ଏଠି ଜିରୋ ଆଓ୍ଵାର୍‌ ଅର୍ଥହୀନ

ଭୁବନେଶ୍ୱର: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି ରାଜଧାନୀବାସୀ। ଏଥିପାଇଁ ସବୁଠି ଚାଲିଛି ଜୋର୍‌ଦାର୍‌ ପ୍ରସ୍ତୁତି। ତାରକା ହୋଟେଲ୍‌, କ୍ଲବ୍‌ ସବୁଠି ଟିକେଟ୍‌ ବିକ୍ରି ସରିଲାଣି। ଜିରୋ ଆଓ୍ଵାର୍‌ ସେଲିବ୍ରେସନ୍‌ର ନିଶା ରାଜଧାନୀର ଗୋଟିଏ ଦିଗକୁ ସାମ୍ନାକୁ ଆଣୁଛି ସତ, ହେଲେ ସହରର ଆଉ ଗୋଟିଏ ଦିଗ ବି ଅଛି। ଯେଉଁଠି ଜିରୋ ଆଓ୍ଵାର୍‌ କିଛି ଅର୍ଥ ରଖେନି। ନୂଆବର୍ଷ ସେଠାରେ ମୂଲ୍ୟହୀନ। ସବୁ ଦିନ ଯେମିତି ରାତି ଆସେ…ପୁଣି ପାହି ଯାଇ ସକାଳ ହୁଏ, ଠିକ୍‌ ସେମିତି ୩୧ ତାରିଖ ରାତି ଆସିବ…ପୁଣି ଜାନୁଆରି ପହିଲା ସୂର୍ଯ୍ୟୋଦୟ ହେବ। ଅନ୍ୟ ରାତି ଓ ସୂର୍ଯ୍ୟୋଦୟଠାରୁ ଯେ ଏହା ଭିନ୍ନ, ତାହା ଏହି ଇଲାକାରେ କେହି ଭାବି ପାରନ୍ତି ନାହିଁ।
ସହର ଯେତେ ଯେତେ ଆଧୁନିକତା ଆଡ଼କୁ ମୁହାଁଉଛି, ସେତେ ସେତେ ବସ୍ତି ଗଳିକନ୍ଦିରେ ବଢ଼ିଚାଲିଛି। ସହରକୁ ବସ୍ତି ଅଡ଼ୁଆ କରୁଥିଲେ ବି ସହର ନିର୍ମାଣରେ ଏଠାକାର ବାସିନ୍ଦା ହିଁ ମୁଖ୍ୟ ଭୂମିକା ନିଅନ୍ତି। ରାଜଧାନୀରେ ଭୋର୍‌ରୁ ଆବର୍ଜନା ଉଠାଇବାଠାରୁ ଆରମ୍ଭ କରି ସହରବାସୀଙ୍କ ସବୁପ୍ରକାର ସୁବିଧା ପାଇଁ ଶ୍ରମ ଦେଉଥିବା ବସ୍ତିବାସିନ୍ଦାଙ୍କ ପାଇଁ ନୂଆ ବର୍ଷ କିଛି ମାନେ ରଖୁ ନାହିଁ। ସହରର ସବୁଆଡ଼େ ନୂଆ ବର୍ଷ ପ୍ରସ୍ତୁତି ଚାଲିଥିଲା ବେଳେ ଯେ କୌଣସି ବସ୍ତିକୁ ପଶିଗଲେ ସେମିତି କିଛି ଅନୁଭବ ହେଉ ନାହିଁ। ବ୍ୟୟବହୁଳ ନୂଆ ବର୍ଷ ପାଳନର ସାମାନ୍ୟ ପ୍ରଭାବ ଏଠାରେ ପଡ଼ି ନାହିଁ। ନୂଆ ବର୍ଷ କିପରି ପାଳନ କରୁଛ ବୋଲି ଯାହାକୁ ବି ପଚାରିଲେ ଉତ୍ତର ମିଳୁଛି, ଯାହାର ପଇସା ଅଛି ତାଙ୍କ ପାଇଁ ନୂଆ ବର୍ଷ। ସକାଳୁ ମଜୁରି ଲାଗିଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳିବ। କାମକୁ ନ ଗଲେ ଚୁଲି ଜଳିବନି। ତେଣୁ ନୂଆ ବର୍ଷ ଆମେ କାହିଁକି ଓ କେମିତି ପାଳିବୁ ବୋଲି ବହୁ ବସ୍ତିବାସିନ୍ଦାଙ୍କର ପ୍ରଶ୍ନ। ନୂଆବର୍ଷରେ ନୂଆ ପିନ୍ଧିବା, ମାଂସ ଭୋଜି କରି ଖାଇବା କିମ୍ବା ବିଭିନ୍ନ ସ୍ଥାନ ବୁଲି ମଉଜ କରିବା ସେମାନଙ୍କ ପାଇଁ ଯେମିତି ସାତ ସପନ। ସେମିତି ଚିରାଚରିତ ଢଙ୍ଗରେ କାମ ସନ୍ଧାନ ଓ ଖାଦ୍ୟ ପାଇଁ ସଂଘର୍ଷରେ ସେମାନଙ୍କର ନୂଆ ବର୍ଷର ପ୍ରଥମ ଦିନଟି ହିଁ କଟିଯିବ।

ଆଉ ବସ୍ତିରେ ରହି ଷ୍ଟ୍ରିଟ୍‌ ଫୁଡ୍‌ ବେପାର କରୁଥିବା ଲୋକମାନେ ନୂଆ ବର୍ଷ ପାଇଁ ଅଧିକ ବ୍ୟସ୍ତ ହୋଇଯାଇଛନ୍ତି। ସେମାନେ ନୂଆ ବର୍ଷ ପାଳନ ଅପେକ୍ଷା ସେଦିନ ଅଧିକ ବେପାର ପାଇଁ ଯୋଜନା କରିଛନ୍ତି। ଯେହେତୁ ଅନ୍ୟମାନେ ନୂଆ ବର୍ଷ ପାଳନ କରି ବେଶ୍‌ ଅର୍ଥ ଖର୍ଚ୍ଚ କରିବେ, ତେଣୁ ବେପାର ଭଲ ହେବ ବୋଲି ସେମାନେ ଆଶାବାଦୀ। ଏହା ବାଦ୍‌ ବସ୍ତିର କାଁ ଭାଁ କିଛି ସ୍ଥାନରେ ନୂଆ ବର୍ଷ ପାଇଁ ଭୋଜି ଆୟୋଜନ କରାଯାଉଥିବାର ଦେଖାଯାଇଥିଲା।

ପେଟ ଚାଖଣ୍ଡ ପାଇଁ ଦିନସାରା ଭିକ ମାଗୁଛି। ଷ୍ଟେସନ୍‌ ପାଖରୁ ସବୁଦିନ ଯେମିତି ଏଇ ଇସ୍କନ୍‌ ମନ୍ଦିର ସାମନାକୁ ଆସି ଭିକ ମାଗେ ସେମିତି ସେଦିନ ମଧ୍ୟ ଆସିବି। ଅଭାବୀ ସଂସାରରେ ନୂଆବର୍ଷ କ’ଣ ପାଳନ କରିବି? ଇଚ୍ଛା ଥିଲେ ମଧ୍ୟ ଅଭାବ ବାଧକ ସାଜୁଛି। ନୂଆବର୍ଷ ଦିନ ଏହି ମନ୍ଦିର ସାମ୍ନାରେ ବସି ସମସ୍ତଙ୍କ ଖୁସି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବି।
ସୁଭଦ୍ରା ଦାସ, ଷ୍ଟେସନ୍‌ ନିକଟ ବସ୍ତି

ଆମ ଭଳି ଗରିବ ଲୋକଙ୍କ ପାଇଁ ନୂଆବର୍ଷ ପୂରୁଣା ବର୍ଷ କିଛି ନାହିଁ। ଆର ବର୍ଷ ଗୋଟେ ଅଟୋ କିଣି ଗୁଜୁରାଣ ମେଣ୍ଟେଇବି ବୋଲି ଯୋଜନା କରିଛି। ସେଥିପାଇଁ ଏଇ ଗୋଟାଏ ଦିନ ଖୁସି ପାଳନ କରି ଅଯଥା ପଇସା ଖର୍ଚ୍ଚ କଲେ ମୋର ପୂରା ବର୍ଷ ନଷ୍ଟ ହେବ।
ମହେଶ୍ୱର ବେହେରା, ଆଖଣ୍ଡଳମଣି ବସ୍ତି

 

ମୁଁ ସବୁଦିନ ବାଲି, ସିମେଣ୍ଟରେ କାମ କରେ। ଦିନ ମଜୁରିଆ ହିସାବରେ ଦିନକୁ ୩୦୦ଟଙ୍କା ପାଏ। ଯଦି ନୂଆବର୍ଷରେ ବସିଯିବି ମୋ ପରିବାର ଉପାସ ରହିବ। ସେଥିପାଇଁ ନୂଆ ଓ ପୁରୁଣାର ଫରକ ମତେ ଜଣା ନାହିଁ।
ମିନତି ମାଝୀ, ତାଳସାହି ବସ୍ତି

ସମ୍ବନ୍ଧିତ ଖବର