ଭୁବନେଶ୍ବର: ମାସ ପରେ ମାସ ବିତୁଛି। ଏନ୍କ୍ଲୋଜର ପରିସୀମା ମଧ୍ୟ ବୃଦ୍ଧି ହେଉଛି। ହେଲେ ମୁକୁଳିପାରୁନି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀରୁ ଓଡ଼ିଶା ଆସିଥିବା ବାଘୁଣୀ ‘ଜୀନତ୍’। ୬ ମାସ ହେଲାଣି ଶିମିଳିପାଳ ଅଭୟାରଣ୍ୟ ଭିତରେ ଏକ ଏନ୍କ୍ଲୋଜରରେ ବନ୍ଦୀ ଜୀବନ କାଟୁଛି। ପଶ୍ଚିମବଙ୍ଗରୁ ଉଦ୍ଧାର ହୋଇ ଆସିବା ପରେ ଏକ ଛୋଟ ଏନ୍କ୍ଲୋଜରରେ ରଖାଯାଇଥିଲା। ତିନି ମାସ ହେଲା ତାହାର ପରିସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଅଭୟାରଣ୍ୟକୁ ଆଜି ପର୍ଯ୍ୟନ୍ତ ସେ ଆପଣାଇ ପାରି ନ ଥିବାରୁ ବନ ବିଭାଗ ତାହାକୁ ପୁଣିଥରେ ଜଙ୍ଗଲକୁ ଛାଡ଼ିବା ଦିଗରେ ପଦକ୍ଷେପ ନେଇପାରୁ ନାହିଁ। ଏତେ ସମୟ ଧରି ଗୋଟିଏ ଏନ୍କ୍ଲୋଜର ମଧ୍ୟରେ ରହିଥିବାରୁ ତାହାର ଶିକାର ପ୍ରବୃତ୍ତି ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଶିମିଳିପାଳରେ କଳାବାଘ ବଂଶ ବୃଦ୍ଧି ଉପରେ ରୋକ୍ ଲଗାଇବାକୁ ଯେଉଁ ଯୋଜନା ହୋଇଥିଲା ତାହାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପାଖାପାଖି ୯ ମାସ ହେଲା ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ଅଣାଯାଇଥିଲେ ମଧ୍ୟ ସେମାନଙ୍କଠାରୁ ଆଜି ପର୍ଯ୍ୟନ୍ତ କୌଣସି ଶୁଭ ଖବର ମିଳିପାରି ନ ଥିବାରୁ ସାତକୋଶିଆ ଭଳି ଶିମିଳିପାଳରେ ବନ ବିଭାଗ ବିଫଳ ହେବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
୬ ମାସ ହେଲା ଏନ୍କ୍ଲୋଜରରେ
ଶିକାର ପ୍ରବୃତ୍ତି ନଷ୍ଟ ଆଶଙ୍କା
ସ୍ଥିତି ଦେଖି ନିଷ୍ପତ୍ତି: ପିସିସିଏଫ୍
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ କଳାବାଘ ବଂଶ ବୃଦ୍ଧି ଉପରେ ରୋକ ଲଗାଇବାକୁ ମହାରାଷ୍ଟ୍ରରୁ ଅକ୍ଟୋବରରେ ବାଘୁଣୀ ‘ଯମୁନା’କୁ ଅଣାଯାଇ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ଛଡ଼ା ଯାଇଥିଲା। ଜନବସତି ମଧ୍ୟକୁ କାଳେ ସେ ପ୍ରବେଶ କରିବ, ସେଥିପାଇଁ ତା’ ଉପରେ ସାଟେଲାଇଟ୍ ‘କଲର୍’ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ‘ଯମୁନା’ ଶିମିଳିପାଳ ଛାଡ଼ି ବାଲେଶ୍ବର କୁଲଡ଼ିହା ଅଭୟାରଣ୍ୟକୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦୁଝରର ହଦଗଡ଼ରେ ଦେଖିବାକୁ ମିଳିଥିଲା। ତେବେ ନଭେମ୍ବରରେ ଆସିଥିବା ବାଘୁଣୀ ‘ଜୀନତ୍’ ଆଜି ପର୍ଯ୍ୟନ୍ତ ବନ ବିଭାଗ ନିଦ ହଜାଇ ଦେଇଛି। ଶିମିଳିପାଳ କୋର୍ ଅଞ୍ଚଳରେ ଥିବା ଏନ୍କ୍ଲୋଜରରେ ଛଡ଼ାଯିବା ପରେ ସେ ଖୁଆଡ଼ରୁ ବାହାରି ଦୌଡ଼ି ବୁଲିଥିଲା। ଶିମିଳିପାଳର ବିସ୍ତୀର୍ଣ୍ଣ ଜଙ୍ଗଲ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗର ଜଙ୍ଗଲକୁ ପଳାଇଥିଲା।୨୦୨୪ ଡିସେମ୍ବର ଶେଷରେ ଶିମିଳିପାଳ ଫେରାଇ ଅଣାଯାଇଥିଲା। ସେବେଠାରୁ ଅଭୟାରଣ୍ୟର ଏନ୍କ୍ଲୋଜରରେ ବନ୍ଦୀ ଜୀବନ କାଟୁଛି ଜୀନତ୍। ‘ଜୀନତ୍’କୁ କେବେ କୋର୍ ଅଞ୍ଚଳରେ ଛଡ଼ାଯିବ? ଏନ୍କ୍ଲୋଜର୍ ବାହାରକୁ ଆସିଲେ ପୁଣି ବାହାର ରାଜ୍ୟକୁ ମୁହାଁଇବ କି? ଉଭୟ ବାଘୁଣୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ତ? ଏଭଳି ପ୍ରଶ୍ନ ବନ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା କହିଛନ୍ତି ଯେ ଉଭୟ ବାଘୁଣୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ‘ଯମୁନା’ ଏବେ କୁଲଡ଼ିହା ଅଭୟାରଣ୍ୟ ମଧ୍ୟରେ ରହିଛି। ତାହା ଗତିବିଧି ଉପରେ ନଜର ରଖାଯାଇଛି। ‘ଜୀନତ୍’ର ଏନ୍କ୍ଲୋଜର ଏବେ ୭ ହେକ୍ଟର ରହିଛି। ତାହା ଭିତରେ ଶିକାର ମଧ୍ୟ କରୁଛି। ଶିକାର କରିବାର କ୍ଷମତା ରହିଛି। ପରିସ୍ଥିତି ଦେଖି ତାକୁ ଜଙ୍ଗଲ ଭିତରକୁ ଛାଡ଼ିବୁ ବୋଲି ସେ କହିଛନ୍ତି।