ଭୁବନେଶ୍ବର: ଆଜି ରାତିରେ ଭରତପୁର ବନଦୁର୍ଗା ବସ୍ତିରେ ଘର ଦଖଲକୁ ନେଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ଯୁବକ ହେଲେ ଅଶୋକ ମହାରଣା। ନିଜ ବଡ଼ଭାଇ ସୂର୍ଯ୍ୟମଣି ମହାରଣା ଓ ତାଙ୍କ ପୁଅ ମନୋଜ ଗୋଡ଼ାଇ ଗୋଡ଼ାଇ ଅଶୋକଙ୍କୁ ଖଣ୍ଡାରେ ହାଣି ପକାଇଥିବା ଅଭିଯୋଗ ହୋଇଛି। ଅଶୋକଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଫେରାର ହୋଇଯାଇଥିବା ବାପା-ପୁଅଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।
ବହୁ ଦିନ ଧରି ବନଦୁର୍ଗାବସ୍ତିରେ ବଡ଼ଭାଇ ସୂର୍ଯ୍ୟମଣି ଓ ଅଶୋକ ଏକାଠି ଘର କରି ରହୁଥିଲେ। ଘର ତିଆରିରେ ଅଶୋକ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ। କିନ୍ତୁ ପରେ ବଡ଼ ଭାଇ ସୂର୍ଯ୍ୟମଣି ଉକ୍ତ ଘରକୁ ନିଜେ ମାଡ଼ିବସିଥିଲେ ଏବଂ ଅଶୋକଙ୍କୁ ବାହାର କରିଦେଇଥିଲେ। ତେଣୁ ଅଶୋକ ଉକ୍ତ ବସ୍ତିରେ ଅନ୍ୟ ଏକ ଘର ଭଡ଼ା ସୂତ୍ରରେ ନେଇ ରହୁଥିଲେ। କିନ୍ତୁ ନିଜେ ଖର୍ଚ୍ଚ କରି ଘର କରିଥିବାରୁ ଭାଗ ପାଇବା ପାଇଁ ସେ ବସ୍ତିର ମୁରବିଙ୍କଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଧାଉଁଥିଲେ। ମାତ୍ର ନିଜ ଜିଦ୍ରେ ଅଟଳ ଥିବା ବଡ଼ ଭାଇ ସୂର୍ଯ୍ୟମଣି କାହା କଥାକୁ ଶୁଣି ନଥିଲେ। କିଛି ଦିନ ପୂର୍ବେ ଅଶୋକ ଉକ୍ତ ଘରରୁ ଅଧା ଦେବାକୁ ଦାବି କରିବାରୁ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ହୋଇଥିଲା। ମାମଲା ଭରତପୁର ଥାନା ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ପରେ ଆପୋସ ବୁଝାମଣା ହୋଇଥିଲା ଏବଂ ସୂର୍ଯ୍ୟମଣି ଉକ୍ତ ଘରୁ ଅଧା ଛାଡ଼ିବାକୁ ରାଜି ହୋଇଥିଲେ। କିନ୍ତୁ ଥାନାରୁ ଆସିବା ପରେ ସୂର୍ଯ୍ୟମଣି ପୁଣି ପୁରୁଣା ଜିଦ୍ ଦୋହରାଇଥିଲେ। ଆଜି ରାତିରେ ଅଶୋକ ପୁଣି ବଡ଼ ଭାଇଙ୍କ ପାଖକୁ ଯାଇ ଘରର ଅଧା ଦେବାକୁ ଦାବି କରିଥିଲେ। ହଠାତ୍ ଉତ୍କ୍ଷିପ୍ତ ହୋଇ ସୂର୍ଯ୍ୟମଣି ଓ ତାଙ୍କ ପୁଅ ମନୋଜ ଦୁଇଟି ଖଣ୍ଡା ଧରି ଅଶୋକଙ୍କ ଆଡ଼କୁ ଝପଟି ଆସିଥିଲେ। ପ୍ରାଣ ବିକଳରେ ଅଶୋକ ସାହି ଦାଣ୍ଡରେ ଦୌଡ଼ିଥିଲେ। କିନ୍ତୁ ବାପା-ପୁଅ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହାଣି ପକାଇଥିଲେ। ବସ୍ତି ଲୋକେ ଧାଇଁ ଆସିବାରୁ ବାପା-ପୁଅ ସେଠାରୁ ପଳାଇଥିଲେ। ବସ୍ତି ଲୋକେ ଅଶୋକଙ୍କୁ ଦରମରା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।