ପୁଲିସ୍‌କୁ ମାଡ଼ ମାରି ଜେଲ୍‌ ଗଲା ଯୁବକ

ଧଉଳି : ଉତ୍ତରା ଫାଣ୍ଡିର ଜଣେ ଭାରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ମାମଲାରେ ଆଜି ପିପିଲି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ମାଟିଆପଡ଼ା ଗ୍ରାମର ସିକୁ ମଲ୍ଲିକ ଓରଫ ସିକୁ। କୋର୍ଟରେ ଜାମିନ ନମଂଜୁର ହେବାରୁ ତାକୁ ନିମାପଡ଼ା ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ନଂ ୧୨୯/୨୧ରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ପୁଲିସ ଅଧିକାରୀ ରାତି ପ୍ରାୟ ସାଢ଼େ ୯ଟାରେ ବିଲିପଡ଼ା ଅଞ୍ଚଳରୁ ଏକ ମାମଲାର ତଦନ୍ତ କରି ଫେରୁଥିବା ବେଳେ ଗୁଡ଼ିଆପୋଖରୀ ଛକ ନିକଟରେ ରାସ୍ତା ଜାମ୍‌ ହୋଇଥିବା ଦେଖିଥିଲେ। ତେଣୁ ସେ ଗାଡ଼ିରୁ ଓହ୍ଲାଇ ଭିଡ଼ ନିୟନ୍ତ୍ରଣ କରିଥିଲେ। ରାସ୍ତା ମଝିରେ ସିକୁ ବାଇକ୍‌ ପାର୍କିଂ କରି ଫୋନ୍‌ରେ ଗପୁଥିବାରୁ ପୁଲିସ୍‌ ଅଧିକାରୀଜଣଙ୍କ ତାକୁ ସେଠାରୁ ଚାଲିଯିବା ପାଇଁ କହିଥିଲେ। କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସିକୁ ତାଙ୍କୁ ମାଡ଼ ମାରିଥିଲା ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପିପିଲି ଥାନା ଅଧିକାରୀ ଫୋର୍ସ ସହ ପହଞ୍ଚି ସିକୁକୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର