ଭୁବନେଶ୍ବର : ପାରିବାରିକ ବିବାଦରୁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : କାଳ ହେଲା ଦ୍ବିତୀୟ ବିବାହ। ଦୀର୍ଘ ଦିନର ପାରିବାରିକ କଳହ ନେଲା ଉଗ୍ର ରୂପ। ବେକରେ ପତ୍ନୀଙ୍କ ଶାଢ଼ି ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଲେ ଯୁବକ। ସହିଦନଗର ଥାନା ଅଧୀନ ତ୍ରିନାଥ ବସ୍ତିରେ ଏଭଳି ଏକ ଅଘଟଣ ଘଟିଛି। ମୃତକ ହେଉଛନ୍ତି, ଅନୁଗୁଳ ସୌଭାଗ୍ୟନଗରର କାଳିଆ ବାହାଦୂର ସାଏ। ସେ ତ୍ରିନାଥ ବସ୍ତିରେ ରହୁଥିଲେ। ଆଜି ସକାଳୁ ଘର କବାଟ ନ ଖୋଲିବାରୁ ତାଙ୍କ ଦ୍ବିତୀୟ ପତ୍ନୀ ପୁଲିସକୁ ଖବର ଦେଇଥିଲେ। କବାଟ ଭାଙ୍ଗି ଫ୍ୟାନ୍‌ରେ ଝୁଲୁଥିବା କାଳିଆଙ୍କ ଶବକୁ ପୁଲିସ ଜବତ କରିଥିଲା। ଏନେଇ ସହିଦ ନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନା ମୁତାବକ, କାଳିଆ ମଞ୍ଚେଶ୍ବରରେ ଏକ ଜାଲ କମ୍ପାନିରେ କାମ କରୁଥିଲେ। ୪ ବର୍ଷ ତଳେ ସେ ପ୍ରେମ ବିବାହ କରିଥିଲେ। ୪ବର୍ଷ ଧରି ସନ୍ତାନସନ୍ତତି ନ ହେବାରୁ ୮ ମାସ ତଳେ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ବିବାହ ପରଠାରୁ ପରିବାରରେ ଝଗଡ଼ା ଲାଗି ରହୁଥିଲା। ପ୍ରଥମ ପତ୍ନୀଙ୍କ ସହ ଗତ ରାତିରେ ପ୍ରବଳ ଝଗଡ଼ା ହୋଇଥିଲା। ଦ୍ବିତୀୟ ପତ୍ନୀ ବାପଘରେ ଥିବା ବେଳେ ପ୍ରଥମ ପତ୍ନୀ ମଧ୍ୟ ରାଗି ବାପ ଘରକୁ ଚାଲି ଯାଇଥିଲେ। ଆଜି ସକାଳେ କାଳିଆ ଫୋନ୍‌ ନ ଉଠାଇବାରୁ ଦ୍ବିତୀୟ ପତ୍ନୀ ତ୍ରିନାଥ ବସ୍ତିରେ ଥିବା ଭଡ଼ା ଘରେ ପହଞ୍ଚିଥିଲେ। କବାଟ ନ ଖୋଲିବାରୁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ଦେଖିବା ପରେ ‌ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର