‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ବର: ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଦିବଂଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ-ସମ୍ପାଦିକା ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଭାଷା ବିଶେଷଜ୍ଞ ଦେବୀପ୍ରସନ୍ନ ପଟ୍ଟନାୟକ ନାରୀ ସଶକ୍ତୀକରଣରେ ଯୁଗଶ୍ରୀ ଯୁଗନାରୀ ପତ୍ରିକା ଗୁରୁତ୍ୱ ଦେଉଥିବାରୁ ଏହାର ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସାବରମତୀ କହିଲେ ‘ମୁଁ ଯେପରି କୃଷି କରି ଭଲ ଖାଇବା ଓ ଭଲ ଖୁଆଇବା, ବିଷ ଖାଦ୍ୟ ଖାଇବା ନାହିଁ, ଶବଦାହ ପାଇଁ ଗଛଟେ ଲଗାଇବା କର୍ମକୁ ଆଦରି ନେଇଛି, ଆପଣମାନେ ସେହିଭଳି ଜୀଇଁବା ପାଇଁ ଏହି ସୁକର୍ମକୁ ଆଦରି ନିଅନ୍ତୁ। ବିଶିଷ୍ଟ ସାହିତ୍ୟିକ ବିଜୟ ନାୟକ ମହାମାରୀ ମହାଯୁଦ୍ଧ ଓ ଅନାହାରରୁ ମୁକ୍ତିଲାଭ କରି ବିଶ୍ୱ ଆଗକୁ ବଢ଼ୁଥିବା ବେଳେ ପୁନଶ୍ଚ ଯୁଦ୍ଧର ସଙ୍କଟ ଦେଖା ଦେଇଥିବାରୁ ଉଦ୍‌ବେଗ ପ୍ରକାଶ କରି ସାହିତ୍ୟିକମାନେ କଲମ ମୁନକୁ ଶକ୍ତିଶାଳୀ କରି ଶାନ୍ତିର ବାର୍ତ୍ତା ପ୍ରଚାର କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଓଡ଼ିଶା ଲେଖିକା ସଂସଦର ସାଧାରଣ ସଂପାଦିକା ଶକୁନ୍ତଳା ବଳିଆରସିଂହ ଯୋଗଦେଇ ସାହିତ୍ୟ ଶାନ୍ତିର ବାର୍ତ୍ତା ପ୍ରଚାର ସହ ପୃଥିବୀରୁ କଳଙ୍କ କାଳିମା ପୋଛିଦିଏ, ଦିଗ୍‌ଦର୍ଶନ ଦିଏ, ସାହିତ୍ୟ ବିନା ଜୀବନ ପଶୁତୁଲ୍ୟ ବୋଲି କହିଥିଲେ। ତେଣୁ ସାହିତ୍ୟିକମାନେ ଜୀବନ ପାଇଁ ସାହିତ୍ୟ ରଚନା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ ପଦ୍ମଶ୍ରୀ ସାବରମତୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସାରସ୍ୱତ ସମ୍ମାନ ସାହିତ୍ୟିକା ପ୍ରଭାତୀ ମିଶ୍ର, ଶ୍ରେଷ୍ଠ ସଂପାଦିକା ସମ୍ମାନ ସ୍ମୃତି ସାନ୍ତ୍ୱନାର ସଂପାଦିକା ସବିତାରାଣୀ ବେହେରା, ଚିତ୍ରଶିଳ୍ପୀ ସମ୍ମାନ ଶିଳ୍ପୀ କେଶୁ ଦାସ ଓ ପରିବେଶ ସୁରକ୍ଷା ସମ୍ମାନ ପାରାଦ୍ୱୀପ ଫସ୍‌ଫେଟ୍‌ସ ଲିମିଟେଡ୍‌କୁ ପ୍ରଦାନ କରାଯାଇଥିଲା। ଅଧ୍ୟାପକ କମଳାକାନ୍ତ ଦାଶଙ୍କ ବ୍ୟଙ୍ଗ କବିତା ପୁସ୍ତକ ‘କରନ୍ତି ଅଙ୍ଗେ ଅନେକ ଛାପ’, ଗୀତାଞ୍ଜଳି ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ନୂଆ ସକାଳ’, ଅନିତା ପଣ୍ଡାଙ୍କର ଉପନ୍ୟାସ ‘କୈଶୋର୍ଯ୍ୟ କସ୍ତୁରୀ’ ଉନ୍ମୋଚିତ ହୋଇଥିଲା। ଏଥିସହ ‘ଯୁଗଶ୍ରୀ ଯୁଗନାରୀ’ ଏପ୍ରିଲ-୨୦୨୨ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଗୀତାଞ୍ଜଳି ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସହିଦନଗର ଆର୍ଯ୍ୟ ମହିଳା ସମିତି ବେଦପାଠ କରିଥିଲେ।

ଦୀପ୍ତି ଦାସ, ମୀନାକ୍ଷୀ ପଣ୍ଡା, ସୁଷମା ମିଶ୍ର, ଗାୟତ୍ରୀ କର, ରିଚା ମହାପାତ୍ର, ମାନି ଦାଶ, ବସନ୍ତ ପ୍ରଧାନ ସଭା ପରିଚାଳନାରେ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରଫେସର ବସନ୍ତ ପଣ୍ଡା, ବନଜା ଦେବୀ, ବିଶିଷ୍ଟ କଥାକାର ଗୌରହରି ଦାସ, କର୍ଣ୍ଣେଲ ଶରତ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ନାୟକ, ପ୍ରଭାସ ଆଚାର୍ଯ୍ୟ, ପୀତବାସ ରାଉତରାୟ, ଇନ୍ଦିରା ଦାଶ, ବ୍ରତତୀ ଦାସ, ମୀନାକ୍ଷୀ ରାଉତରାୟ, କନକ ମଞ୍ଜରୀ ସାହୁ, କୁସୁମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଶେ‌ଷରେ କମଳାକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର