କୋଡ଼ିଏକୁ ବିପୁଳ ସ୍ୱାଗତ : ଜମିଲା ଜିରୋ ନାଇଟ୍‌

ଭୁବନେଶ୍ବର : ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ସବୁରି ହୃଦ୍‌ସ୍ପନ୍ଦନ ତାଳ ଦେଉଥିଲା ଘଣ୍ଟା କଣ୍ଟାର ଟିକ୍‌ଟିକ୍‌ ଶବ୍ଦକୁ। ସନ୍ଧ୍ୟାରୁ ନାଚଗୀତରେ ମତୁଆଲା ମଣିଷଙ୍କୁ କ୍ଷଣେ ତା’ ସାମ୍ନାରେ ଅଟକାଇ ଦେଇଥିଲା ଅମାନିଆ ଘଡ଼ି। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସର ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ବାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ ବନ୍ଧୁ ଓ ପରିବାରଙ୍କ ମେଳରେ ଭୋଜିଭାତରେ ମାତିଥିଲା। ରାଜଧାନୀରେ ୩୦ରୁ ଅଧିକ ତାରକା ହୋଟେଲ୍‌ ଓ ରେସ୍ତୋରାଁରେ ଜିରୋ-ନାଇଟ୍‌ର ଆୟୋଜନ କରାଯାଇଥିବା ବେଳେ ସବୁଠି ଜମିଥିଲା ଡିଜେର ଆଡ଼ା। ଜିରୋ ନାଇଟ୍‌ ପାଲଟି ଯାଇଥିଲା ଡିଜେ ନାଇଟ୍‌। ଏଥିସହ କିଛି ନାମୀ ହୋଟେଲ୍‌ ଭେଟି ଦେଇଥିଲେ ଋଷିଆର ବେଲି ନୃତ୍ୟ। ପୁଣି ଫେସନ୍‌ ସୋ’ଠୁ ନେଇ ମ୍ୟାଜିକ୍‌ ସୋ’। ଏହା ମଧ୍ୟରେ ପୁରୁଣା ଦିନର ସୁଖ ଦୁଃଖର ମୁହୂର୍ତଗୁଡ଼ିକ ପାସୋରି ହୋଇଯାଉଥିଲା। ଏକ ନୂତନ ବର୍ଷର ନୂଆ ସକାଳକୁ ଆଡ଼ମ୍ବରରେ ସ୍ବାଗତ କରିବାକୁ ଅଣ୍ଟା ଭିଡ଼ିଥିଲା ପୂରା ସହର।

ହୋଟେଲ୍‌ ମେ‌’ ଫେୟାରରେ ଜିରୋ ନାଇଟ୍‌ ପାଳନ କରିଥିବା ବ୍ୟକ୍ତିବିଶେଷ ଆକାଶ ପଥରେ ନୂଆବର୍ଷ ବିତାଇବାର ଅନୁଭବ ସାଉଁଟିଥିଲେ। ଗ୍ରହ, ନକ୍ଷତ୍ର, ରକେଟ୍‌, ଜେଟ୍‌ ଆଦି ମଧ୍ୟରେ କିଛି ମୁହୂର୍ତ କଟାଇବାର ମଜା ଅନୁଭବ କରିଥିଲେ। ଅସୀମିତ ପାନୀୟ, ଦେଶୀ ଓ ଚାଇନିଜ୍‌ ଖାଦ୍ୟରେ ଆପ୍ୟାୟିତ ହୋଇଥିଲେ। ଜନତା ମଇଦାନ‌ରେ ଆୟୋଜିତ ‘ଧୁମ୍‌ -୨୦୨୦’ରେ ଭାଙ୍ଗଡ଼ା ଓ ଭୋଜପୁରୀ ନୃତ୍ୟର ଆସର ଜମିଥିଲା। ସ୍ବସ୍ତି ପ୍ରିମିୟମରେ ସାଲ୍‌ସା ନୃତ୍ୟ ସମେତ ଡିଜେ କରନ, ଅଭିଷେକ, ତୁଷାରଙ୍କ ଡିଜେ ମତୁଆଲା କରିଥିଲା। ହୋଟେଲ୍‌ ପୁଷ୍ପକରେ ପେପି ନୃତ୍ୟ ଉପଭୋଗ ସହ ଅନେକ ନୂଆବର୍ଷର ସ୍ମୃତି ସ୍ବରୂପ ଦେହରେ ଟାଟୁ ଆଙ୍କିଥିଲେ।

ହୋଟେଲ୍‌ ହିନ୍ଦୁସ୍ତାନ ଇଣ୍ଟରନାସ୍‌ନାଲ୍‌ ଓ କଳିଙ୍ଗ ‌ଅଶୋକାରେ ନର୍ତକୀଙ୍କ ବେଲି ନୃତ୍ୟ ସହ ତାଳ ଦେବାକୁ ଚେଷ୍ଟା କରି ଥକି ପଡ଼ୁଥିଲେ ଉତ୍ସାହୀ ବ୍ୟକ୍ତିବିଶେଷ। କଳିଙ୍ଗ ଅଶୋକାରେ ଟିକ୍‌ଟକ୍‌ ତାରକା ଶ୍ରୀକ୍ରିଶ ଓ ଡିଜେ ସନ୍‌ହା କାଇନାଥଙ୍କ ମନୋରଂଜନ ସମେତ ମୁମ୍ବାଇର ମଡେଲ୍‌ମାନଙ୍କ ମେଳରେ ନୂଆବର୍ଷକୁ ସ୍ବାଗତ କରାଯାଇଥିଲା। ସ୍ବତନ୍ତ୍ର ଲେଜର ସୋ’ ସହ କିଛି ସ୍ଥାନରେ ସେଲ୍‌ଫି ଜୋନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ହୋଟେଲ୍‌ ପ୍ରେସିଡେନ୍‌ସିରେ ସେଲଫି ପ୍ରତିଯୋଗିତା ସହ ମ୍ୟାଜିକ୍‌ ସୋ’ ଓ ଫଟୋ ସୁଟ୍‌ରେ ବି ଅନେକ ମସଗୁଲ ଥିଲେ।

ରାତି ଯେତେ ଗାଢ଼ ହେଉଥିଲା, କୋଳାହଳ ସେତେ ବଢ଼ି ବଢ଼ି ଚାଲିଥିଲା। କିଏ ହୋଟେଲ୍‌ରେ ତ କିଏ କ୍ଲବ୍‌ରେ ନାଚ ଗୀତ‌ରେ ମସଗୁଲ ହେଉଥିଲା। ଅନେକ ସ୍ଥାନରେ କିଛି ଯୁବପିଢ଼ି ରାସ୍ତା ଉପରେ ନୂଆବର୍ଷର ସ୍ମାରକୀକୁ ରଙ୍ଗ ଦେଇ ମାଖିବାରେ ବ୍ୟସ୍ତ ଥିଲେ। ଆଉ କିଛି ବ୍ୟକ୍ତି ଫୁଲ ଦେଇ ନିଜ ସାଙ୍ଗସାଥୀଙ୍କ ଦ୍ବାର ଠକ୍‌ ଠକ୍ କରୁଥିଲେ। ନା ଆଜି ଛୋଟ ବଡ଼ର ତାରତମ୍ୟ ଥିଲା, ନା ଉଚ୍ଚନୀଚ୍ଚର ଭେଦଭାବ। ଯିଏ ଯାହାକୁ ରାସ୍ତା ଉପରେ ଦେଖୁଥିଲା, ମନ ଖୋଲି କହି ଦେଉଥିଲା ‘ହାପି ନିୟୁ ଇୟର..।

ସମ୍ବନ୍ଧିତ ଖବର