ଯୁବ ପ୍ରତିଭା : ଓଲିଉଡ୍‌ର ବିଦୁ ସାର୍‌ ବସ୍ତିରୁ ଦକ୍ଷିଣ ଆଫ୍ରିକା

ଟିଭିରେ ନାଚ ଦୃଶ୍ୟ ଦେଖିଲେ ତାଙ୍କ ଆଖିର ପଲକ ପଡ଼େନି। ପାଦ ଖାଲି ନାଚିବାକୁ ଇଙ୍ଗିତ କରେ। ଇଚ୍ଛା ସେ ବି ନାଚ ଶିଖନ୍ତେ। ମଞ୍ଚରେ ନାଚନ୍ତେ। ହେଲେ ପରିବାରର ବିରୋଧ ତାଙ୍କ ନୃତ୍ୟ ମନସ୍କ ଇଚ୍ଛା ଆଗରେ ବାଡ଼ ଠିଆ କରେ। ତତ୍କାଳୀନ ସମୟରେ ନୃତ୍ୟକୁ ନେଇ ବୃତ୍ତି କରିବା କେହି ସ୍ୱପ୍ନରେ ସୁଦ୍ଧା ଭାବିପାରୁ ନଥିବାରୁ ପରିବାରର ବିରୋଧ ଥିଲା ସ୍ୱାଭାବିକ। କିନ୍ତୁ ତାଙ୍କର ଅଦମ୍ୟ ଇଚ୍ଛା ଯୋଗୁଁ ସେ ନୃତ୍ୟରେ ତାଲିମ୍‌ ନେଇ ସିଦ୍ଧହସ୍ତ ହେଲେ। ନୃତ୍ୟ ପ୍ରତି ଅଦମ୍ୟ ନିଷ୍ଠା ତାଙ୍କୁ ଓଲିଉଡ୍‌ ଜଗତରେ ପରିଚୟ ଦେଲା। ସେ ପାଲଟିଗଲେ ଓଲିଉଡ୍‌ର ଡ୍ୟାନ୍‌ସ ମାଷ୍ଟର ବିଦୁ ସାର୍‌। ମେଘ ସବାରୀରେ ଆସିବ ଫେରି, ଦେ ମା ଶକ୍ତି ଦେ, ଜଗୁ ଅଟୋବାଲା ଭଳି ଚଳଚ୍ଚିତ୍ରରେ ଓ ଶହେରୁ ଊର୍ଧ୍ୱ ଆଲବମ୍‌ରେ ନୃତ୍ୟ ସଂଯୋଜନା କରିବାର କୃତିତ୍ୱ ଅର୍ଜନ କରିଥିବା ବିଦୁ ସାର୍‌ଙ୍କ ପ୍ରକୃତ ନାମ ବିଦ୍ୟୁତ କୁମାର ସେଠୀ। ପଳାସପଲ୍ଲୀ ବସ୍ତିରୁ ଦିନେ ଆରମ୍ଭ ହୋଇଥିବା ତାଙ୍କ ନୃତ୍ୟ ଅଭିଯାନ ଆଜି ଖାଲି ଓଡ଼ିଶା ଭିତରେ ସୀମିତ ନାହିଁ। ଓଡ଼ିଶାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ‘ସିଜ୍‌ଲର୍ସ’ ଭଳି ନୃତ୍ୟାନୁଷ୍ଠାନ ଖୋଲି ସେ ୫ଶହରୁ ଊର୍ଧ୍ୱ ପିଲାଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଦକ୍ଷିଣ ଆଫ୍ରିକାରେ ବି ନୃତ୍ୟ ଶିଖାଉଛନ୍ତି। ନିକଟରେ ତାଙ୍କ ଦ୍ୱାରା ନିର୍ମିତ ଭିଡିଓ ଆଲବମ୍‌ ‘କୁର୍ବାନ୍‌’ ଚର୍ଚାରେ ରହିଥିବା ବେଳେ ବଲିଉଡ୍‌ ଶୈଳୀର ନୃତ୍ୟର ପ୍ରୟୋଗ ଏହି ଆଲବମ୍‌କୁ ଯୁବବର୍ଗ ମଧ୍ୟରେ ବେଶ୍‌ ଚର୍ଚାରେ ରଖିଛି। ବିମଳ କୁମାର ସେଠୀ ଏବଂ ଲକ୍ଷ୍ମୀ ସେଠୀଙ୍କ ପୁତ୍ର ବିଦୁଙ୍କ ଏହି ସଫଳତା ପଛରେ ପତ୍ନୀ ତଥା ନୃତ୍ୟ ସଂଯୋଜିକା ବିଜୟଲକ୍ଷ୍ମୀ ଶତପଥୀଙ୍କର ବହୁତ ବଡ଼ ଯୋଗଦାନ ରହିଛି।

ସମ୍ବନ୍ଧିତ ଖବର