ଭୁବନେଶ୍ବର: ତୁମ ଓଠରେ ଥିଲା ଦିନେ ମୋର ନାଁ… ଆଜି କହୁଛ ତୁମେ ମୋତେ ଜାଣନା…। ପ୍ରାୟ ୧୧ ବର୍ଷ ତଳେ ଚର୍ଚ୍ଚାରେ ଥିବା ଏହି ହିଟ୍ ଓଡ଼ିଆ ଗୀତକୁ ନେଇ ଏବେ ଏକ ବଡ଼ ବିବାଦ ଦେଖାଦେଇଛି। ଏହି ଗୀତ ଓ ଏହାର ହାଲୋ-ଟ୍ୟୁନ୍କୁ ବିନା କପି-ରାଇଟ୍ସରେ ବିକ୍ରି କରି ପବିତ୍ର ଏଣ୍ଟରଟେନମେଣ୍ଟସ୍ ନାମକ ଏକ ମ୍ୟୁଜିକ୍ କମ୍ପାନି କୋଟି କୋଟି ଟଙ୍କା ରୋଜଗାର କରିଛି ବୋଲି ଗୀତର ଅସଲ ଗୀତିକାର ରଞ୍ଜନ ଗାହାଣ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଉକ୍ତ ମ୍ୟୁଜିକ୍ କମ୍ପାନିର ମାଲିକ ପବିତ୍ର ନାୟକଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ପବିତ୍ରଙ୍କ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଗୋଟିଏ ଗୀତ ନୁହେଁ, ରଞ୍ଜନଙ୍କ ମୋଟ ୩୨ଟି ଗୀତକୁ ଚୋରି କରି ଉକ୍ତ ମ୍ୟୁଜିକ୍ କମ୍ପାନି ଅନ୍ତର୍ଜାତୀୟ ବଜାରେ ବିକ୍ରି କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ, ହାଲୋ-ଟ୍ୟୁନ୍ରେ ତାଙ୍କ ଗୀତ ବାଜିବା ପାଇଁ ଅନୁମତି ଦେଲେ ଘରେ ବସି ମାସକୁ ୧୫ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି ୨୦୧୨ ମସିହାରେ ରଞ୍ଜନଙ୍କୁ ଏକ ଅଫର୍ ଦେଇଥିଲେ ପବିତ୍ର। ଏଥିପାଇଁ ଅନ୍ତର୍ଜାତୀୟ କମ୍ପାନିଗୁଡ଼ିକୁ ରାଇଟ୍ ଦେବାକୁ ହେବ ବୋଲି ପବିତ୍ର ତାଙ୍କୁ ବୁଝାଇଥିଲେ। ପବିତ୍ରଙ୍କ ଏ ପ୍ରସ୍ତାବରେ ରାଜି ହେବା ସହ ରଞ୍ଜନ ତାଙ୍କର ୩୨ଟି ଗୀତର ଡିଜିଟାଲ ପ୍ ରୋସେସିଂ ରାଇଟସ୍ ପ୍ରଦାନ ସଂପର୍କିତ ଏକ ଚୁକ୍ତି କରିଥିଲେ। କିନ୍ତୁ ଏ ଚୁକ୍ତି ସଂପର୍କିତ କୌଣସି କାଗଜପତ୍ର ରଂଜନଙ୍କୁ ଦେଇନଥିଲେ ପବିତ୍ର। ତେବେ କିଛି ଦିନ ପରେ ବିନା କପି-ରାଇଟସ୍ ପ୍ରଦାନରେ ରଞ୍ଜନଙ୍କ ‘ତୁମ ଓଠରେ ଥିଲା…’ ଗୀତର ହାଲୋଟ୍ୟୁନ୍ ବଜାରକୁ ଆସିଥିଲା। ଏହା ଜାଣିବା ପରେ ରଞ୍ଜନ ପବିତ୍ରଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ତାଙ୍କୁ ଏଣୁତେଣୁ କହି ଫାଙ୍କି ଦେଇଥିଲେ। ଏପରିକି, ୪ ବର୍ଷ ପରେ ମଧ୍ୟ ତାଙ୍କ ଗୀତରୁ କୌଣସି ରେଭିନ୍ୟୁ ଆଦାୟ ହୋଇନାହିଁ ବୋଲି କହିଥିଲେ। ଏତେ ସବୁ ପରେ ବି ରଞ୍ଜନ କିଛି ପଦକ୍ଷେପ ନେଇ ନଥିଲେ। ତେବେ ୨୦୧୮ ମସିହାରେ ଯେତେବେଳେ ପବିତ୍ର ଏଣ୍ଟରେଟେନମେଣ୍ଟର ୟୁ-ଟ୍ୟୁବ୍ ଚ୍ୟାନେଲରେ ‘ତୁମ ଓଠରେ ଥିଲା’ ଗୀତଟି ପୁଣିଥରେ ମୁକ୍ତିଲାଭ କଲା, ରଂଜନ ଆଉ ଚୁପ୍ ବସି ନଥିଲେ।
ଉକ୍ତ ମ୍ୟୁଜିକ୍ ଆଲବମ୍ରେ ରଞ୍ଜନଙ୍କ ଫଟୋ ନଥିଲା କି କୌଣସି କ୍ରେଡିଟ୍ ମଧ୍ୟ ଦିଆଯାଇ ନଥିଲା। କେବଳ ଗୀତ ଟାଇଟଲ୍ରେ ତାଙ୍କର ନାମ ରହିଥିଲା। ନିଜସ୍ବ ତଦନ୍ତରୁ ସେ ଜାଣିବାକୁ ପାଇଥିଲେ ଯେ ପବିତ୍ର ତାଙ୍କ ଗୀତ ଓ ହାଲୋଟ୍ୟୁନ୍କୁ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। କିନ୍ତୁ ତାଙ୍କୁ ପାହୁଲାଟିଏ ବି ଦେଇନାହାନ୍ତି। ତେଣୁ ସେ ବିଭିନ୍ନ ପ୍ରମାଣ ଯୋଗାଡ଼ କରି ୨୦୨୧ ମସିହାରେ କୋର୍ଟରୁ ୩ଟି ଲିଗାଲ ନୋଟିସ୍ ପବିତ୍ରଙ୍କୁ ପଠାଇଥିଲେ। କିନ୍ତୁ ପବିତ୍ର ଏହାର ଜବାବରେ କୋର୍ଟରେ ଏକ ମିଥ୍ୟା ଦସ୍ତାବିଜ୍ ଉପସ୍ଥାପନ କରିଥିଲେ। ଦସ୍ତାବିଜ୍ରେ ସମସ୍ତ ୩୨ଟି ଗୀତର ବାଣିଜ୍ୟିକ ବ୍ୟବହାର ପାଇଁ ଚୁକ୍ତି ହୋଇଥିବା ଦର୍ଶାଯାଇଥିଲା। ତେବେ ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ କୋର୍ଟ ବଡ଼ଗଡ଼ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରି ଆଜି ବଡ଼ଗଡ଼ ପୁଲିସ ପବିତ୍ରଙ୍କୁ ଗିରଫ କରିଛି। ଏ ସଂପର୍କରେ ପବିତ୍ର କହିଛନ୍ତି ଯେ ସେଭଳି କିଛି ବେଆଇନ କାମ ଆମେ କରିନାହୁଁ। ରଞ୍ଜନଙ୍କ ସହ କଣ୍ଟ୍ରାକ୍ଟରେ ଏହି ଗୀତ ରିଲିଜ୍ କରିଛୁ। ଗୀତଟି ଲୋକପ୍ରିୟ ହେବାରୁ ଏବେ ସେ ମୋଟା ଅଙ୍କର ଟଙ୍କା ମାଗୁଛନ୍ତି। ନ ଦେବାରୁ ସେ ଆଇନର ଦ୍ବାରସ୍ଥ ହୋଇଛନ୍ତି।
ଏସିପି ଏସ୍.ଏନ୍ ମୁଦୁଲି କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓ ଅଭିଯୋଗକାରୀଙ୍କ ଅଭିଯୋଗକୁ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହାସହ ଏ ମାମଲାରେ ସଂପୃକ୍ତ କିଛି କମ୍ପାନିକୁ ମଧ୍ୟ ନୋଟିସ୍ ପଠାଯାଇଛି।
ଭାଇରାଲ ହୋଇଥିଲା ରଞ୍ଜନଙ୍କ ଆତ୍ମହତ୍ୟା ଖବର
ତୁମ ଓଠରେ ଥିଲା ଦିନେ ମୋର ନାଁ… ଗୀତ ମୁକ୍ତିଲାଭ କରିବା ପରେ ପରେ ଗୀତିକାର ରଞ୍ଜନ ଗାହାଣ ଆତ୍ମହତ୍ୟା କରିଛନ୍ତି ବୋଲି ଏକ ମିଥ୍ୟା ଖବର ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଭିଡିଓ ମଧ୍ୟ ପ୍ରସାରିତ ହୋଇଥିଲା। ଏଥିପାଇଁ ରଞ୍ଜନଙ୍କୁ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏ ସଂପର୍କରେ ୨୦୧୬ ମସିହାରେ ରଂଜନ ୧୬ଜଣଙ୍କ ନାମରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ସେ କହିଛନ୍ତି।