏକ ହତ୍ୟା ମାମଲା ରହିଥିଲା। ସେ ଜାମିନ୍ରେ ଆସି ଏପରି କାଣ୍ଡ ଘଟାଇଛି ବୋଲି ପୁଲିସ କହିଛି।
/sambad/media/post_attachments/wp-content/uploads/2022/01/sundarpada-murder-m15.jpg)
ଅପରପକ୍ଷେ ଏହି ଘଟଣାକୁ ନେଇ ଶନିବାର ଦିନତମାମ୍ ସୁନ୍ଦରପଦାରେ ଉତ୍ତେଜନା ଲାଗି ରହିଥିଲା। ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଶଙ୍କର ବଜାରଠାରେ ଜଟଣୀ ଓ ସରକନ୍ତରା ଯିବା ରାସ୍ତାରେ ଟାୟାର ଜାଳି ୬ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ତେବେ ଏହାକୁ ନେଇ ଟ୍ରାଫିକ୍ ସମସ୍ୟା ଉପୁଜିବାରୁ ଏୟାରଫିଲ୍ଡ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ଅପରାହ୍ଣ ପ୍ରାୟ ୨ଟା ବେଳେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
/sambad/media/post_attachments/wp-content/uploads/2022/01/sundarpada-murder-m13.jpg)
ସୂଚନାନୁଯାୟୀ, ଶୁକ୍ରବାର ରାତିରେ କପିଳେଶ୍ବର ଓ ସୁନ୍ଦରପଦାର କିଛି ପିଲା ଜିରୋ-ନାଇଟ୍ ସେଲିବ୍ରେସନ୍ କରୁଥିଲେ। ସୁନ୍ଦରପଦାର କିଛି ପିଲା ସୁନ୍ଦରପଦା ହଜ୍ ପୋଖରୀ ନିକଟରେ ଭୋଜିଭାତ କରୁଥିବା ବେଳେ ପୋଖରୀ ଆରପଟ ଭିକି ମଲିଆଙ୍କ ଫାଷ୍ଟଫୁଡ୍ ଦୋକାନ ନିକଟରେ କପିଳେଶ୍ବରର କିଛି ଯୁବକ ଭୋଜି କରୁଥିଲେ। ସେମାନେ ପ୍ରଚୁର ମଦ ପିଇବା ସହ ଡିଜେ ବଜାଇ ନାଚୁଥିଲେ। ଏହି ସମୟରେ କମେଣ୍ଟମରାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଦୁଇଗୋଷ୍ଠୀ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। କଥା ବଢ଼ିବାରୁ ପରସ୍ପରକୁ ବାଉଁଶରେ ଆକ୍ରମଣ କରିଥିଲେ। ତେବେ ସୁନ୍ଦରପଦାର କିଛି ଯୁବକ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିଥିଲେ। ଏହାର କିଛି ସମୟ ପରେ କପିଳେଶ୍ବରର ପ୍ରାୟ ୪ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ହଜ୍ ପୋଖରୀ ନିକଟକୁ ଆସିଥିଲେ। ସେମାନେ ସେଠାରେ ଗାଳିମନ୍ଦ କରିବା ସହ ହଜ୍ ନିକଟରେ ଥିବା ଏକ ବାଇକ୍କୁ ଲୁହାରଡ୍ରେ ପିଟି ଭଙ୍ଗାରୁଜା କରିଥିଲେ। ପୋଖରୀର ସୁରକ୍ଷା ଦାୟିତ୍ୱରେ ଥିବା ନୂଆସାହିର ଦୀପକ ରାଉତରାୟ ଏହା ଦେଖି ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଯୁବକମାନେ ଯୁକ୍ତିତର୍କ କରିବା ସହ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡକୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ହାଣିଦେବା ସହ ପାଟିରେ ଏକ ଗୁପ୍ତି ଭର୍ତ୍ତି କରିଦେଇଥିଲେ। ଘଟଣାସ୍ଥଳରେ ଦୀପକ ଟଳି ପଡ଼ିଥିଲେ। ଏହି ସମୟରେ ସୁନ୍ଦରପଦା ଆଡ଼ୁ ଆସୁଥିବା କିଛି ଯୁବକ ଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ବ୍ୟବଚ୍ଛେଦ ପରେ ଶନିବାର ଦିନ ପୁଲିସ୍ ଦୀପକଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଗାଁ ମଶାଣିରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/01/m14.jpg)
ସୁନ୍ଦରପଦା ହଜ୍ ପୋଖରୀକୁ ନେଇ କପିଳେଶ୍ବର ଓ ସୁନ୍ଦରପଦା ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଏହି ପୋଖରୀକୁ ନ ଆସିବାକୁ କପିଳେଶ୍ବର ଯୁବକଙ୍କୁ ସୁନ୍ଦରପଦାବାସୀ ବହୁବାର ନିବେଦନ କରିଛନ୍ତି। ସେଠାରେ ହେବାକୁ ଥିବା ପାର୍କ ଜମିର ମାଲିକାନାକୁ ନେଇ ମଧ୍ୟ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।
ନୂଆବର୍ଷରେ ନାକେଦମ୍ ଲୋକ
ସମସ୍ତ ଅଭିଯୁକ୍ତଙ୍କୁ ୨୪ ଘଣ୍ଟାରେ ଗିରଫ ଓ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ଶଙ୍କର ବଜାରଠାରେ ଆଜି ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବାରୁ ସ୍ଥାନୀୟ ଲୋକେ ଯାତାୟାତ ନେଇ ହନ୍ତସନ୍ତ ହୋଇଥିଲେ। ଫଳରେ ଜଟଣୀ ଓ ସରକନ୍ତରା ଆଡ଼କୁ ଯିବା ରାସ୍ତା ବନ୍ଦ ହୋଇଯିବାରୁ ଲୋକେ ବହୁ ବାଟ ବୁଲିବୁଲି ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ନୂଆବର୍ଷର ପ୍ରଥମ ଦିନରେ ଏପରି ରାସ୍ତାରୋକ ଯୋଗୁଁ ଲୋକେ ନାକେଦମ ହୋଇଥିଲେ।
ଅଭିଯୁକ୍ତଙ୍କୁ ପାଉନି ପୁଲିସ
୨୪ ଘଣ୍ଟା ପରେ ବି ଏହି ମାମଲାରେ ଏୟାରଫିଲ୍ଡ ଥାନା ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ। ଏହି ହତ୍ୟା ମାମଲାର ତଦନ୍ତ ପାଇଁ ଅତିରିକ୍ତ ପୁଲିସ କମିସନର୍, ଏସିପି ଓ ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/sundarpada-murder-m10.jpg)