ଜମିବନି ଜିରୋ ନାଇଟ୍‌: ରୋକ୍‌ ଲଗାଇଲା ବିଏମ୍‌ସି, ହୋଟେଲରେ ବି ପ୍ରସ୍ତୁତି ନାହିଁ

କୋଟିଏରୁ ଅଧିକ ଟଙ୍କାର ବେପାର ଠପ୍‌

ଭୁବନେଶ୍ବର: ଏଥର ରାଜଧାନୀରେ ଜମିବନି ଜିରୋ‌ ନାଇଟ୍‌। ନୂଆବର୍ଷରେ ଡିଜେ ବାଜିବନି କି ମଞ୍ଚ ଦୁଲୁକିବନି। ତାରକା ହୋଟେଲରେ ହେବନି ନାଚଗୀତର ଆସର। କରୋନା ଲାଗି ଜିରୋ ନାଇଟ୍‌ ପାଳନ ଉପରେ ରୋକ ଲଗାଇଛି ଭୁବନେଶ୍ବର ମହାନଗର ନିଗମ। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ, ରାତିରେ କୌଣସି କାର୍ଯ୍ୟକ୍ରମ ପାଳନ କରିବାକୁ ଅନୁମତି ନାହିଁ। ତେଣୁ ଜାନୁଆରି ୩୧ର ଜିରୋ ନାଇଟ୍‌ ପାଳନ ଉପରେ ରୋକ୍‌ ଲଗାଯାଇଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି। ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କ ଘୋଷଣା ପରେ ହୋଟେଲଗୁଡ଼ିକରେ ଜିରୋ ନାଇଟ୍‌ ଉତ୍ସବ ହୋଇପାରିବ ନାହିଁ। ‌କେବଳ ହୋଟେଲ ନୁହେଁ, ବାର୍‌, ରେ‌‌ସ୍ତୋରାଁ, କ୍ଲବ ଆଦି ସ୍ଥାନରେ ନୂଆବର୍ଷ ଅବସରରେ ପାଳିତ ହେଉଥିବା ଜିରୋ ନାଇଟ୍‌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହେବା ଏକପ୍ରକାର ଥୟ।

ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସବ ପାଳନ ନେଇ କୌଣସି ନୂତନ ବିଜ୍ଞପ୍ତି ଜାରି ହୋଇନାହିଁ। ତେଣୁ କଟକଣା ପୂର୍ବଭଳି ରହିବାର ସମ୍ଭାବନା ଥିବାରୁ ଅଧିକାଂଶ ବଡ଼ ହୋଟେଲ, କ୍ଲବ, ଇଭେଣ୍ଟ ଅର୍ଗାନାଇଜର୍ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ନ କରିବାକୁ ଆଗୁଆ ସ୍ଥିର କରି ସାରିଛନ୍ତି। ଗତବର୍ଷର ଥିମ୍‌ ଗ୍ରହନକ୍ଷତ୍ରଙ୍କ ମେଳରେ ଜିରୋ ନାଇଟ୍ ସେଲିବ୍ରେସନ୍ କରି ନୂଆବର୍ଷ ପାଳିଥିବା ହୋଟେଲ୍ ମେ’ ଫେୟାର, ଏଥର ଉତ୍ସବ ପାଳନ ନେଇ ଏପର୍ଯ୍ୟନ୍ତ କିଛି ଯୋଜନା କରି ନ ଥିବା ହୋଟେଲ୍ କର୍ତ୍ତୃପକ୍ଷ କହିଛନ୍ତି। ହୋଟେଲ ଏମ୍ପାୟାର୍ସର ୟୁନିଟ୍ ହେଡ୍ ଲଳିତ ଶତପଥୀ କହିଛନ୍ତି, ପ୍ରତିବର୍ଷ ବଡ଼ଦିନରୁ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଉତ୍ସବ ହୁଏ। ଲୋକେ ମଧ୍ୟ ହୋଟେଲ୍‌ରୁ ଖ୍ରୀଷ୍ଟମାସ କେକ୍ ବରାଦ କରି ନୂଆବର୍ଷ ପାଳନ କରନ୍ତି। ମାତ୍ର ଏଥର କରୋନା ପାଇଁ ସବୁ କିଛି ଅଙ୍କୁଶ ଲାଗିଛି। କେକ୍ ତିଆରି ହୋଇଥିଲେ ସୁଦ୍ଧା ଲୋକେ ଏହାକୁ କିଣିବାକୁ ନେଇ ଉତ୍ସାହ ଦେଖାଉ ନାହାନ୍ତି। ହୋଟେଲ୍ ସ୍ବସ୍ତି ପ୍ରିମିୟମ୍‌ର ସ୍ନେହାଶିଷ ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀ, ଗତ ବର୍ଷ ସାଲ୍‌ସା ନୃତ୍ୟ ଲୋକଙ୍କ ମନ ମୋହିଥିଲା। ସରକାରଙ୍କ ପକ୍ଷରୁ ଏଥର ନୂଆବର୍ଷକୁ ନେଇ କୌଣସି ବିଜ୍ଞପ୍ତି ଆସି ନଥିଲେ ସୁଦ୍ଧା କରୋନା ପାଇଁ ଉତ୍ସବ ବାତିଲ୍ କରାଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିବ। ହୋଟେଲ୍ ଏଚ୍‌ଏଚ୍‌ଆଇ ମଧ୍ୟ ନୂଆବର୍ଷ ପାଳନକୁ ନେଇ ସମାନ ବିବୃତି ଦେଇଛି।

ହୋଟେଲ୍ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ ଓଡ଼ିଶାର ସାଧାରଣ ସଂପାଦକ ଶ୍ରୀନିବାସ ସୁବୁଦ୍ଧି କହିଛନ୍ତି, ଭୁବନେଶ୍ବରରେ କେବଳ ଡିସେମ୍ବର ୩୧ ତାରିଖରେ କୋଟିଏରୁ ଅଧିକ ଟଙ୍କା ବ୍ୟବସାୟ ହୁଏ। ମାତ୍ର ଏଥର ସବୁ କିଛି ଫିକା ପଡ଼ିବ। ତେବେ ନୂଆବର୍ଷରେ ଉତ୍ସବ କଟକଣାକୁ ନେଇ ପୁଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିୟମକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ପ୍ରକାରର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଥିବାରୁ ହୋଟେଲ୍, ବାର୍, କ୍ଲବ୍, ପବ୍ ଆଦିକୁ କୌଣସି ପ୍ରକାରର ଅନୁମତି ଦିଆଯାଇନି।
ସୂଚନାଯୋଗ୍ୟ ଯେ କରୋନା ହୋଇ ନ ଥିଲେ ଏତେ ବେଳକୁ ହୋଟେଲ୍‌ଗୁଡ଼ିକରେ ସାଜସଜ୍ଜା‌ ଆରମ୍ଭ ହୋଇଯାଇଥାଏ। ବଲିଉଡ୍‌ର ସେଲିବ୍ରିଟିଙ୍କୁ ଆଣିବାଠୁ ଆରମ୍ଭ କରି ଡିଜେ ନାଇଟ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥା’ନ୍ତା। ଏପରିକି ଡିସେମ୍ବର ଆରମ୍ଭରୁ ହୋଟେଲ୍‌ଗୁଡ଼ିକ ନୂଆ ବର୍ଷର ମୁଖ୍ୟ ଆକର୍ଷଣକୁ ନେଇ ପ୍ରଚାର ପ୍ରସାର କରିଥା’ନ୍ତେ ଏବଂ ଟିକେଟ୍ ବିକ୍ରି ହୋଇଥା’ନ୍ତା। ଦର୍ଶକଙ୍କୁ ଆପ୍ୟାୟିତ କରିବା ପାଇଁ ସୁସ୍ବାଦ ଖାଦ୍ୟ ଓ ପାନୀୟ ଆଦି ବ୍ୟବସ୍ଥା କରିଥା’‌ନ୍ତେ। ତେବେ ଆଜି ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କ ଘୋଷଣା ପରେ ସ୍ପଷ୍ଟ ହୋଇଗଲା ଯେ ଏଥର ରାଜଧାନୀରେ ଜିରୋ ନାଇଟ୍‌ ଡିଜେ ବାଜିବ ନାହିଁ।

ସମ୍ବନ୍ଧିତ ଖବର