ଭୁବନେଶ୍ବର : ନିଶା ନିବାରଣ କେନ୍ଦ୍ରରୁ ଫେରି ଆତ୍ମହତ୍ୟା, ଝରକାରୁ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହ ସନ୍ଦେହ

ଭୁବନେଶ୍ବର : ପାରିବାରିକ କଳି ପାଇଁ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଜଣେ ବ୍ୟକ୍ତି ଘର ଭିତରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ, କଟକରୋଡ୍ ପ୍ଲଟ୍ ନଂ-୬୮୧ରେ ରହୁଥିବା ସୁବାସ କୁମାର ପ୍ରଧାନ(୪୯)। ଝରକାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଝୁଲନ୍ତା ଅବସ୍ଥାରେ ସୁବାସଙ୍କ ମୃତଦେହକୁ ଉଦ୍ଧାର କରିଛି।

ପୁଲିସ ସୂଚନା ଅନୁସାରେ, ସୁବାସ ଅନେକ ସମୟରେ ମଦ ପିଉଥିଲେ। କିଛି ମାସ ହେଲା ସେ ନିଶା ନିବାରଣ କେନ୍ଦ୍ରରେ ଥିଲେ। ତିନି ଦିନ ତଳେ ଘରକୁ ଫେରିଥିଲେ। ଫେରିବା ପରେ ପୁଣି ମଦ୍ୟପାନକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ଗତକାଲି ରାତିରେ ସୁବାସ ଏକ ଘରେ ଶୋଇଥିଲେ। ଭିତର ପଟୁ କବାଟ ବନ୍ଦ ରହିଥିଲା। ପରିବାରଲୋକ ସକାଳୁ ଡାକିଥିଲେ ମଧ୍ୟ ସୁବାସ କିଛି ଉତ୍ତର ଦେଇ ନ ଥିଲେ। ଏ ନେଇ ସୁବାସଙ୍କ ପତ୍ନୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ସୁବାସଙ୍କ ମୃତଦେହ ଦେଖିବାକୁ ପାଇଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର