ଭୁବନେଶ୍ବର: କରୋନା ସମୟରେ ଶିଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ମାନସିକ ତ ଆଉ କେଉଁଠି ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି। କେତେକ ସ୍ଥାନରେ ଯୌନ ନିର୍ଯାତନାର ଶିକାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି। କିଛି ଘଟଣାରେ ଅଭିଭାବକଙ୍କ ନଜର ଆଢୁଆଳରେ ମଧ୍ୟ ଏଭଳି ଘଟଣା ଘଟୁଛି। ଏହି ସମସ୍ୟାର ସମାଧାନ ଲାଗି ଭୁବନେଶ୍ବର ଚାଇଲ୍ଡଲାଇନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ଥର ଲାଗି ଏକ ୟୁ-ଟ୍ୟୁବ ଚ୍ୟାନେଲ ଖୋଲାଯାଇଛି।

Advertisment

ଏହାର ନାମ ‘ଭଏସ୍ ଅଫ୍ ଚିଲ୍‌ଡ୍ରେନ୍’ ରଖାଯାଇଥିବା ଭୁବନେଶ୍ବର ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଶିଶୁ ସୁରକ୍ଷା ଅଧିକାର ଓ ଅନ୍ୟ ସମସ୍ୟା ସମାଧାନ ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇବା ଲାଗି ଏହି ୟୁ-ଟ୍ୟୁବ୍ ଚ୍ୟାନେଲ କରାଯାଇଛି। ଏଥିରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ଆଲୋଚନାରେ ଶିଶୁ ଅଧିକାର କର୍ମୀ, ଆଇନ ବିଶେଷଜ୍ଞମାନେ ଭାଗ ନେବେ। ଆଲୋଚନାର ଭିଡିଓ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଯାହା ଅଭିଭାବକମାନଙ୍କ ଲାଗି ସହାୟକ ହେବ ବୋଲି ଶ୍ରୀ ସେନାପତି କହିଛନ୍ତି।