ଭୁବନେଶ୍ବର: ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ସ୍ୱାଗତ କରିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ। ୩୧ ରାତିକୁ କିଏ କେଉଁଠି କିଭଳି ପାଳନ କରିବେ ସେ ନେଇ ଚାଲିଛି ଅନେକ ଯୋଜନା। ଲୋକଙ୍କ ମନଜାଣି ‘ଜିରୋ ନାଇଟ୍’ ସେଲିବ୍ରେସନ୍ଙ୍କୁ ଅଧିକ ରୋମାଞ୍ଚକର ଓ ସ୍ମରଣୀୟ କରିବା ପାଇଁ ରାଜଧାନୀର ହୋଟେଲ୍ଗୁଡ଼ିକ ବ୍ୟାପକ ଆୟୋଜନ କରିଛନ୍ତି। ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ‘ଜିରୋ ନାଇଟ୍’ ସେଲିବ୍ରେସନ୍ ପ୍ରସ୍ତୁତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
ଝୁମେଇବେ ଡିଜେ ସ୍ମିତା, ଅନିଷା ଓ କଣ୍ଠଶିଳ୍ପୀ ଅର୍ପିତା
ହୋଟେଲ ସ୍ୱସ୍ତି ପ୍ରିମିୟମ୍ରେ ‘ସିମର-୨୦୧୯’
ହୋଟେଲ ସ୍ୱସ୍ତି ପ୍ରିମିୟମ୍ରେ ‘ସିମର-୨୦୧୯’ ନାମରେ ନାମିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ କୋଲକାତାରୁ ଆସୁଥିବା ଡିଜେ ଅନିଷା ଓ ସ୍ମିତା। ସେହିପରି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ମଧ୍ୟ ନିଜର ସୁରିଲା ଆନ୍ଦାଜରେ ‘ସିମର-୨୦୧୯’ରେ ରଙ୍ଗ ଭରିବେ। ସନ୍ଧ୍ୟା ୭.୩୦ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। କେବଳ ଦମ୍ପତିମାନଙ୍କୁ ଅନୁମତି ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ଏଣ୍ଟ୍ରି ଫି’ ରହିଛି ୬୯୯୯ ଟଙ୍କା। ରାତ୍ରି ରହଣି ପାଇଁ ୯୯୯୯ଟଙ୍କା ପ୍ୟାକେଜ୍ ରହିଛି। ସିମର-୨୦୧୯ର ଲକି ଡ୍ର ବିଜେତାମାନେ ମାଳଦୀପ, ଆଗ୍ରା, ଗୋଆ, ଚେନ୍ନାଇ, ପୁରୀ, ଗୋପାଳପୁର, ବିଶାଖାପାଟଣା ଆଦି ସ୍ଥାନକୁ ହୋଟେଲ ପକ୍ଷରୁ ଦୁଇ ରାତି ଓ ତିନି ଦିନ ମାଗଣା ବୁଲିଯିବାର ସୁଯୋଗ ମିଳିବ। ଏହାଛଡ଼ା ନୂଆବର୍ଷ ପାଳନ ଅବସରରେ ହୋଟେଲ ପକ୍ଷରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ସହିତ ସ୍ୱତନ୍ତ୍ର ଲାଭିସ୍ ବୁଫେର ବ୍ୟବସ୍ଥା ରହିଛି। ଏହି ଅବସରରେ ହୋଟେଲ୍ର ପାନୋରାମା ରେଷ୍ଟୁରାଣ୍ଟ୍, ଚନ୍ଦନ ରେଷ୍ଟୁରାଣ୍ଟ୍ ଓ ପ୍ଲାଜା କ୍ଲବ୍ ଆଦିରେ ଲାଇଭ୍ ଗଜଲ୍ ସୋ’ର ମଧ୍ୟ ବ୍ୟବସ୍ଥା ରହିଥିବା ସ୍ବସ୍ତି ଗ୍ରୁପ ଉପସଭାପତି ପ୍ରିୟନାଥ ବେହେରା କହିଛନ୍ତି।
ନ୍ୟୁ ମାରିଅନ୍ର ନୂଆବର୍ଷ ସ୍ୱାଗତ
ନୂଆବର୍ଷର ସ୍ୱାଗତ ପାଇଁ ହୋଟେଲ୍ ନ୍ୟୁ ମାରିଅନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଆର୍ଯ୍ୟନ୍ କ୍ରିଏଟିଭ୍ ଡ୍ୟାନ୍ସଗ୍ରୁପ୍ ଓ ଡିଜେ ରାକେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଖାଲି ସେତିକି ନୁହେଁ ଉତ୍ସବକୁ ଅଧିକ ରଙ୍ଗିନ୍ କରିବେ କଣ୍ଠଶିଳ୍ପୀ ମନୋଜ, ଆର୍ଯ୍ୟ, ମଧୁଲିତା, ଅରୋଶିଷ୍, ଆଶିଷ୍, ରୋଜାଲିନ୍ ମିଶ୍ର। ଏହା ସାଙ୍ଗକୁ ସ୍ନାକ୍ସ, ସୁସ୍ୱାଦୁ ରାତ୍ରି ଭୋଜନ ଓ ବିଭିନ୍ନ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୨ ପର୍ଯ୍ୟନ୍ତ ଚାଲିବ। ରାତି ୧୨.୧୫ ମଧ୍ୟରେ କାର୍ଯ୍ୟକ୍ରମ ସମାପ୍ତ କରଯିବ। ଦମ୍ପତିଙ୍କ ପାଇଁ ଏଣ୍ଟ୍ରି ଫି’ ୫୫୦୦ ଟଙ୍କା ରଖାଯାଇଥିବା ବେଳେ ଷ୍ଟାଗ୍ଙ୍କ ପାଇଁ ସାଢ଼େ ୪ ହଜାର ଟଙ୍କା ରଖାଯାଇଥିବା ହୋଟେଲର ଜିଏମ୍ ସମିର ଅଲ୍ଲୀ କହିଛନ୍ତି।
ହୋଟେଲ୍ ପ୍ରେସିଡେନ୍ସି ‘ସ୍ବାଗ୍ ସେ ସ୍ବାଗତ-୨୦୧୯’
ହୋଟେଲ୍ ପ୍ରେସିଡେନ୍ସିର ସ୍ବତନ୍ତ୍ର ଆୟୋଜନ ‘ସ୍ବାଗ୍ ସେ ସ୍ବାଗତ-୨୦୧୯’। ଉତ୍ସବର ଆକର୍ଷଣ ପାଲଟିବେ ଓଲିଉଡ୍ କଣ୍ଠଶିଳ୍ପୀ ସିଦ୍ଧାର୍ଥ ଶେଖର ଓ ସାରେଗାମାପାର ସ୍ବର୍ଣ୍ଣ। ସେହିପରି ଉତ୍ସବକୁ ଅଧିକ ରଙ୍ଗିନ କରିବେ ଟ୍ରିପଲ୍ ଡି ଡ୍ୟାନ୍ସ ଗ୍ରୁପ, ବେଲି ଡ୍ୟାନ୍ସ ଓ ଆଙ୍କର ସୌମ୍ୟା ସିଂ। ଏହା ସାଙ୍ଗକୁ ସ୍ନାକ୍ସ, ସୁସ୍ୱାଦୁ ରାତ୍ରିଭୋଜନ ଓ ବିଭିନ୍ନ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୨ ପର୍ଯ୍ୟନ୍ତ ଚାଲିବ। କପଲ୍ମାନଙ୍କ ପାଇଁ ଏଣ୍ଟ୍ରି ଫି’ ୩୯୯୯ ହଜାର ଟଙ୍କା ରଖାଯାଇଥିବା ବେଳେ ଷ୍ଟାଗ୍ଙ୍କ ପାଇଁ ୨୯୯୯ ହଜାର ଟଙ୍କା ରଖାଯାଇଥିବା ଆୟୋଜକ ଜୟ ସାମନ୍ତ କହିଛନ୍ତି।
ମତୁଆଲା କରିବେ ସ୍ମିତା ନନ୍ଦି ଓ ମାରିୟାନା
୩୧ ଡିସେମ୍ବର ରାତିକୁ ମନୋରଞ୍ଜନର ସହ ବିଦାୟ ଦେବା ପାଇଁ ହୋଟେଲ୍ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ (ଏଚ୍ଏଚ୍ଆଇ) ପକ୍ଷରୁ ତିନି ପ୍ରକାରର ବ୍ୟବସ୍ଥା କରାଯାଇଛି। ତେବେ ସେହି ଦିନ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ୍ କଣ୍ଠଶିଳ୍ପୀ ସ୍ମିତା ନନ୍ଦି ଓ ରସିୟାନ୍ ଡ୍ୟାନ୍ସର ମାରିୟାନା। ଓଲିଉଡ୍ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍, ଡିଜେ ଦୁଷ୍ମନ୍ତ, ସ୍ବାଗେର କିଙ୍ଗସ୍ ଡ୍ୟାନ୍ସଗ୍ରୁପ୍, ୟୁଭା ଲାଇଭ୍ ବ୍ୟାଣ୍ଡ ଓ ଆଙ୍କର ମାନସୀ ମିଶ୍ର ଉତ୍ସବକୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇବେ। ତେବେ ପୁଲ୍ ସାଇଡ୍, କ୍ରିଷ୍ଟାଲ୍ ଓ ଭୂତଳ ତିନିଟି ସ୍ଥାନରେ ଅଲଗା ଅଲଗା କାର୍ଯ୍ୟକ୍ରମ ରାଖାଯାଇଛି। ପୁଲ୍ ସାଇଡ୍ରେ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ରହିଥିବା ବେଳେ କ୍ରିଷ୍ଟାଲ୍ରେ କୋଲକାତାର ଡ୍ୟାନ୍ସ ଗ୍ରୁପ୍ ସାଙ୍ଗକୁ ଡିଜେ ନାଇଟ୍ ବ୍ୟବସ୍ଥା ରହିଛି। ସେହିପରି ଭୂତଳରେ କେବଳ ଡିଜେ କାର୍ଯ୍ୟକ୍ରମ ରହିଛି। ପୁଲ୍ସାଇଡ୍ରେ ଉଭୟ କପଲ୍ ଓ ଷ୍ଟାଗଙ୍କୁ ଅନୁମତି ଥିବା ବେଳେ କ୍ରିଷ୍ଟାଲ୍ ଓ ଭୂତଳରେ କେବଳ କପଲ୍ମାନଙ୍କୁ ଅନୁମତି ରହିଛି। ପୁଲସାଇଡ୍ ଓ କ୍ରିଷ୍ଟାଲ ଏଣ୍ଟ୍ରି ପାଇଁ କପଲମାନଙ୍କୁ ୬୪୯୯ ଟଙ୍କା ଓ ଷ୍ଟାଗ୍ଙ୍କ ପାଇଁ ୩୯୯୯ଟଙ୍କା ରହିଛି। ଭୂତଳ ଏଣ୍ଟ୍ରି ପାଇଁ ୨୪୯୯ ଟଙ୍କା ରଖା ଯାଇଛି । କାର୍ଯ୍ୟକ୍ରମ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହୋଇ ନିର୍ଧାରିତ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଏଜିଏମ୍ ରବୀନ୍ଦ୍ର ନାୟକ କହିଛନ୍ତି।